ଆନ୍ତର୍ଜାତୀୟ ଧଉଳି ଚିତ୍ରକଳା ଉତ୍ସବସାମିଲ୍ ହେଲେ ଅଗମ୍ୟ ଆଦିବାସୀ ପଲ୍ଲୀର ବିଦ୍ୟାର୍ଥୀ
ଭୁବନେଶ୍ୱର,: ଆଉ ଦିନ କେଇଟା ପରେ ସ୍ମାର୍ଟନଗରୀ ଭୁବନେଶ୍ୱରରେ ଆରମ୍ଭ ହେବ ଆନ୍ତର୍ଜାତୀୟ ଧଉଳି ଚିତ୍ରକଳା ଉତ୍ସବ । ଉତ୍ସବଟିକୁ ଆୟୋଜନ କରୁଛି ଧଉଳି ଚାରୁକଳା ମହାବିଦ୍ୟାଳୟ । ଶାନ୍ତିସ୍ତୁପ ଧଉଳିର ପାଦଦେଶରେ ଉଡ଼ିବ ବିଭିନ୍ନ ଦେଶର ରଙ୍ଗବେରଙ୍ଗର ଜାତୀୟ ପତାକା । ଯୋଗ ଦେବେ ବିଭିନ୍ନ ଦେଶର ନାମୀ ଦାମୀ ଚିତ୍ରଶିଳ୍ପୀ । ପ୍ରଦର୍ଶିତ ହେବ ସେମାନଙ୍କ କଳାକୃତି । ଭାରତ ସମେତ ଆମେରିକା, ଜର୍ମାନୀ, ଅଷ୍ଟ୍ରେଲିଆ, ନେପାଳ, ବାଲାଂଦେଶ, ଜାପାନ, ସୁଇଜରଲ୍ୟାଣ୍ଡ ଇତ୍ୟାଦି ଦେଶର ଶିଳ୍ପୀମାନେ ଉତ୍ସବରେ ଯୋଗଦେବେ । ଭିନ୍ନ ଭିନ୍ନ ଦେଶର କଳା, ସଂସ୍କୃତି, ପରମ୍ପରା ଗୋଟିଏ ମଣ୍ଡପରେ ସ୍ଥାନିତ ହେବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉତ୍ସବରେ ଭୁବନେଶ୍ୱର ନିକଟରେ ଥିବା ଚନ୍ଦକା-ଡମ୍ପଡ଼ା ହସ୍ତୀ ଅଭୟାରଣ୍ୟର ଜଙ୍ଗଲଘେର ମଧ୍ୟରେ ରହିଥିବା ଅଗମ୍ୟ ଆଦିବାସୀପଲ୍ଲୀର ବିଦ୍ୟାର୍ଥୀମାନେ ଉତ୍ସବରେ ସାମିଲ୍ ହୋଇଛନ୍ତି । ବଣ ମଲ୍ଲୀ ବଣରେ ଫୁଟି ଯେପରି ବଣରେ ଝଡ଼ି ନପଡ଼ୁ ସେଥିପାଇଁ ମହାବିଦ୍ୟାଳୟ ପକ୍ଷରୁ ଏହି ନିଆରା ପ୍ରୟାସ ୩ ବର୍ଷ ଧରି କ୍ରମାଗତ ଭାବେ ହାତକୁ ନିଆଯାଇଛି । ସେମାନଙ୍କ ଲୁକ୍କାୟିତ ପ୍ରତିଭା, ସୃଜନଶୀଳତାକୁ ଲୋକଲୋଚନକୁ ଆଣିବା ସହ ଆଦିବାସୀ କଳା ଓ ସଂସ୍କୃତିର ବିକାଶ ହେଉଛି ମୂଳ ଲକ୍ଷ୍ୟ ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ ସୂଚନା ଦେଇଛନ୍ତି । ଏ ନେଇ ଗାଁର ବିଦ୍ୟାର୍ଥୀମାନଙ୍କୁ ନେଇ ଆୟୋଜନ କରାଯାଇଥିଲା ଏକ ଚିତ୍ରକଳା ପ୍ରତିଯୋଗିତା । ସାମାଜିକ କର୍ମୀ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରତିଯୋଗିତାରେ ଓଡ଼ିଶାର ସୁପରିଚିତ ବାଲୁକାଶିଳ୍ପୀ ସୁବଳ ମହରଣା, ଚିତ୍ରଶିଳ୍ପୀ ପ୍ରଶାନ୍ତି ସାମଲ, ସାମାଜିକ କର୍ମୀ ପ୍ରିୟବ୍ରତ ପଣ୍ଡା, ତ୍ରିଲୋଚନ ବେଉରା, ପ୍ରଦୀପ୍ତ ରଞ୍ଜନ ରାଉତରାୟ ପ୍ରମୁଖ ଉପସ୍ଥିତ ରହି ବିଦ୍ୟାର୍ଥୀମାନଙ୍କୁ ଉତ୍ସାହିତ କରିବା ସହ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ । ଜାନୁୟାରୀ ୧୧ ତାରିଖରୁ ୧୩ ତାରିଖ ତିନିଦିନ ଧରି ହେବାକୁ ଥିବା ଆନ୍ତର୍ଜାତୀୟ ଚିତ୍ରକଳା ଉତ୍ସବର ପ୍ରଥମ ଦିବସରେ ଦିବା ୯ ଘଟିକା ସମୟରେ ଏକ ସ୍ପଟ୍ ପେଣ୍ଟିଂ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଆଗ୍ରହୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏଥିରେ ଭାଗ ନେଇପାରିବେ ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ସାମଲ ଏହି ଅବସରରେ ସୂଚନା ଦେଇଛନ୍ତି ।


