ଆନ୍ତର୍ଜାତୀୟ ପର୍ବତ ଦିବସ ପାଳନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପ୍ରତିବର୍ଷ ଡିସେମ୍ବର ମାସ ୧୧ ତାରିଖକୁ ଆନ୍ତର୍ଜାତୀୟ ପର୍ବତ ଦିବସ ରୂପେ ପାଳନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଉପକଣ୍ଠ ସ୍ଥିତ ଚନ୍ଦକା – ଡମପଡା ହସ୍ତୀ ଅଭୟାରଣ୍ୟ ଘେର ମଧ୍ୟରେ ଅବସ୍ଥିତ ଆଦିବାସୀ ପଲ୍ଲୀ କନ୍ଦଳେଇ ଠାରେ ସାମାଜିକ ଅନୁଷ୍ଠାନ ‘ବୁଲ୍ସଆଇ’ ପକ୍ଷରୁ ସ୍ଥାନୀୟ କନ୍ଦଳେଇ ପର୍ବତ ପାଦଦେଶରେ ପଲ୍ଲୀର ବିଦ୍ୟାର୍ଥୀ ଓ ଗ୍ରାମବାସୀ ମାନଙ୍କୁ ନେଇ ଆନ୍ତର୍ଜାତୀୟ ପର୍ବତ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅତିଥି ରୂପେ ପରିବେଶବିତ୍ ସୁଶାନ୍ତ ସାହୁ ଯୋଗଦେଇ କହିଥିଲେ, ପର୍ବତ ହେଉଛି ପ୍ରକୃତିର ଅନବଦ୍ୟ ସୃଷ୍ଟି । ଅନେକ ପର୍ବତ ସହିତ ଆମର ଆସ୍ଥା ଓ ବିଶ୍ୱାସ ଯୋଡି ହୋଇ ରହିଛି । ଜୈବ ବିବିଧତା ଅଞ୍ଚଳର ୩୦ ପ୍ରତିଶତ ସଂଚାଳକ ହେଉଛି ପର୍ବତ । ପର୍ବତର ଉପସ୍ଥିତ ଯୋଗୁଁ ମେଘମାଳରୁ ବର୍ଷା ସମ୍ଭବ ହେଉଛି । ସଂପ୍ରତି ଜଳବାୟୁ ପରିବର୍ତ୍ତନ ଓ ମାତ୍ରାଧିକ ଖଣି ଖନନ ପାଇଁ ପର୍ବତ ଏବେ ବିପଦରେ । ପର୍ବତ ସଂରକ୍ଷଣ ବିଶ୍ୱ ପାଇଁ ବଡ ଆହ୍ୱାନ ପାଲଟିଛି । ‘ବୁଲ୍ସଆଇ’ର ଅଧ୍ୟକ୍ଷ ତ୍ରିଲୋଚନ ବେଉରା କହିଥିଲେ, ପର୍ବତରେ ଥିବା ଜଙ୍ଗଲର ସୁରକ୍ଷା ନିମନ୍ତେ ସମସ୍ତେ ଯତ୍ନବାନ୍ ହେବା ଆଜିର ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ପ୍ରୟବ୍ରତ ପଣ୍ଡା, ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଚିତ୍ର କୁମାର ମାଝୀ, ଶିକ୍ଷକ ସୁବାସ ଓଝା ଓ ଗ୍ରାମବାସୀ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ ।