ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ -୨୦୨୨ ଉପଲକ୍ଷେ ସ୍ବାସ୍ଥ୍ୟ ପରୀକ୍ଷା ଶିବିର

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡିଶା ତରଫରୁ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ -୨୦୨୨ ଉପଲକ୍ଷେ ଆଜି ଛତ୍ରପୁର ସ୍ଥିତ ସଂସ୍କୃତି ଭବନ ପରିସରରେ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଓଡିଶୀ ଗବେଷଣା କେନ୍ଦ୍ର ବ୍ରହ୍ମପୁରର ଶିଳ୍ପୀ ସ୍ବପ୍ନା ସାହୁ ଜଗନ୍ନାଥଙ୍କ ଭଜନ ପରିବେଷଣ କରିଥିଲେ । ଅତିଥିମାନେ ପ୍ରଦୀପ ପ୍ରଜ୍ଜଳନ କରିବା ପରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କଲ୍ୟାଣୀ ଦାସ ଅତିଥି ମାନଙ୍କ ପରିଚୟ ପ୍ରଦାନ ପରେ ନିଜ ବକ୍ତବ୍ୟରେ କହିଥିଲେଯେ, ଯୋଗ ହିଁ ସୁନ୍ଦର ସ୍ବାସ୍ଥ୍ୟର ଚାବି କାଠି । ଯୋଗ କଲେ ଶରୀର ସୁସ୍ଥ ରହିବ ବୋଲି ସେ ମତବ୍ୟକ୍ତ କରିଥିଲେ । ଛୋଟ ଛୁଆର ଯତ୍ନ ନେଲାଭଳି ବୟସ୍କ ମାନଙ୍କର ମଧ୍ୟ ଯତ୍ନ ନେବା ଆବଶ୍ୟକ । ବୟସ୍କ ମାନଙ୍କର ବିଭିନ୍ନ ପ୍ରକାର ରୋଗ ଦେଖା ଦେଇଥାଏ, ତେଣୁ ସେମାନେ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ଉମା ଶଙ୍କର ମିଶ୍ର ପରାମର୍ଶ ଦେଇଥିଲେ । ପରିବାରର ବୟସ୍କ ମାନଙ୍କୁ ସମ୍ମାନ ଦେବା, ସେମାନଙ୍କ ଯତ୍ନ ନେବା ସହ ସମସ୍ତ ସୁବିଧା ଅସୁବିଧା ପଚାରି ବୁଝିବା ଉଚିତ୍ ବୋଲି ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର ତାଙ୍କ ବକ୍ତବ୍ୟରେ କହିଥିଲେ । ବୟସ୍କ ମାନେ ସମାଜକୁ ଯେଉଁ ଦିଗ୍ ଦର୍ଶନ ଦେଇଛନ୍ତି ସେଥିଯୋଗୁଁ ଆଜି ସମାଜ ବଞ୍ଚି ରହିଛି । ସରକାର ଓ ଜିଲ୍ଲା ପ୍ରଶାସନ ବରିଷ୍ଠ ନାଗରିକ ମାନଙ୍କ ସହ ସଦାସର୍ବଦା ରହିଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ କହିଥିଲେ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କ ପାଇଁ ୧୦ ଲକ୍ଷ ଓ ପୁରୁଷଙ୍କ ପାଇଁ ୫ଲକ୍ଷ ଟଙ୍କା ଚିକିତ୍ସା ସୁବିଧା ସରକାର ଯୋଗାଇ ଦେଇଛନ୍ତି ବୋଲି ମାନନୀୟା ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରକାଶ କରିବା ସହ ନିଜନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ କହିଥିଲେ । ସମଗ୍ର ବିଶ୍ବରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସେମାନଙ୍କ ପାଇଁ ଭତ୍ତାର ବ୍ୟବସ୍ଥା ସରକାର କରିଛନ୍ତି ଏବଂ ସେମାନେ ସ୍ବାସ୍ଥ୍ୟ ସଚେତନ ହେବାକୁ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ନିବେଦନ କରିଥିଲେ । ମଣିଷର ଚାରୋଟି ଅବସ୍ଥା ମଧ୍ୟରୁ ଶେଷ ଅବସ୍ଥା ହେଉଛି ବୃଦ୍ଧାବସ୍ଥା । ସେ ସମୟରେ ସ୍ନେହ, ଶ୍ରଦ୍ଧା, ଭଲପାଇବା ସେମାନେ ଆଶା କରନ୍ତି । ବରିଷ୍ଠ ନାଗରିକ ମାନେ ଅନୁଭୂତି ଓ ଅଭିଜ୍ଞତାର ଭରପୁର ଭଣ୍ଡାର । ଏଣୁ ସେମାନଙ୍କର ଯତ୍ନ ନେବା ସମସ୍ତଙ୍କର କର୍ତ୍ତବ୍ୟ ବୋଲି ମାନ୍ୟବର ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ପରାମର୍ଶ ଦେଇଥିଲେ।ପରେପରେ ଛତ୍ରପୁରର ଶତାୟୁ ବରିଷ୍ଠ ନାଗରିକ ରଇବାରୀ ପ୍ରଧାନ, ଆସ୍କାର ରାମ ପ୍ରଧାନ, ବ୍ରହ୍ମପୁରର କାନ୍ତା ସାହୁ, ସୋରଡାର ଗଣେଶ ଓ ଭଞ୍ଜନଗରର ସୁବାସ ଚନ୍ଦ୍ର ବେହେରାଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି ସ୍ବାସ୍ଥ୍ୟ ପରୀକ୍ଷା ଶିବିରରେ ଦନ୍ତ ଚିକିତ୍ସକ ଡା. ଅଜିତ କୁମାର ନାୟକ, ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଅସ୍ଥିଶଲ୍ୟ ବିଭାଗ ଡା. ସୂର୍ଯ୍ୟ ପ୍ରକାଶ, ସିଟି ହସ୍ପିଟାଲ, ଚକ୍ଷୁ ବିଶେଷଜ୍ଞ ଡା. ଏସ୍. ସୀତାରାମ, ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ,କର୍ଣ୍ଣ ନାସା ଓ ଗଳା ବିଭାଗର ଡା. ୍ରୁନ୍ଧତୀ ପାଣିଗ୍ରାହୀ, ସିଟି ହସ୍ପିଟାଲ, ଭେଷଜ ବିଶେଷଜ୍ଞ ଡା. ରାକେଶ ଜେନା, ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ,କ, ମେଡିକାଲ ଅଫିସର ଡା. ସ୍ବପ୍ନଜା ରାଣୀ ପ୍ରଧାନ, ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଚିକିତ୍ସକ ମାନେ ବରିଷ୍ଠ ନାଗରିକଙ୍କୁ ପରୀକ୍ଷା କରି ନିରାମୟ ଔଷଧ ଦେଇଥିଲେ । ଶେଷରେ କଳାକାର ମାନଙ୍କ ଦ୍ବାରା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ