ଆନ୍ତର୍ଜାତୀୟ ମାନବାଧିକାର ଦିବସ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମାନବାଧିକାର କର୍ମୀମାନେ ସମାଜର ଜାଗ୍ରତ ପ୍ରହରୀ । ସେମାନଙ୍କର ନିଷ୍ଠା ଓ ଉଦ୍ୟମ ବଳରେ ବହୁ ପୀଡ଼ିତ ନ୍ୟାୟ ପାଇବାକୁ ସକ୍ଷମ ହୋଇପାରୁଛନ୍ତି ବୋଲି ଶନିବାର ଭୁବନେଶ୍ୱର ଗୀତଗୋବିନ୍ଦ ସଭାଗୃହରେ ଅନୁଷ୍ଠିତ ଆନ୍ତର୍ଜତୀୟ ମାନବାଧିକାର ଦିବସ ପାଳନ ଅବସରରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆର ଅଧ୍ୟକ୍ଷ ମନୋଜ ଜେନା ସଭାରେ ସଭାପତିତ୍ୱ କରି ଉପସ୍ଥିତ ମାନବାଧିକାର କର୍ମୀମାନଙ୍କୁ ତୃଣମୂଳସ୍ତରରେ ଘଟୁଥିବା ମାନବାଧିକାର ଉଲଙ୍ଘନ ଘଟଣାକୁ ସାମ୍ନାକୁ ଆଣି ପୀଡ଼ିତଙ୍କୁ ନ୍ୟାୟ ଦେବା ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ସେ କହିଥିଲେ ଯେ, ଏ ବର୍ଷ ମିଳିତ ଜାତିସଂଘର ସାର୍ବଜନୀନ ମାନବାଧିକାର ଘୋଷଣାନାମାକୁ ୭୫ ବର୍ଷ ହେଉଥିବା ବେଳେ ହ୍ୟୁମାନ ରାଇଟ୍ସ ଡିଫେଣ୍ଡର ଘୋଷଣାନାମାକୁ ୨୫ବର୍ଷ ହେଉଛି । ଜାତୀୟ ମାନବାଧିକାର ଆୟୋଗ ଗଠନର ୩୦ ବର୍ଷ ମଧ୍ୟରେ ସମୁଦାୟ ୨୨.୪୮ ଲକ୍ଷ ମାମଲା ଦାୟର ହୋଇ ୨୨.୪୧ କେସ୍ ଫଇସଲା ହୋଇ ମୋଟ ୨୩୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା କ୍ଷତିପୂରଣ ଦିଆଯାଇଛି । ଓଡ଼ିଶାରୁ ପାଖାପାଖି ୯୦ ହଜାରରୁ ଉର୍ଦ୍ଧ୍ୱ ମାମଲା ଦାୟର ହୋଇଛି । ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ରବି ଦାସ ମାନବାଧିକାର କର୍ମୀମାନଙ୍କର ଦକ୍ଷତା ସମ୍ପର୍କରେ ଆଲୋକପାତ କରିବା ସହ ସରକାର ସେମାନଙ୍କୁ ସୁଶାସନର ସହଯୋଗୀ ଭାବେ ଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ ଯେ, ଲୋକମାନେ କିପରି ମାନବ ଅଧିକାର ସମ୍ପର୍କରେ ଅଜ୍ଞ, ସେ ବିଷୟରେ ଆଲୋକପାତ କରିଥିଲେ । ମାନବାଧିକାର କର୍ମୀମାନଙ୍କ ପାଇଁ ଏକ କଲ୍ୟାଣ ପାଣ୍ଠି ଗଠନ କରିବା ପାଇଁ ସରକାର ପଦକ୍ଷେପ ନିଅନ୍ତୁ ବୋଲି କହିଥିଲେ । ପୂର୍ବତନ ମହିଳା ଆୟୋଗ ଅଧ୍ୟକ୍ଷା ଲୋପାମୁଦ୍ରା ମହାନ୍ତି ମାନବ ଅଧିକାର ବିଷୟକୁ ବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ୍ କରିବାକୁ ଗୁରୁତ୍ୱାରୋପ କରିଥିଲେ । ବରିଷ୍ଠ କଂଗ୍ରେସ ନେତ୍ରୀ ମନୋଜା ମଞ୍ଜରୀ ଦେବୀ ମହିଳାମାନଙ୍କ ଉପରେ ହେଉଥିବା ଉତ୍ପୀଡ଼ନ ସଭ୍ୟ ସମାଜର କଳଙ୍କ ଏହା ମାନବାଧିକାରର ଚରମ ଉଲଙ୍ଘନ ବୋଲି କହିଥିଲେ । ମାନବାଧିକାର କର୍ମୀ ତଥା ବିଜେଡ଼ି ନେତ୍ରୀ ମୀରା ପରିଡ଼ା ସମାଜରେ ସମାନତା ଆସିପାରିଲେ ମାନବାଧିକାର ସୁରକ୍ଷା ହୋଇପାରିବ ବୋଲି କହିଥିଲେ । ଓଡ଼ିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ପ୍ରଥମରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଶିକ୍ଷା ଅଧିକାରକୁ ସରକାର ଗୁରୁତ୍ୱ ଦିଅନ୍ତୁ ବୋଲି ଜୋର ଦେଇଥିଲେ । ସଭାରେ ଅନ୍ୟତମ କଂଗ୍ରେସର ବରିଷ୍ଠ ଅଧିବକ୍ତା ତଥା ପ୍ରଦେଶ କଂଗ୍ରେସର ଉପସଭାପତି ଶିବାନନ୍ଦ ରାୟ କହିଥିଲେ ଯେ, କିପରି ମାନବାଧିକାର କର୍ମୀମାନେ ସାଧାରଣ ଲୋକଙ୍କ ଆଶା ଓ ଭରଷା ହୋଇପାରିବ, ସେ ବିଷୟରେ ବିସ୍ତୃତ ବିବରଣୀ ରଖିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଜିଓଭା ନ୍ୟୁଜର ନିର୍ଦ୍ଦେଶକ ନୃସିଂହ ନାଥ ନନ୍ଦ, ମହିଳା ଅଧିକାର କର୍ମୀ ମମତା ସମାନ୍ତରାୟ, ସାମାଜିକ କର୍ମୀ ଉଷାରାଣୀବେହେରା, ଏକତା ପରିଷଦର ରାଜ୍ୟ ଆବାହକ ବିଜୟ ପ୍ରଧାନ, ମାନବାଧିକାର କର୍ମୀ ଅଶୋକ ଜେନା ଓ ପ୍ରସନ୍ନ ବିଶୋଇ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଉଦ୍‌ଘାଟନ ସମାରୋହ ପରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ମାନବାଧିକାର କର୍ମୀମାନେ ଆଗାମୀ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଆଲୋଚନା କରି କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିଥିଲେ । ପ୍ରାରମ୍ଭରେ ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆର ଆବାହକ ରାଜୀବ ପଟ୍ଟନାୟକ ସ୍ୱାଗତ ଭାଷଣ ସହ ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ । କାର୍ଯ୍ୟକ୍ରମ ସଂଯୋଜକ କଳ୍ପତରୁ ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ରାଜ୍ୟ ଟ୍ରେନିଂ ସଂଯୋଜିକା ଶ୍ରୀମତୀ ମନୀଷା ଦାସ ପଟ୍ଟନାୟକ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଏଚ୍‌.ଆର.ଏଫ୍‌ର ବିଭିନ୍ନ ଜିଲ୍ଲା ସଂଯୋଜିକାମାନେ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ