ଆନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ଦିବସରେ ଡଃ ବିପିନ ବିହାରୀ ମିଶ୍ର ସମ୍ବର୍ଦ୍ଧିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଚଳିତବର୍ଷ ଆନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ଦିବସ ଅବସରରେ ବିଶିଷ୍ଟ ସମାଜସେବୀ ତଥା ମୁମ୍ବାଇ ଓଡ଼ିଆ ସମାଜର ସଭାପତି ଡଃ ବିପିନ ବିହାରୀ ମିଶ୍ର ସ୍ଥାନୀୟ ସିୱାଇଏସ୍ଡ଼ି ସଭାଗୃହରେ ଅନୁଷ୍ଠିତ ଏକ ଉତ୍ସବରେ ସମ୍ବର୍ଦ୍ଧିତ ହୋଇଛନ୍ତି । ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଏହି ସଭାରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଡଃ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।ଡଃ ମିଶ୍ରଙ୍କ ଦ୍ୱାରା ପ୍ରତିଷ୍ଠିତ ସେବା ଅନୁଷ୍ଠାନ ‘ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ’ ଗତ ଦୁଇ ଦଶନ୍ଧି ଧରି ସମାଜ ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ ସୁରକ୍ଷା କ୍ଷେତ୍ରରେ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରି ଆସୁଛି ଏବଂ ଚଳିତବର୍ଷ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରକୃତି ମିତ୍ର ଏବଂ ଡଃ ମିଶ୍ର ପ୍ରକୃତିବନ୍ଧୁ ପୁରଷ୍କାର ଲାଭ କରିଛନ୍ତି । ଏହି ସମ୍ବର୍ଦ୍ଧନା ସଭାରେ ଜାତୀୟ ନିର୍ବାଚନ ଆୟୋଗର ପୂର୍ବତନ ଉପଦେଷ୍ଟା ପ୍ରଫେସର ଭଗବାନ ପ୍ରକାଶ, ସିୱାଇଏସ୍ଡିର ସହ ପ୍ରତିଷ୍ଠାତା ଜଗଦାନନ୍ଦ, ପ୍ରଫୁଲ୍ଲ କୁମାର ସାହୁ, ବିଶିଷ୍ଟ ଗାନ୍ଧିବାଦୀ ଅରୁନ୍ଧତୀ ଦେବୀ, ଟାଟା ସଏସ୍ଆର ମୁଖ୍ୟ ଅମ୍ବିକା ପ୍ରସାଦ ନନ୍ଦ, ଜାତୀୟ ଯୁବ ପ୍ରକଳ୍ପର ମଧୁଭାଇ, ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ଓ ସ୍ୱେଚ୍ଛାସେବୀମାନେ ଯୋଗ ଦେଇଥିଲେ ।


