ଆନ୍ଦୋଳନକୁ ଓହ୍ଲାଇବ ବିଜେପି ନଗର କମିଟି

ବାଲେଶ୍ୱର, (ସରୋଜ ପଣ୍ଡା):ନୂତନ ପୌର ପରିଷଦ ଗଠନକୁ ୮ମାସ ବିତିବାକୁ ବସିଥିବା ବେଳେ ବାଲେଶ୍ୱର ସହରାଞ୍ଚଳ ଉନ୍ନୟନ ମୂଳକ କାର୍ଯ୍ୟରେ ପୌରପାଳିକାର ନିଷ୍କ୍ରିୟତାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ବିଜେପ ନଗର କମିଟି । ଏହି ପିପ୍ରେକ୍ଷୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, କାଉନସିଲର ସତ୍ୟଶିବ ସୁନ୍ଦର ଦାସ, ପୂର୍ବତନ କାଉନସିଲର ଜୟପ୍ରକାଶ ଦାଶ ପ୍ରମୁଖ ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ ପୌରପାଳିକାର ମନ୍ଥର ବିକାଶ ଧାରା ଯୋଗୁଁ ଉପୁଜିଥିବା ସମସ୍ୟା ଓ ତାହାର ନିରାକରଣ ସମ୍ପର୍କରେ ସୂଚନା ଦେଇଥିଲେ । ପୂର୍ବ ପୌର ପରିଷଦ ଭାଙ୍ଗିବାର ସାଢେ ୩ ବର୍ଷରେ ପୌର ନିର୍ବାଚନ ଦ୍ୱାରା ଏକକ ବ୍ୟକ୍ତି ପରିଚାଳିତ ପୌରପରିଷଦ ସମାପ୍ତି ସହ ନୂତନ ପରିଷଦ ଗଠନ ହୋଇଥିଲା । ମାତ୍ର ଅଧିକାରୀଙ୍କ ଉଦାସୀନତା ଯୋଗୁଁ ପରିଷଦରେ ଗୃହୀତ ପ୍ରସ୍ତାବ କାର୍ଯ୍ୟକାରିତାରେ ସ୍ଥାଣୁ ଅବସ୍ଥା ସୃଷ୍ଟି ହୋଇଛି । ଦୀର୍ଘବର୍ଷ ଧରି ସ୍ଥାୟୀ ନିର୍ବାହୀ ଅଧିକାରୀ ନିଯୁକ୍ତିରେ ରାଜ୍ୟ ସରକାରଙ୍କ ଖାମଖିଆଲି ନୀତି ଯୋଗୁଁ ପୌରପାଳିକାର କାର୍ଯ୍ୟ ପରିସର କ୍ରମଶଃ ସଙ୍କୁଚିତ ହେବାରେ ଲାଗିଛି । ଫଳରେ ପ୍ରତିଟି କ୍ଷେତ୍ରରେ ଜଟିଳ ସ୍ଥିତି ପରିଲକ୍ଷିତ ହୋଇଛି ବୋଲି ବିଜେପି କର୍ମକର୍ତ୍ତାମାନେ ଆରୋପ କରିଛନ୍ତି । ନିର୍ବାଚିତ କାଉନସିଲରମାନେ ପୌର ପରିଷଦ ବୈଠକରେ ୱାର୍ଡର ସମସ୍ୟା ନେଇ ବାରମ୍ବାର ସ୍ୱର ଉତ୍ତୋଳନ କରିବା ସତ୍ତ୍ୱେ ଏହାର ସ୍ଥାୟୀ ସମାଧାନ ବାବଦରେ କିଛି ବ୍ୟବସ୍ଥା କରାଯାଉ ନାହିଁ । ପ୍ରତିମାସ ନିର୍ବାହୀ ଅଧିକାରୀ ବଦଳ ହେବା ଫଳରେ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ସମେତ ପୌରାଧ୍ୟକ୍ଷା, ଉପାଧ୍ୟକ୍ଷ ଏମିତିକି କାଉନସିଲରଙ୍କ ମଧ୍ୟରେ ସମନ୍ୱୟ ରହୁନାହିଁ । ତୁରନ୍ତ ସ୍ଥାୟୀ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତି, ପରିଷଦ ବୈଠକରେ ଗୃହୀତ ପ୍ରସ୍ତାବ ଅନୁଯାୟୀ ୱାର୍ଡଗୁଡ଼ିକର ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିବା, ସହରର ପରିମଳ ବ୍ୟବସ୍ଥା ସଠିକ୍ ଢଙ୍ଗରେ ପରିଚାଳନା ପାଇଁ ନୂତନ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିବା, ଅଚଳ ଷ୍ଟ୍ରିଟ ଲାଇଟ୍‌ର ମରାମତି ସହ ନୂତନ ଲାଇଟ ଲଗାଇବା, ପାନୀୟ ଜଳ ସମସ୍ୟାର ଆଶୁ ସମାଧାନ କରିବା ଓ ସହରରେ ନୂତନ ଟାଉନ ବସ ଚଳାଚଳ ପାଇଁ ବିଜେଡି ନେତାମାନେ ଏହି ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି । ଏଥି ପ୍ରତି ପୌର କର୍ତ୍ତୃପକ୍ଷ, ପ୍ରଶାସନ ଓ ରାଜ୍ୟ ସରକାର ତୁରନ୍ତ ଉଚିତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ନଗର କମିଟି ଆନ୍ଦୋଳନମୁଖୀ ହେବ ବୋଲି କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି । ରୋଜାଲିନ୍ ପାଣି, ଗୋରୀ ଦାଶ, ସସ୍ମିତା ନାଥ, ପ୍ରତିମା ବେହେରା, ନିରୂପମା ଦାଶ, ସୁଚିସ୍ମିତା ପଣ୍ଡା, ଭାରତୀ ପାତ୍ର, ନିତ୍ୟଗୋପାଲ ସିଂ ପ୍ରମୁଖ କାଉନସିଲରଙ୍କ ସମେତ ବିଜେପି ମିଡିଆ ସହ ସଂଯୋଜକ ଅରୂପ ଜେନା, ପୂର୍ବତନ କାଉନସିଲର ସଂଯୁକ୍ତା ମହାପାତ୍ର, କାର୍ତ୍ତିକ ନାଥ, ବିବେକାନନ୍ଦ ମହାନ୍ତି, ଶୈଳେନ୍ଦ୍ର ଦାସ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ