ଆନ୍ଦୋଳନ କରିବ ଜନଜାଗରଣ ସମିତି

ବାଲେଶ୍ୱର, (ସରୋଜ ପଣ୍ଡା) :ଦୀର୍ଘଦିନର ଦାବି ପରେ ବି ପୁଲିସ ହାଇସ୍କୁଲ ଛକ-କେନ୍ଦ୍ରୀୟ ବିଦ୍ୟାଳୟ ଛକ ରାସ୍ତାର ପୂତ୍ତ ବିଭାଗ-୧ କାର୍ଯ୍ୟାଳୟ ଛକରୁ ଖପରାପଦା ପାଣି ପମ୍ପହାଉସ ପର୍ଯ୍ୟନ୍ତ ଅଣଓସାରିଆ ରାସ୍ତା ସମ୍ପ୍ରସାରଣ ନହେବାକୁ ନେଇ ସ୍ଥାନୀୟ ଅଞ୍ଚଳ ବାସିନ୍ଦାଙ୍କ ସମେତ ‘ଜନଜାଗରଣ ସମିତି’ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏ ବାବଦରେ ତୁରନ୍ତ ଉଚିତ ପଦକ୍ଷେପ ନିଆ ନ ଗଲେ ଆଗାମୀ ଦିନରେ ଜନସାଧାରଣ ବ୍ୟାପକ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଂଗଠନର କର୍ମକର୍ତ୍ତାମାନେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ରବିବାର ଅପରାହ୍ଣରେ ପୂର୍ତ୍ତ ବିଭାଗ-୧ କାର୍ଯ୍ୟାଳୟ ପାଶ୍ୱର୍ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜନଜାଗରଣ ସମିତିର ସଭାପତି ସନ୍ତୋଷ କୁମାର ସାହୁ ଓ ସମ୍ପାଦକ ମହମ୍ମଦ ଇକବାଲଙ୍କ ସମେତ ସ୍ଥାନୀୟ ଅଧିବାସୀମାନେ ଯୋଗଦେଇ ଏହି ରାସ୍ତା ସଂପ୍ରସାରଣରେ ବିଭାଗୀୟ ଅବହେଳା ସମ୍ପର୍କରେ ସୂଚନା ଦେଇଥିଲେ । ପୂତ୍ତ ବିଭାଗ-୧ କାର୍ଯ୍ୟାଳୟ ଛକରୁ ଖପରାପଦା ପାଣି ପମ୍ପହାଉସ ପର୍ଯ୍ୟନ୍ତ ରାସ୍ତା ଅଣଓସାରିଆ ରାସ୍ତାରେ ଚାରିଚକିଆ ଯାନଟି ଗଲେ ଦୁଇଚକିଆ ଯାନ ଆରୋହୀଙ୍କ ପାଇଁ ବିପଦ ହୋଇଛି । ଏମିତିକି ଜରୁରୀକାଳୀନ ସମୟରେ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡ଼ି ଯାଇପାରୁନାହିଁ । ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ସ୍ଥାନୀୟ ବାସିନ୍ଦା ଦୀର୍ଘଦିନ ଧରି ଦାବି କରିଆସୁଛନ୍ତି । ପୂର୍ତ୍ତ ବିଭାଗର ପଛପଟ ପ୍ରାଚୀରକୁ ମାତ୍ର ୪/୫ଫୁଟ ଘୁଞ୍ଚାଇ ଦିଆଗଲେ ଏହି ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ ବୋଲି ବିଭାଗୀୟ ଅଧିକାରୀଙ୍କୁ ମୌଖିକ ଓ ଲିଖିତଭାବେ ଅନୁରୋଧ କରାଯାଇଥିଲା । ଏନେଇ ୨୦୨୧ ମସିହା ମାର୍ଚ୍ଚ ୨୧ ତାରିଖରେ ବାଲେଶ୍ୱର ବିଧାୟକଙ୍କ ଉପସ୍ଥିତିରେ ସ୍ଥାନୀୟ ସର୍କିଟ ହାଉସରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମଧ୍ୟ ଅବଗତ କରାଯାଇଥିଲା । ସବୁ ପରେ ମଧ୍ୟ ଏନେଇ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆ ନଯିବା ଦୁର୍ଭାଗ୍ୟର ବିଷୟ ବୋଲି ଜନଜାଗରଣ ସମିତି ପକ୍ଷରୁ ଆରୋପ କରାଯାଇଛି । ଆଗାମୀ ଦିନରେ ଉଚତ ପଦକ୍ଷେପ ଗ୍ରହଣ କରା ନ ଗଲେ ସଂଗଠନର ନେତୃତ୍ୱରେ ସ୍ଥାନୀୟ ବାସିନ୍ଦା ଆନ୍ଦୋଳନକୁ ଓହ୍ଲାଇବେ ବୋଲି କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅନ୍ତର୍ଯ୍ୟାମୀ ପ୍ରଧାନ, ଭବଶଙ୍କର ପାଣିଗ୍ରାହୀ, ମନୋରଞ୍ଜନ ପୃଷ୍ଟି, ଗଜେନ୍ଦ୍ର ପଣ୍ଡା, ମନୋରଞ୍ଜନ ଦାସ, ମଦନ ମୋହନ ପଣ୍ଡା, ସୁବ୍ରତ କର, ପରମାନନ୍ଦ ପଣ୍ଡା, ସଞ୍ଜୀତ କୁମାର ପତି, ସାମାଜିକକର୍ମୀ ଗୌରାଙ୍ଗ ପାଣିଗ୍ରାହୀଙ୍କ ସମେତ ଶତାଧିକ ସ୍ଥାନୀୟ ଅଧିବାସୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ