ଆନ୍ଧାରର ଏକ ଘଣ୍ଟା ପରେ ପାରଳାରେ ଜଳୁଛି ଷ୍ଟ୍ରିଟଲାଇଟ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ସନ୍ଧ୍ୟାବେଳେ ବହୁ ବିଳମ୍ବରେ ଷ୍ଟ୍ରିଟଲାଇଟ ଜଳୁଥିବାର ଦେଖିବାକୁ ମିଳୁଛି । ଶୀତ ଦିନ ଆଗମ ହୋଇଯାଇଥିବାରୁ ପୂର୍ବରୁ ଯଥା ସନ୍ଧ୍ୟା ୫.୩୦ମିନିଟ ସମୟରେ ଅନ୍ଧାର ହୋଇଯାଉଥିବା ବେଳେ ସନ୍ଧ୍ୟା ୬.୩୦ମିନିଟ ସମୟ ପରେ ଷ୍ଟ୍ରିଟଲାଇଟ ଯୋଗାଣ ହେଉଛି । ଏହି ସମୟରେ ସମଗ୍ର ସହର ଅନ୍ଧକାର ଘେରରେ ରହୁଥିବାର ପରିଲିକ୍ଷିତ ହେଉଛି । ଇତି ମଧ୍ୟରେ ବିଶେଷ କରି ମହିଳା ଓ ବୃଦ୍ଧ ବୃଦ୍ଧାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଗତକାଲି ପବିତ୍ର କାର୍ତ୍ତିକମାସର ଶେଷ ଦିନ ହୋଇଥିଲେ ମଧ୍ୟ ଏପରି ପରିସ୍ଥିତି ଲକ୍ଷ୍ୟ କରାଯାଇଥିଲା । ବୃଦ୍ଧ ବୃଦ୍ଧା ଓ ମହିଳାମାନେ କାର୍ତ୍ତିକ ମାସ ଅବସରରେ ବିଭିନ୍ନ ମନ୍ଦିରକୁ ଯିବା ଆସିବା ବେଳେ ଛୋଟବଡ ଦୁର୍ଘଟଣାର ସମ୍ମୁଖୀନ ହେଉଥିବାର ନଜିର ରହିଛି । ସେହିପରି ଟିୟୁସନ ଯିବା ଆସିବା କରୁଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅପରପକ୍ଷରେ ପୌରପରିଷଦ ପକ୍ଷରୁ ଷ୍ଟ୍ରିଟଲାଇଟ ଜଳିବାପାଇଁ ଯେଉଁ ଟାଇମର ଲଗାଇଛନ୍ତି ତାହାର ସଠିକ ସଦୁପଯୋଗ ନ କରିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବାର ଜଣାପଡିଛି । ଜିଲ୍ଲାର ଏକ ମାତ୍ର ପୌରପରିଷଦ ହୋଇଥିଲେ ହେଁ ଏଠାରେ ଆଲୋକବ୍ୟବସ୍ଥାର ସୁପରିଚାଳନା ହେଉନାହିଁ । ସେହିପରି ସହରର ବିଭିନ୍ନ ପ୍ରମୁଖ ଛକ ତଥା ପୁରୁଣାକୋର୍ଟ ଛକ, ସିନେମାହଲ ଛକ, ବାଟଗୌଡସାହି ଛକ, ରାମନଗର ଛକ ଆଦି ଠାରେ ଆଦୈ ଆଲୋକ ବ୍ୟବସ୍ଥା ନଥିବାର ପରିଲିକ୍ଷିତ ହୋଇଛି ।