ଆନ୍ଧ୍ରକୁ ଗୋରୁ ଚାଲାଣବେଳେ ଗୋଟିଏ ବଳଦ ମୃତ, ୨ ଟି ଗୁରୁତର ୩ ଗୋଟି ଭ୍ୟାନ ଜବତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନାରୁ ପଡ଼ୋଶୀ ରାଜ୍ୟ ଆନ୍ଧ୍ରକୁ ଗୋରୁ ଚାଲାଣ ରାକେଟ ସକ୍ରିୟ ହୋଇଉଠିଛନ୍ତି. ପ୍ରାୟ ପ୍ରତେକ ସପ୍ତାହର ୨/୩ ଦିନକୁ ଠାରେ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆନ୍ଧ୍ର ଓ ବାହାର ରାଜ୍ୟକୁ ଗୋମାଂସ ଭକ୍ଷଣ ପାଇଁ ଗୋରୁ ଚାଲାଣ ଚାଲିଛି. ଏହି ଜିଲ୍ଲାର ରାୟଗତ ଥାନା ଅଧୀନ ଜିରାଙ୍ଗ ଘାଟି ନିକଟରେ ବୁଧବାର ଦିନ ବଜରଙ୍ଗ ଦଳ କର୍ମୀମାନେ ତିନି ଗୋରୁ ବୋଝେଇ ଭ୍ୟାନକୁ ଅଟକାଇଛନ୍ତି। ଏହି ୩ ଗୋଟି ଭ୍ୟାନରୁ ପ୍ରାୟ ୬୭ଟି ଗୋରୁ ଉଦ୍ଧାର କରାଯାଇଛି। ଗୋଟିଏ ବଳଦର ମୃତ୍ୟୁ ହୋଇଥିବା ବେଳେ ଦୁଇଟି ଗୋରୁ ଗୁରୁତର ଥିବା ଜଣାପଡ଼ିଛି। ରାୟଗତ ପୁଲିସ ତିନିଟି ଗୋରୁ ବୋଝେଇ ଭ୍ୟାନକୁ ଜବତ କରିଥିବା ଏସ୍ଆଇ କୃଷ୍ଣ ଚନ୍ଦ୍ର ମଲ୍ଲିକ କହିଛନ୍ତି। ସେହିପରି ରା.ଉଦୟଗିରିରେ ରଣ୍ଡିବା ଗ୍ରାମବାସୀ ଗୋଟିଏ ଗୋରୁ ବୋଝେଇ ଟ୍ରକ୍ ଅଟକାଇ ପୁଲିସରେ ଜିମା ଦିଆଯାଇଛି. ବୁଧବାର ସକାଳୁ ମୋହଳା ଥାନା ଅଞ୍ଚଳରେ ବାହାର ରାଜ୍ୟ ନମ୍ବର ୩ଟି ଭ୍ୟାନ୍ରେ ( ଟିଏମ୍୭୦ ଏକେ ୬୩୯୪, ଟିଏନ୍ ୨୪ ବିତି ୯୯୨୦, ଜେଏ ୪୧ ଡି ୨୩୮୫) ଗୋରୁ ଭର୍ତି ହୋଇ ଯାଉଥୁବା ବଜରଙ୍ଗ ଦଳ କର୍ମୀମାନେ ସୂଚନା ପାଇଥିଲେ। କର୍ମୀମାନେ ଗାଡ଼ି ପିଛା କରି ଜିରାଙ୍ଗ ଘାଟି ନିକଟରେ ଅଟକାଇ ପୁଲିସକୁ ସୂଚନା ଦେଇଛନ୍ତି। ଏସ୍ଆଇ କୃଷ୍ଣଚନ୍ଦ୍ର ମଲ୍ଟିକ ଗୋରୁ ବୋଝେଇ ଭ୍ୟାନ ଜବତ କରିଛନ୍ତି। ଦୁଇ ଗୋରୁ ଗୁରୁତର ଥିବା ବେଳେ ଭ୍ୟାନ ଭିତରେ ଦଳାଚକଟରେ ଗୋଟିଏ ବଳଦର ମୃତ୍ୟୁ ହୋଇଥୁବା ସହକାରୀ ପ୍ରାଣୀ ଚିକିତ୍ସକ ଡ. ଲିମା ମହାନ୍ତି କହିଛନ୍ତି। ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ ଉକ୍ତ ଗାଡ଼ିର ଡ୍ରାଇଭର ତାମିଲନାଡୁର ଧାର୍ମିନପୁର ଅଞ୍ଚଳର ଜଣଙ୍କୁ, ବେଙ୍ଗାଲୁରୁ ଜଣଙ୍କୁ ଏବଂ ଖୋର୍ଦ୍ଧା ଜଟଣିର ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ବଜରଙ୍ଗ ଦଳ ଜିଲ୍ଲା ମିଳନ କେନ୍ଦ୍ର ପ୍ରମୁଖ ପବିତ୍ର ରଇତ ରାୟଗତ ଥାନାରେ ଅଭିଯୋଗ କରିଛନ୍ତି। ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦର କାର୍ଯ୍ୟ କାର୍ଯ୍ୟକାରିଣୀ ସଭାପତି ଲୋକନାଥ ମିଶ୍ର, ଜିଲ୍ଲା ବଜରଙ୍ଗୀ ଦଳର ସଭାପତି ନାଗେଶ ମହାପାତ୍ର, ନଗର ସଭାପତି ରବୀନ ସାହୁକାର, ନଗର ଗୋସୁରକ୍ଷା ସଂଯୋଜକ ନୀଳାମ୍ବର ପ୍ରଧାନ ପ୍ରମୁଖ ଗୋ ଚାଲାଣ ରୋକିବାରେ ସାମିଲ ହୋଇଥିଲେ । ସେହିପରି ଗୋଟିଏ ଗୋରୁ ବୋଝେଇ ଟ୍ରକ୍କୁ ରା.ଉଦୟଗିରି ବ୍ଳକ୍ ରଣ୍ଡିବା ଗ୍ରାମବାସୀ ଅଟକାଇ ପୁଲିସର ଜିମା ଦେଇଛନ୍ତି। କିଛି ଦିନ ତଳେ ପରିବହନ ତଥା ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ରା.ଉଦୟଗିରିରେ ଗୋଚାଲାଣ ରୋକିବା ସହ ଯେପରି ପୁଣି ନହେବ ସେଥିପ୍ରତି ଦୃଷ୍ଟି ଦେବାକୁ କହିଥିଲେ । କିଛି ଦିନ ପରେ ପୁଣି ଗୋଚାଲାଣ ଘଟଣା ନଜରକୁ ଆସିଥିବା ବେଳେ ଚର୍ଚ୍ଚାର ବିଷୟ ହୋଇଛି । ଏହି ଗୋଚାଲାଣର ଫେରାର ଥିବା ମୁଖ୍ୟ ଆସାମୀ ସହ ଏଥିରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି.