ଆନ୍ଧ୍ରର ୩ ପଜିଟିଭ୍ ସଂସ୍ପର୍ଶରେ ଆସିଥିବା ଗଜପତିର ୩୦ଜଣଙ୍କ ସ୍ୱାବ୍ ପରୀକ୍ଷା ପାଇଁ ପଠାଗଲା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରର ସୀମାନ୍ତରେ ମାତ୍ର କିଛି ଦୁରରେ ଥିବା ଆନ୍ଧ୍ରର ପୁରୁଣାପାଟଣା ମଣ୍ଡଳରେ ୩ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଗଜପତି ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ୩ଜଣଙ୍କ ସଂସ୍ପର୍ଶରେ ଆସିଥିବା ଗଜପତିର ପାରଳାଖେମୁଣ୍ଡି ସହର ଓ କାଶୀନଗର ବ୍ଲକର ୩୦ଜଣଙ୍କ ସ୍ୱାବ୍ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି । ଗଜପତି ଜିଲ୍ଲାପାଳ ଅନୁପମ ଶାହା ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ରହି ସମସ୍ତ ଅନୁଧ୍ୟାନ କରି ଉଚିତ ପଦକ୍ଷେପ ନେବା ପାଇଁ ସ୍ୱାସ୍ଥ୍ୟ ବିଭାଗ,ଦମକଳ ବାହିନୀ,ପୋଲିସ ଓ ପୌରପରିଷଦର କର୍ମକର୍ତ୍ତାଙ୍କୁ ନିର୍ଦ୍ଦେଶ ଦେଉଛନ୍ତି । ଏଗୁଡିକ ଠିକ୍ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ପୁଣି ଜିଲ୍ଲାପାଳ ନିଜେ ୨ୟ ଥର ପାଇଁ ଅନୁଧ୍ୟାନ କରୁଛନ୍ତି । ଜିଲ୍ଲାପାଳଙ୍କ ଏ ଭଳି କଡାକଡି ନିର୍ଦ୍ଦେଶକୁ ସମସ୍ତ ସରକାରୀ କର୍ମଚାରୀମାନେ ଠିକ୍ ଭାବେ ପାଳନ କରୁଥିବା ଦେଖାଦେଇଛି । ଆନ୍ଧ୍ରର ପୁରୁଣାପାଟଣା ମଣ୍ଡଳରେ ୩ କରୋନା ପଜିଟିଭ୍ଙ୍କ ସହ ଏକ ବିବାହ ଭୋଜିରେ ପାରଳାଖେମୁଣ୍ଡି ସହର ଓ କାଶୀନଗର ବ୍ଲକର ୬ ଗୋଟି ପରିବାରର ୩୦ଜଣ ସଦସ୍ୟ ଗତକିଛି ଦିନ ତଳେ ସଂସ୍ପର୍ଶରେ ଆସିଥିଲେ । ଏହି ବିଷୟ ଜଣାଯିବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏହି ୩୦ଜଣଙ୍କ ଠାରୁ ସ୍ୱାବ୍ ସଂଗ୍ରହ କରାଯାଇ ପଠାଯାଇଛି । ଏହାର ରିପୋର୍ଟ ପାଇଁ ଅପେକ୍ଷା କରାଯାଇଛି । ଏହି ୩୦ଜଣଙ୍କ ମଧ୍ୟରୁ ଅଧିକ ଜଣଙ୍କୁ ବର୍ତ୍ତମାନ ସରକାରୀ ଇନ୍ଷ୍ଟିଉସିନାଲ କରାଣ୍ଟାଇନ୍ କେନ୍ଦ୍ରରେ ରଖାଯାଇଛି । ଅନ୍ୟଙ୍କୁ ହୋମ୍ କରାଣ୍ଟାଇନ୍ରେ ରଖାଯାଇଛି । ସମସ୍ତଙ୍କ ଗତିବିଧି ପ୍ରତି ସ୍ୱାସ୍ଥ୍ୟ ବିଭାଗ ଟିମ୍ ସ୍ୱତନ୍ତ୍ର ଦୃଷ୍ଟି ରଖିଛନ୍ତି ଏବଂ ଏହାର ରିପୋର୍ଟ ଜିଲ୍ଲା ପ୍ରଶାସନକୁ ଦେଉଛନ୍ତି । ଏ ନେଇ ଜିଲ୍ଲାପାଳ ଅନୁପମ ଶାହା ସାଧାରଣଙ୍କ ସହଯୋଗ କାମନା କରି କହିଛନ୍ତି,କୌଣସି ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ । ସାଧାରଣଙ୍କ ସମସ୍ତ ସୁରକ୍ଷା ପାଇଁ ପ୍ରଶାସନ ସବୁ କିଛି ପଦକ୍ଷେପ ଗ୍ରହଣ କରି ଆସୁଛନ୍ତି । ସମସ୍ତେ ଲକ୍ଡାଉନ୍ ନିୟମକୁ ମାନି ନିଜ ନିଜର ଘରେ ସୁରକ୍ଷିତ ରୁହନ୍ତୁ ।


