ଆନ୍ଧ୍ର ଚାଲାଣ ବେଳେ ଓଲଟିଲା ବାଲି ବୋଝେଇ ଟ୍ରକ : ଚାଳକ ଗୁରୁତର
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ଶୁକ୍ରବାର ଭୋରରେ ଏକ ୧୪ ଚକିଆ ବାଲି ବୋଝେଇ ଟ୍ରକ (ଏପି୨୬ ଟିକେ ୩୫୬୬) ହିଞ୍ଜିଳି ଥାନା ତଥା ୫୯ ନମ୍ବର ଜାତୀୟ ରାଜପଥ ହିଞ୍ଜିଳିକାଟୁ ସହର ନିକଟସ୍ଥ ପେଟ୍ରୋଲ ପମ୍ପ ଛକ ନିକଟରେ ନିୟନ୍ତ୍ରଣ ହରାଇ ରାସ୍ତା ପାର୍ଶ୍ବକୁ ଓଲଟି ପଡିଛି । ଦୂର୍ଘଟଣାରେ ଟ୍ରକ୍ ଚାଳକ ଆସିକା ଥାନା କଲେଜ ଛକ ଅଞ୍ଚଳର ଅମିତ କୁମାର ପାଢି (୩୧) ଗୁରୁତର ଆହତ ହୋଇଛନ୍ତି । କିଛି ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ପ୍ରକାଶ ଥାଉକି, ସମ୍ପୃକ୍ତ ଟ୍ରକଟି ଆସିକା ଋଷିକୂଲ୍ୟା ନଦୀରୁ ବାଲି ନେଇ ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାଉଥିବା ବେଳେ ହିଞ୍ଜିଳିକାଟୁ ପେଟ୍ରୋଲ ପମ୍ପ ଛକ ନିକଟରେ ରାସ୍ତା ପାର୍ଶ୍ବକୁ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ରାତ୍ର ୧ ଘଣ୍ଟା ଠାରୁ ଭୋର ପ୍ରାୟ ସାଢ଼େ ୩ ଟା ମଧ୍ୟରେ ବାଲି ଚାଲାଣ ସମୟରେ ଏଭଳି ଦୁର୍ଘଟଣା ଘଟିଥିବା କିଛି ପଥଚାରୀଙ୍କ ଠାରୁ ସୂଚନା ମିଳିଛି।ଖବର ଲେଖା ହେବା ସୁଦ୍ଧା ଘଟଣା ନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ ।