ଆନ୍ଧ୍ର ଚାଷୀ କବ୍ଜାରେ ଓଡିଶା ଚାଷୀର ଜମି : ଦୀର୍ଘ ୪୦ ବର୍ଷର ଓଡିଶା-ଆନ୍ଧ୍ର ଜମି ବିବାଦ, ପୁଣି ଜିଲ୍ଲପାଳଙ୍କ ଦ୍ୱାରସ୍ଥ ହେଲେ ଚାଷୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଆନ୍ଧ୍ର ସୀମାନ୍ତରେ ଗଜପତି ଜିଲ୍ଲା ରହିଛି । ଏହାର ସୁଯୋଗରେ ଆନ୍ଧ୍ରର କିଛି ଶକ୍ତିଶାଳୀ ଜମିମାଫିଆ ଆନ୍ଧ୍ର ରାଜସ୍ୱ ଅଧିକାରୀଙ୍କ ସହାୟତାରେ ଓଡିଶାର ଗରୀବ ଚାଷୀଙ୍କ ଜମିକୁ ଆନ୍ଧ୍ର ସୀମାରେ ଥିବା ଦର୍ଶାଇ ଦୀର୍ଘ ୪୦ ବର୍ଷ ଧରି ଦଖଲରେ ରଖିଛନ୍ତି । ଓଡିଶା ତଥା ଗଜୁପତି ଜିଲ୍ଲାର ଏହି ଗରୀବ ଚାଷୀମାନେ ଗତ ୪୦ବର୍ଷ ମଧ୍ୟରେ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ସେମାନଙ୍କ ଚାଷ ଜମି ଫେରି ପାଇବା ପାଇଁ । ତଥାପି ଆଜି ସୁଦ୍ଧା ଗଜପତିର ଚାଷୀକୁ କୌଣସି ନ୍ୟାୟ ମିଳିନାହିଁ । ଏହି ନ୍ୟାୟ ଭିକ୍ଷାକରି ପୁଣି ଗଜପତି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଏହି ଚାଷୀମାନେ । ଘଟଣାରୁ ପ୍ରକାଶ, ଦୀର୍ଘ ୪୦ ବର୍ଷ ଧରି ଓଡିଶାର ଗଜପତି ଓ ଆନ୍ଧ୍ରର ଶ୍ରୀକାକୁଲମ୍ ଜିଲ୍ଲା ସୀମାନ୍ତରେ ଥିବା ଚେରିଗୁଡି ଖାସ୍ପା ଅଞ୍ଚଳର ଚାଷ ଜମିର ମାଲିକାନା ନେଇ ବିବାଦ ରହି ଆସିଛି । ଏହି ବିବାଦର ସମାଧାନ ପାଇଁ ଉଭୟ ଗଜପତି ଓ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାର ରାଜସ୍ୱ ବିଭାଗ ଅଧିକାରୀମାନେ ଉଭୟ ରାଜ୍ୟର ମ୍ୟାପ୍କୁ ଦେଖି ଜମି ଚିହ୍ନଟ କରିଛନ୍ତି । ତଥାପି ଆନ୍ଧ୍ର ଚାଷୀଙ୍କ ଜୁଲମ ଯୋଗୁଁ ଏହି ବିବାଦ ତୁଟିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଘଟଣାରୁ ପ୍ରକାଶ,ଗତ ୪୦ବର୍ଷରୁ ଉର୍ଦ୍ଧ ହେଲା ପାରଳାଖେମୁଣ୍ଡି ତହସିଲ,କାଶୀନଗର ତହସିଲ ଓ ଆନ୍ଧ୍ରର ଶ୍ରୀକାକୁଲମ୍ ତହସିଲ ୩ଗୋଟି ତହସିଲର ସଂଯୋଗ ସ୍ଥଳୀ ଆନ୍ଧ୍ରର ଏସ.କାବିଟି ଗ୍ରାମ ନିକଟରେ ୧୨ଏକର ଚାଷ ଜମି ରହିଆସିଛି । ଏହି ୧୨ଏକର ଚାଷ ଜମିକୁ ନେଇ ଗଜପତି ଓ ଆନ୍ଧ୍ରର ଶ୍ରୀକାକୁଲମ୍ ଚାଷୀମାନଙ୍କ ମଧ୍ୟରେ ଦୀର୍ଘ ୪୦ବର୍ଷ ଧରି ବହୁ ବିବାଦ ରହିଆସିଛି । ଗତ ୪୦ବର୍ଷ ହେଲା ପ୍ରତ୍ୟେକ ବର୍ଷ ଆନ୍ଧ୍ରର ଶ୍ରୀକାକୁଲମର ଚାଷୀମାନେ ଜବରଦସ୍ତି ବଳପୂର୍ବକ ଏହି୧୨ ଏକର ଚାଷ ଜମିରୁ ବିଭିନ୍ନ ଫସଲ କାଟି ନେଉଥିଲେ । ଏ ନେଇ ଓଡିଶା ଚାଷୀମାନଙ୍କର ବାରମ୍ବାର ନିବେଦନ ଓ ଫସଲ କଟାକୁ ବିରୋଧ ସତ୍ୱେ ଆନ୍ଧ୍ର ଚାଷୀମାନେ ବଳପୁର୍ବକ ଭାବେ ଫସଲକୁ କାଟି ନେଉଥିଲେ । ବିବାଦ ଦିନକୁ ଦିନ ବଢି ଚାଲିଥିଲେ ସୁଦ୍ଧା ଉଭୟ ରାଜ୍ୟର ପ୍ରଶାସନ କୌଣସି ପ୍ରତିକାର କରୁ ନ ଥିଲେ । ପରିଶେଷରେ ୧୦ମାସ ପୂର୍ବେ ତତ୍କାଳୀନ ଜିଲ୍ଲାପାଳ ଅନୁପମ ସାହା ହସ୍ତକ୍ଷେପ କରି ଉଭୟ ଗଜପତି ଓ ଶ୍ରୀକାକୁଲମ ଜିଲ୍ଲା ପ୍ରଶାସନର ମିଳିତ ଅନୁଧ୍ୟାନ ଓ ମାପଚୁପ କରି ଜମିକୁ ଚିହ୍ନଟ କରିବା ସହ ଓଡିଶାର ଚାଷୀଙ୍କ ଜମିରେ ସେମାନଙ୍କ ମାଲିକାନା ଜାହିର କରିବାପାଇଁ ପଦକ୍ଷେପ ଗ୍ରହଣ କରିଥିଲେ ମଧ୍ୟ ଏହା ଆଜି ଯାଏ ସମାଧାନ ହୋଇପାରନି । ତେଣୁ ଉକ୍ତ ଚେରିଗୁଡି ଖାସ୍ପା ଅଞ୍ଚଳର ଚାଷୀମାନେ ପୁଣି ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି । ସେମାନେ କହିଛନ୍ତି ଯେ, ଏହି ମାମଲାର ସମାଧାନ ପାଇଁ ପୂର୍ବତନ ଜିଲ୍ଲାପାଳ ବିଭିନ୍ନ ପଦକ୍ଷେପ ନେଇଥିଲେ ସୁଦ୍ଧା ଆଜି ଯାଏଁ ତା ହାର ସମାଧାନ ହୋଇପାରିନି । ଏବେବି ଆନ୍ଧ୍ରର ଚାଷୀମାନେ ଉକ୍ତ ୧୨ଏକର ଚାଷ ଜମିରେ ନିଜର ଦବଦବା ଜାହିର କରିବା ସହ ଫସଲ ଆଦାୟ କରିଚାଲିଛନ୍ତି । ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଲେ ଓଡିଶାର ଜମି ଓଡିଶାକୁ ଫେରିବ ବୋଲି ଏମାନେ ଜଣାଇଛନ୍ତି ।