ଆନ୍ଧ୍ର ଫେରିଥିବା ମହାବଳ ବାଘ ଫୁଣି ଫେରିଲା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଛାଡି ଗତ ଶନିବାର ଦିନ ଆନ୍ଧ୍ରକୁ ଚାଲି ଯାଇଥିବା ମହାବଳ ବାଘଟି ପୁଣି ଫେରିଥିବା ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି. ଏହି ମହାବଳ ବାଘଟି ପାରଳାଖେମୁଣ୍ଡି ସହର ଠାରୁ ମାତ୍ର ୧୦ କିମି ଦୂରରେ ଥିବା ବାଘଶଳା ଗ୍ରାମରେ ବୁଲୁଥିବା ଗ୍ରାମବାସୀମାନେ ଦେଖିଥିବା ସୂଚନା ମିଳିଛି. ଏହି ଅଞ୍ଚଳଟି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ନିକଟସ୍ତ ହୋଇଥିବାରୁ ମହାବଳ ବାଘଟି ପାରଳା ସହର ମୁହାଁ ହୋଇଥିବା ସ୍ପଷ୍ଟ ହୋଇଛି. ଏଥିସହ ବର୍ତ୍ତମାନ ମହାବଳ ବାଘ ବିଚରଣ କରିଥିବା ବାଘଶଳା ଗ୍ରାମ ଠାରୁ ଓଡିଶା – ଆନ୍ଧ୍ରରେ ପ୍ରଖ୍ୟାତ ଥିବା ଗଣ୍ଡାହାତୀ ଜଳ ପ୍ରପାତ ପର୍ଯ୍ୟଟନ ସ୍ଥଳୀ ମାତ୍ର ୬ କିମି ଦୂରରେ ରହିଛି. ଏଠାକୁ ପ୍ରତେକ ଦିନ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି. ଗଣ୍ଡାହାତୀ ଜଳ ପ୍ରପାତ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଅତ୍ୟନ୍ତ ମନରୋମ ସ୍ଥଳୀ ଅଟେ. ହେଲେ ପାହାଡ଼ ପର୍ବତ ଘେରା ବନାଞ୍ଚଳରେ ଏହି ପର୍ଯ୍ୟଟନ ସ୍ଥଳୀ ରହିଛି. ହଜାର ହଜାର ପର୍ଯ୍ୟଟକ ଏଠାକୁ ଆସି ବନ ପାହାଡ଼ ଘେରା ଏହି ଅଞ୍ଚଳରେ ବିଚରଣ କରୁଛନ୍ତି. ବର୍ତ୍ତମାନ ମହାବଳ ବାଘଟି ଏହି ପର୍ଯ୍ୟଟନ ସ୍ଥଳୀରୁ ମାତ୍ର ୬ କିମି ଦୂରରେ ବିଚରଣ କରୁଛି. ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପ୍ରଶାସନ, ବନ ବିଭାଗ ବିହିତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ରହିଛି. ପାରଳାଖେମୁଣ୍ଡି ଡ଼ିଏଫଓ ଏସ. ଆନନ୍ଦଙ୍କ ନିର୍ଦେଶକ୍ରମେ ବନ ବିଭାଗର ଏକ ଟିମ ଲୋକଙ୍କ ଅଭିଯୋଗ ଅନୁଯାୟୀ ବର୍ତ୍ତମାନ ବାଘ ବିଚରଣ କରୁଥିବା ବାଘଶଳା ଗ୍ରାମ ନିକଟକୁ ଯାଇ ଅନୁସନ୍ଧାନ କରାଯାଇଛି. ତେବେ ଏନେଇ ବାଘ ବୁଲୁଥିବା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ.