‘ଆପ’ର ସଦର ନିର୍ବାଚନମଣ୍ଡଳୀ କାର୍ଯ୍ୟକାରିଣୀ ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା):ଆମ ଆଦିମ ପାର୍ଟି (ଆପ)ର ସଦର ନିର୍ବାଚମଣ୍ଡଳୀ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ବ୍ରିଟ କଲ୍ୟାଣ ମଣ୍ଡପରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଦଳର ରାଜ୍ୟ ସଭାପତି ସ୍ୱର୍ଣ୍ଣ ଭାରତ ମଲିକ ଯୋଗଦେଇ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ସହିତ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ଆଶାତୀତ ସଫଳତା ହାସଲ ଉପରେ ଗୁରୁତ୍ୱାରୋପ କରିଥିଲେ । ଆସନ୍ତା ନିର୍ବାଚନରେ ‘ଆପ’ ଦଳ ରାଜନୀତିର ପରିଭାଷା ବଦଳାଇବ ବୋଲି ଶ୍ରୀ ମଲିକ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଦଳର ବାଲେଶ୍ୱର ଜିଲା ସମ୍ପାଦକ ନିକୁଞ୍ଜ ମହାନ୍ତି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ମହିଳା ସଭାପତି ମୀନାକ୍ଷୀ ଦାଶ ଏଥିରେ ଯୋଗଦେଇ ନାରୀ ଜାଗରଣ ସହ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ବାଲେଶ୍ୱର ନିର୍ବାଚନମଣ୍ଡଳୀ ସଭାପତି ସରୋଜ ରାଉଳ, ବାଲେଶ୍ୱର ଜିଲା ପର୍ଯ୍ୟବେକ୍ଷକ ସଂଜୀବ ବେହେରା, ବରିଷ୍ଠ ଆପ ନେତା ଉପେନ୍ଦ୍ର ବେହେରା, ଉପେନ୍ଦ୍ର ଗିରି, ପ୍ରଶାନ୍ତ ପଣ୍ଡା, ଗିରୀଶ ପରିଡ଼ା ପ୍ରମୁଖ ଏଥିରେ ଯୋଗଦେଇ ଦଳୀୟ ସାଂଗଠନିକ ଦୃଢ଼ତା ଉପରେ ଗୁରୁତ୍ୱାରୋପ କରିଥିଲେ ।