ଆଫଗାନିସ୍ଥାନ ରାଜନୈତିକ ସିଂହାସନ ହାସଲ ପାଇଁ ତାଲିବାନ ଓ ହକ୍କାନୀ ନେଟ୍ୱର୍କ ମଧ୍ୟରେ ଗୁଳିମାଡ଼: ବରାଦର ଆହତ
କାବୁଲ: ଆଫଗାନିସ୍ଥାନ ରାଜନୈତିକ ସିଂହାସନ ହାସଲ ପାଇଁ ତାଲିବାନୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଆରମ୍ଭ ହୋଇଛି । ତାଲିବାନ ଓ ହକ୍କାନୀ ନେଟ୍ୱର୍କ ମଧ୍ୟରେ ଗୁଳିମାଡ ହୋଇଛି। ଏଥିରେ ତାଲିବାନ ମୁଖ୍ୟ ମୁଲ୍ଲା ଅବଦୁଲ ଗନି ବରାଦର ଆହତ ହୋଇଛନ୍ତି। ସୂଚନା ମୁତାବକ ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଏପର୍ଯ୍ୟନ୍ତ ସରକାର ଗଠନ କରିନାହିଁ। ଦୋହା ଶାନ୍ତି ଆଲୋଚନାରେ ଏକ ଅନ୍ତର୍ଭୂକ୍ତ ସରକାର ଗଠନ କରିବାକୁ ପ୍ରତିଶ୍ରୁତି ଦେଇଥିବା ତାଲିବାନ, ହକ୍କାନି ନେଟୱାର୍କର ଆତଙ୍କବାଦୀଙ୍କ ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛି। ତାଲିବାନର ସହ-ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ ଘନି ବରାଦର ଚାହୁଁଛନ୍ତି ଯେ ସଂଖ୍ୟାଲଘୁ ସମ୍ପ୍ରଦାୟ ସରକାରରେ ଯୋଗ ଦିଅନ୍ତୁ। କିନ୍ତୁ ତାଲିବାନର ଡେପୁଟି ନେତା ସିରାଜୁଦ୍ଦିନ ଏବଂ ତାଙ୍କର ସନ୍ତ୍ରାସବାଦୀ ଗୋଷ୍ଠୀ ହକ୍କାନୀ ନେଟୱାର୍କ କାହା ସହ କ୍ଷମତା ବାଣ୍ଟିବାକୁ ଚାହୁଁନାହାଁନ୍ତି।ଏହାକୁ ନେଇ ଏହି ଦୁଇ ଆତଙ୍କବାଦୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ପଞ୍ଜଶିର ପର୍ଯ୍ୟବେକ୍ଷକ ଏବଂ NFR ଙ୍କ ରିପୋର୍ଟ ଅନୁଯାୟୀ, ଏହି ସଂଘର୍ଷରେ ଗୁଳି ମାଡ ମଧ୍ୟ ହୋଇଥିଲା। ଏଥିରେ ବରାଦର ଆହତ ହୋଇଥିବା ସୂଚନା ମିଳିଛି। ତାଲିବାନ ବର୍ତ୍ତମାନ କେବଳ ହକ୍କାନୀ ନେଟୱର୍କ ନୁହେଁ ପାକିସ୍ତାନର ମଧ୍ୟ ଚାପର ସମ୍ମୁଖୀନ ହୋଇଛି।


