ଆଫ୍ଗାନ୍ରେ ପୁଣି ରାଜୁତି କରିବ ତାଲିବାନ : କବ୍ଜାରେ ୬୫ ପ୍ରତିଶତ ଅଞ୍ଚଳ
ନୂଆଦିଲ୍ଳୀ: ଆଫ୍ଗାନିସ୍ଥାନର ରାଜନୈତିକ ଅବସ୍ଥା ଅତ୍ୟନ୍ତ ଜଟିଳ ହେବାରେ ଲାଗିଛି । ଆମେରିକା ସମର୍ଥିତ ଆଫ୍ଗାନିସ୍ଥାନର ପ୍ରଶାସକ ରାଷ୍ଟ୍ରକୁ ନିଜ ନିୟନ୍ତ୍ରଣରେ ରଖିଥିଲେ ମଧ୍ୟ ନିକଟରେ ଆଫ୍ଗାନିସ୍ଥାନର ବେଆଇନ ଆତଙ୍କବାଦୀ ସଂଗଠନ ତାଲିବାନ ପକ୍ଷରୁ ଉଗ୍ର ପଦକ୍ଷେପ ଆରମ୍ଭ ହୋଇଛି । ଆକ୍ରମଣାତ୍ମକ ଅଭିଯାନ ଚଳାଇ ଗୋଟିଏ ପରେ ପରେ ଅଞ୍ଚଳକୁ ତାଲିବାନ ଆତଙ୍କବାଦୀମାନେ ନିଜ ଅକ୍ତିଆରକୁ ନେଉଥିବା ବିପଦଜ୍ଜନକ ସ୍ଥିତି ସୃଷ୍ଟି ହୋଇଛି । ସ୍ଥିତି ଯଦି ନିୟନ୍ତ୍ରଣ ହୋଇନପାରିବ ତେବେ ମାତ୍ର ୯୦ ଦିନ ମଧ୍ୟରେ ଆଫ୍ଗାନିସ୍ଥାନର ରାଜଧାନୀନଗରୀ କାବୁଲକୁ ତାଲିବାନ ସଂଗଠନର ସଦସ୍ୟମାନେ ନିଜ ଅକ୍ତିଆରକୁ ନେଇଯିବେ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିରକ୍ଷା ଅଧିକାରୀ ପ୍ରକାଶ କରିଛନ୍ତି । ସୂଚନା ଯେ, ଆଫ୍ଗାନିସ୍ଥାନର ୬୫ ପ୍ରତିଶତ ଅଞ୍ଚଳକୁ ତାଲିବାନ ନିଜ ଅକ୍ତିଆରକୁ ନେଇଥିବା ଜଣାପଡିଛି । ପୁଣି ୧୧ଟି ପ୍ରଦେଶର ରାଜଧାନୀକୁ ଅକ୍ତିଆରକୁ ନେବା ପାଇଁ ତାଲିବାନ ପକ୍ଷରୁ ଚେତାବନୀ ମଧ୍ୟ ଦିଆଯାଇଛି । ଏ ସମ୍ପର୍କରେ ଆମେରିକୀୟ ଇଣ୍ଟେଲିଜେନ୍ସି ପକ୍ଷରୁ ସ୍ପଷ୍ଟ କରାଯାଇଛି । ନିକଟରେ ଆଫ୍ଗାନିସ୍ଥାନର ବାଦ୍ଖସାନ ପ୍ରଦେଶର ଉତ୍ତରପୂର୍ବ ରାଜଧାନୀ ଭାବେ ପରିଚିତ ହାଇଜାବାଦ ତାଲିବାନ ଅକ୍ତିଆରକୁ ଚାଲିଯାଇଛି । ଏଣୁ ତାଲିବାନର କ୍ଷମତା ବଢ଼ିବାରେ ଲାଗିଛି ବୋଲି ଜଣାପଡିଛି । ଆଫ୍ଗାନିସ୍ଥାନର ରାଷ୍ଟ୍ରପତି ଆସରଫ୍ ଘାନୀ ଇତିମଧ୍ୟରେ ମଜରା ଇ ସରିଫ ନଗରୀକୁ ସ୍ଥାନାନ୍ତର ହୋଇଛନ୍ତି । ତାଲିବାନର ମୁକାବିଲା କରିବାର ସମ୍ପର୍କରେ ସେ ମଧ୍ୟ କିଛି ଯୋଜନା କରୁଥିବା ଜଣାପଡିଛି । ସୂଚନା ଥାଉକି ସେପ୍ଟେମ୍ବର ୧୯୯୫ ରେ ତାଲିବାନୀମାନେ ଇରାନ ସୀମାବର୍ତ୍ତୀ ହେରାଟ ପ୍ରଦେଶକୁ କାବୁ କରିଥିଲେ ଏବଂ ଠିକ୍ ଗୋଟିଏ ବର୍ଷ ପରେ ସେମାନେ ଆଫଗାନିସ୍ତାନର ରାଜଧାନୀ କାବୁଲକୁ କାବୁ କରି ରାଷ୍ଟ୍ରପତି ବୁରହାନୁଦ୍ଦିନ ରାବାନୀଙ୍କ ଶାସନକୁ ହଟାଇ ଦେଇଥିଲେ – ଯାହା ସୋଭିଏତ୍ ଦଖଲକୁ ପ୍ରତିରୋଧ କରିଥିଲା। ୧୯୯୮ ସୁଦ୍ଧା ତାଲିବାନ ଆଫଗାନିସ୍ତାନର ପ୍ରାୟ ୯୦% ନିୟନ୍ତ୍ରଣରେ ଥିଲା। ଯାହା ପୁଣି ଥରେ ସେ ଇତିହାସର ପୁନରାବୃତ୍ତି ହେବାକୁ ଯାଉଛି । ସେପଟେ ଆମେରିକା ତାର ସୈନ୍ୟ ହଟାଇ ନେବ ବୋଲି ଘୋଷଣା କରିବା ପରେ ଏହା ଆହୁରି ସୁଯୋଗ ଆଣିଦେଇଛି ତାଲିବାନୀ ସଂଗଠନ ପାଇଁ ।


