ଆବର୍ଜନାରୁ ସଂଗ୍ରହ କରୁଛନ୍ତି ଅମୂଲ୍ୟ ଜୀବନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ପର୍ଯ୍ୟାବରଣକୁ ସୁସ୍ଥ, ସୁନ୍ଦର ଓ ସବୁଜିମା ରଖିବା ଲାଗି ରାଜଧାନୀ ଭୁବନେଶ୍ୱରର ରାସ୍ତାକଡ଼ରେ ଲାଗିଛି ଶହ ଶହ ପ୍ରଜାତିର ବୃକ୍ଷ । ପ୍ରତ୍ୟେହ ବୃକ୍ଷ ଗୁଡ଼ିକରୁ ଫୁଲ, ପତ୍ର, ବିହନ, ଝଡ଼ି ତଳେ ପଡ଼ିଥାଏ । ସକାଳ ପାହିଲେ ସଫେଇ କର୍ମଚାରୀ ଏହାକୁ ଓଳାଇ ଗଛ ମୂଳରେ ହେଉ ଅଥବା ରାସ୍ତା କଡ଼ରେ ଗଦାଇଥାନ୍ତି । ଆଉ କିଛି ରାସ୍ତା କଡ଼ରେ ବସି ଫଳ ବ୍ୟବସାୟ କରୁଥିବା ବ୍ୟବସାୟୀ ମଧ୍ୟ ନିଜର ପଚିସଢି ଯାଇଥିବା ଫଳଗୁଡ଼ିକୁ ରାସ୍ତା କଡ଼ରେ ମଧ୍ୟ ଗଦାଇ ଦେଇଥାନ୍ତି । ପରବର୍ତ୍ତୀ ସମୟରେ ଆବର୍ଜନା ବୁହା ଗାଡ଼ିରେ ଏଗୁଡ଼ିକୁ ଡ଼ମ୍ପିଂୟାର୍ଡ଼କୁ ସ୍ଥାନାନ୍ତରିତ କରାଯାଇଥାଏ । ଯାହା ଆମେ ନିତିଦିନ ଦେଖିବାକୁ ପାଇଥାଉ । ସତେଯେପରି ଆମକୁ ଲାଗିଥାଏ ଏଗୁଡ଼ିକ ଅଦରକାରୀ ଓ ମୂଲ୍ୟହୀନ । କିନ୍ତୁ ଏହି ଅଦରକାରୀ ମୂଲ୍ୟହୀନ ଜିନିଷ ଭିତରେ ଥାଏ ଅନେକ ଅମୂଲ୍ୟ ଜୀବନ । ଏହି ଅମୂଲ୍ୟ ଜୀବନ ଗୁଡ଼ିକୁ ଖୋଜି ସଂଗ୍ରହ କରିବାରେ ଲାଗିଛନ୍ତି ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳରେ ରହୁଥିବା ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁ । ଏ ସମ୍ପର୍କରେ ସୁଶାନ୍ତ କୁହନ୍ତି, ଏ ଅମୂଲ୍ୟ ଜୀବନ ଗୁଡ଼ିକ ହେଉଛି ବିଭିନ୍ନ ଗଛରୁ ପଡ଼ିଥିବା ନାନା କିସମର ବିହନ ଓ ପଚିସଢି ଯାଇଥିବା ବିଭିନ୍ନ ଫଳର ବିହନ । ଏହି ବିହନ ଗୁଡ଼ିକରେ ଥାଏ ଯଥେଷ୍ଟ ଶକ୍ତି ଓ ଜୀବନ । ଏଗୁଡ଼ିକୁ ଜୀବନ୍ୟାସ ଦେବା ପାଇଁ ମାଟି, ଜୈବିକସାର ଓ ବିହନ ମିଶାଇ ବିହନ ପେଣ୍ଡୁ ପ୍ରସ୍ତୁତ କରାଯାଇଥାଏ । ତା’ପରେ ଏଗୁଡ଼ିକ ଖରାରେ ଶୁଖାଯାଇଥାଏ । ଶୁଖିଗଲା ପରେ ଏହି ଅୂମଲ୍ୟ ଜୀବନଗୁଡ଼ିକୁ ବର୍ଷା ସମୟରେ ଖାଲି ସ୍ଥାନରେ ନିକ୍ଷପ କରାଯାଇଥାଏ । ପରବର୍ତ୍ତୀ ସମୟରେ ଏହା ଜୀବନରେ ରୂପାନ୍ତରିତ ହୋଇଥାଏ । ସଂଗୃହୀତ ବିହନଗୁଡ଼ିକୁ ବିହନ ପେଣ୍ଡୁ ପ୍ରସ୍ତୁତ କରାଯାଇ ପତିତ ଜମି ଓ ଜଙ୍ଗଲରେ ଥିବା ଖାଲି ସ୍ଥାନରେ ନିକ୍ଷେପ କରାଯିବ । ପରବର୍ତ୍ତୀ ସମୟରେ ଏହା ଏକ ସୁନ୍ଦର ସବୁଜିମା ସୃଷ୍ଟିରେ ବେଶ୍ ସହାୟକ ହୋଇପାରିଥାଏ ବୋଲି ସୁଶାନ୍ତ କହିଛନ୍ତି । ସଂଗୃହୀତ ବିହନ ଭିତରେ ରହିଛି ପେସ୍ତା, ପଣସ, ଚମ୍ପା, ବେଲ ଇତ୍ୟାଦି । ପାଖାପାଖି ୫ ହଜାରରୁ ଉର୍ଦ୍ଧ୍ୱ ବିହନ ଏଯାବତ୍ ସଂଗ୍ରହ କରିସାରିଲେଣି ସେ । ପ୍ରତ୍ୟହ ଘରୁ ବାହାରୁଥିବା ବିଭିନ୍ନ ପନିପରିବା ହେଉ କି ଫଳ ହେଉ, ସେଥିରୁ ବାହାରୁଥିବା ବିହନଗୁଡ଼ିକୁ ଅଳିଆ ଡ଼ବାରେ ନ ପକାଇ ବିହନ ପେଣ୍ଡୁ ଜରିଆରେ ପତିତ ଜମିରେ ନିକ୍ଷେପ କରି ପରିବେଶ ସୁରକ୍ଷା ଦିଗରେ ସାମିଲ ହେବା ପାଇଁ ଶ୍ରୀ ସାହୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ପରିବେଶ ପାଇଁ ଏହା ବହୁ ମୂଲ୍ୟବାନ । ଯାହା ତୁଳନା କରାଯାଇ ପାରିବ ନାହିଁ । ସୁଶାନ୍ତଙ୍କ ଏହି ଉଦ୍ୟମକୁ ବିଭିନ୍ନ ମହଲରେ ସ୍ୱାଗତ କରାଯିବା ସହ ବେଶ୍ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ