ଆବର୍ଜନା କୁଣ୍ଡ ପାଲଟିଗଲା ପାନୀୟ ଜଳ ଯୋଗାଣର ଉତ୍ସ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଦିବାସୀ ବହୁଳ ଦୁର୍ଗମ ଗଜପତି ଜିଲ୍ଲାରେ ବିଭିନ୍ନ ସରକାରୀ ଯୋଜନା ସାଧାରଣଙ୍କ ଠାରେ ଅପହଞ୍ଚ ହେବା ଯୋଗୁଁ ଲୋକେ ବିକାଶ ଓ ଉନ୍ନତିମୂଳକ ଯୋଜନା ଦ୍ୱାରା କୌଣସି ସୁଫଳ ପାଇପାରୁନାହାନ୍ତି. ଗଜପତି ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଅଧିକାରୀଙ୍କ ଦାୟିତ୍ୱହୀନତା ଓ ଲୋକଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ସରକାରୀ ଭାବେ କୋଟି କୋଟି ଟଙ୍କା ବ୍ୟୟ କରୁଥିଲେ ସୁଦ୍ଧା ପାନୀୟ ଜଳ ସଙ୍କଟ ଦୂର ହୋଇପାରିନାହିଁ. ଏହି ଗଜପତି ଜିଲ୍ଲାରେ ଗାଁକୁ ସଫା ରଖିବା ଉଦ୍ଦେଶ୍ୟରେ ଆସିଥିବା ଆବର୍ଜନା କୁଣ୍ଡ ଶେଷରେ ପାଲଟିଛି ଜଳ ଯୋଗାଣର ଉତ୍ସ ! ଏ କଥାଟି ଶୁଣିବାକୁ ଆପଣଙ୍କୁ ଟିକେ ଅଡ଼ୁଆ ଲାଗୁଥିଲେ ମଧ୍ୟ ସରକାରୀଙ୍କ ଯୋଜନାକୁ ଉପହାସ କରୁଥିବା ଭଳି ମନେ ହେଉଛି. ଏଭଳି ବିକଳ ପରିସ୍ଥିତି ଯେତେ ଆଶ୍ଚର୍ଯ୍ୟ ଲାଗୁଛି ତାଠାରୁ ଅଧିକ ସାଧାରଣ ଲୋକଙ୍କ କେତେ ଯେ ଦୁର୍ଦ୍ଦଶାରେ ଚଳିଆସୁଛନ୍ତି ତାହାକୁ ପଦାରେ ପକାଉଛି । ଗାଁ ରେ ଲାଗି ରହିଛି ପାନୀୟ ଜଳର ଉତ୍କଟ ପରିସ୍ଥିତି। ବର୍ଷ ବର୍ଷ ଧରି ଗାଁ ଲୋକେ ଖୋଲା ଆକାଶ ତଳେ ରହିଥିବା ଚହଲାରୁ ଦୁଷିତ ଜଳକୁ ବ୍ୟବହାର କରିଆସୁଛନ୍ତି। ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଶିକୁଳିପଦର ପଞ୍ଚାୟତର ଧନୁପୋତା ଗ୍ରାମରେ। ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ପ୍ରତି ଘରେ ଘରେ ବିଷୁଦ୍ଧ ପାନୀୟ ଜଳ ଯୋଗାଣର ପ୍ରତିଶୃତି ଦେଇଥିଲେ ସରକାର। ଏଥିପାଇଁ କୋଟି କୋଟି ଟଙ୍କାରେ ବିଭିନ୍ନ ଯୋଜନା ମାଧ୍ୟମରେ ଅନେକ ପ୍ରକଳ୍ପ କରିଆସୁଥିବା ବାହା ବାହା ନେଉଛନ୍ତି। ହେଲେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ଓ ଦାୟିତ୍ଵହିନତା କାର୍ଯ୍ୟ ଶୈଳୀ ଯୋଗୁଁ ଆଜିବି ଗଜପତି ଜିଲ୍ଲାର ଅନେକ ଗ୍ରାମରେ ପାନୀୟ ଜଳର ଘୋର ଅଭାବ ଲାଗିରହିଛି ।ଧନୁପୋତା ଗ୍ରାମରେ ୧୦୦ ରୁ ଉର୍ଦ୍ଧ୍ବ କୁଇ କନ୍ଧ ସମ୍ପ୍ରଦାୟର ଆଦିବାସୀ ପରିବାର କେଉଁ ଆବାହମାନ କାଳରୁ ବସବାସ କରିଆସୁଛନ୍ତି । ଗାଁ ରେ ରହିଛି ଦୁଇଟି ସାହି । ସେଥିମଧ୍ୟରୁ ୱାର୍ଡ ନଂ ୫ରେ ରହିଥିବା ଉପର ସାହି ନିକଟସ୍ଥ ପାରଳାଖେମୁଣ୍ଡି-ବ୍ରହ୍ମପୁର ସଂଯୁକ୍ତ ମୁଖ୍ୟ ରାଜରାସ୍ତା ପାର୍ଶ୍ୱ ରେ ଏକ ବରଗଛ ମୂଳେ ରହିଛି ଝରଣା । ଅନେକ ବର୍ଷ ତଳେ ଗାଇ ଗୋରୁଙ୍କ ଏହି ଝରଣାରେ ଚହଲା ନିର୍ମାଣ କରାଯାଇଥିଲା କିନ୍ତୁ ତାହା ଏବେ ଭାଙ୍ଗି ଯାଇ ପରିତ୍ୟକ୍ତ ଅବସ୍ଥା ପାଲଟିଛି। ହେଲେ ଗାଁ ରେ ପାଣି ପାଇଁ କୌଣସି ସୁବିଧା ନଥିବା ଯୋଗୁଁ ଏହି ଚହଲା ଉପରେ ଗ୍ରାମବାସୀ ନିର୍ଭରଶୀଳ। ଅପରପକ୍ଷରେ ରାସ୍ତା କାମ ଚାଲିଥିବା ଯୋଗୁଁ ଧୁଳି ଧୂସରରେ ଚହଲା ପାଣି ଅଧିକ ଦୁଷିତ ହୋଇପଡ଼ିଥିବା ଯୋଗୁଁ ତାହା ବ୍ୟବହାର ଉପଯୋଗୀ ନୁହେଁ। ଏନେଇ ଗ୍ରାମରେ ଆୟୋଜିତ ଏକ ସାଧାରଣ ବୈଠକରେ ଗ୍ରାମବାସୀ ପରସ୍ପର ମଧ୍ୟରେ ଆଲୋଚନା କରି ନିଷ୍ପତି ନେଇଥିଲେ। ଝରଣା ପାର୍ଶ୍ଵରେ ଆଉ ଏକ ଛୁଆଁ ନିର୍ମାଣ କରିବା ନିଷ୍ପତି ପରେ ନିଜ ହାତ ପାଣ୍ଠିରୁ ଅର୍ଥ ଯୋଗାଡ଼ କରିବା ସହ ଗ୍ରାମବାସୀ ନିଜ ଉଦ୍ୟମରେ ପାହାଡ ଖୋଳି ନିର୍ମାଣ କରିଲେ ଚୁଆଁ।
ଗାଁ ରେ ଆବର୍ଜନା କୁଣ୍ଡ ନିର୍ମାଣ ପାଇଁ ଗାଁ କଲ୍ୟାଣ ସମିତି ପକ୍ଷରୁ ତିନୋଟି ସିମେଣ୍ଟ କୁଣ୍ଡ ଆସିଥିଲା , ତାହାକୁ ନେଇ ନବନିର୍ମିତ ଚୁଆଁରେ ବ୍ୟବହାର କରିଛନ୍ତି ଗ୍ରାମବାସୀ। ଯାହାଫଳରେ ଉକ୍ତ ଚୁଆଁ ଏବେ କୁପ ସଦୃଶ ଦୃଶ୍ୟମାନ ହେଉଥିଲେ ମଧ୍ୟ ସେହି ଦୂଷିତ ଜଳକୁ ଗ୍ରାମବାସୀ ନିତ୍ୟ ବ୍ୟବହାର କରିଆସୁଛନ୍ତି। ଗ୍ରାମକୁ ସଂଯୁକ୍ତ ରାସ୍ତା ଖାଲଖମା ଓ ପଥୁରିଆ ହୋଇ ରହିଛି, ପାଣିର ଘୋର ଅଭାବ, ଗୁହାରି ନେଇ ଯେତେ ଅଭିଯୋଗ କଲେ ମଧ୍ୟ କୌଣସି ସମସ୍ୟାର ପ୍ରତିକାର କରାଯାଉନାହିଁ ବୋଲି ଗ୍ରାମବାସୀମାନେ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ କହିଛନ୍ତି ଯେ, ବାରମ୍ବାର ସମସ୍ୟା ନେଇ ଶିକୁଳିପଦର ପଞ୍ଚାୟତର ସରପଞ୍ଚଙ୍କ ସମେତ ମୋହନା ବିଡ଼ିଓ ଓ ଜିଲ୍ଲାପାଳଙ୍କୁ ଜଣାଇଆସୁଛୁ. କେବଳ ନିର୍ବାଚନ ପୁର୍ବ ଦିନ ପାଣି ଯୋଗାଣ ଟ୍ୟାଙ୍କର ଆସିଥିଲା , ଏବଂ ପାଣି ଦେଇଥିଲା କିନ୍ତୁ ନିର୍ବାଚନ ପର ଠାରୁ ତାହା ଦେଖିବାକୁ ମିଳୁନାହିଁ। ଏଭଳି ପରିସ୍ଥିତିରେ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ପାନୀୟ ଜଳ ଯୋଗାଣ ପାଇଁ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ନଳକୂପ ଖନନ କରିବାକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ.


