ଆବଶ୍ୟକ ନଥାଇ ବଜାରରେ ବୁଲୁଛନ୍ତି ଲୋକ
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍):କେନ୍ଦ୍ର ଓ ରାଜ୍ୟ ସରକାର କରୋନାରୁ ରକ୍ଷା ପାଇବା ପାଇଁ ଲୋକ ମାନଙ୍କୁ ସଚେତନ କରାଇବା ସହିତ ବିଭିନ୍ନ କଟକଣା ଜାରି କରିଛନ୍ତି । ମଙ୍ଗଳବାର ସକାଳ ୭ଟା ଠାରୁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବନ୍ଦ କରିବାକୁ ପରାମର୍ଶ ଦିଆଯାଇଥିବା ବେଳେ ଜରୁରୀ କାର୍ଯ୍ୟ ନଥିଲେ କୌଣସି ବ୍ୟକ୍ତି ବାହାରକୁ ନବାହାରିବା ପାଇଁ ନିର୍ଦ୍ଦେଶ ରହିଛି । ଆଇନ ଉଲଂଘନକାରୀଙ୍କ ପାଇଁ ମାମଲା ଓ ଜୋରିମାନାର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏନେଇ ପ୍ରଶାସନ ଓ ଜନପ୍ରତିନିଧି ମାନଙ୍କ ଦ୍ୱାରା ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକ ମାନଙ୍କୁ ସଚେତନ କରାଯାଉଛି । ଏହା ପରେ ମଧ୍ୟ ଲୋକ ମାନେ ସଚେତନ ନହୋଇ ସରକାରୀ କଟକଣାକୁ ଭୃକ୍ଷେପ ନକରି ବାହାରେ ବୁଲାବୁଲି କରୁଥିବାର ଦେଖାଯାଇଛି । ଆଜି ସକାଳ ସାଢେ ୮ଟା ବେଳେ ବନ୍ତ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ଛାଡି ଅନ୍ୟ କେତେକ ଦୋକାନ ଖୋଲା ଥିବାର ଦେଖାଯାଇଥିଲା । ଲୋକ ମାନେ ଖୁଲମଖୁଲା ବଜାରରେ ବୁଲୁଥିଲେ । ଖବର ପାଇ ବନ୍ତ ପୋଲିସ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ଛାଡି ଅନ୍ୟ ସମସ୍ତ ଦୋକାନ ଗୁଡିକୁ ତୁରନ୍ତ ବନ୍ଦ କରିଥିଲା । ଜରୁରୀ କାର୍ଯ୍ୟ ନଥାଇ ବଜାରରେ ବୁଲୁଥିବା ଲୋକ ମାନଙ୍କୁ ତୁରନ୍ତ ବଜାର ଛାଡିବାକୁ ପରାମର୍ଶ ଦିଆଯାଇଥିଲା । ଯେଉଁ ମାନେ ଆଇନକୁ ଉଲଂଘନ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଚେତାବନୀ ଦିଆଯାଇଛି ।