ଆବାସ ଯୋଜନା ବିଭାଗରେ ପ୍ରବେଶ କଟକଣା ପାଇଁ ଲାଗିଲା ନୋଟିସ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଳକ କାର୍ଯ୍ୟାଳୟରେ ଆବାସ ଯୋଜନା ବିଭାଗରେ ସାଧାରଣ ଲୋକଙ୍କ ଉପରେ କଟକଣା ଲଗାଯାଇଛି । ବିତିଓ ସୌମ୍ୟଶ୍ରୀ ପାଣିଗ୍ରାହୀ ସାଧାରଣ ଲୋକଙ୍କ ପ୍ରବେଶ ବନ୍ଦ ପାଇଁ ନୋଟିସ ଲଗାଇଛନ୍ତି। କେବଳ ଝରକା ବାଟେ ନିଜ ନିଜର ସମସ୍ୟା ଜଣାଇ ପାରିବେ । ଗତ ଦୁଇଦିନ ତଳେ କେହି ବ୍ୟକ୍ତି ଏଠାରେ କାର୍ଯ୍ୟ କରୁଥିବା ଜଣେ ବହିସ୍କୃତ କର୍ମଚାରୀଙ୍କ ଫଟୋ ଉଠାଇ ସୋସିଆଲ ମିଡିଆ ଓ ଗଣ ମାଧ୍ୟମରେ ପ୍ରକାଶ କରିଦେବାରୁ ବିଡିଓ ଏପରି ପଦକ୍ଷେପ ନେଇଥିବା ଆଲୋଚ଼ନା ହେଉଛି। ହାଟଡିହି ବ୍ଳକରେ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ବେଳେ ଅନେକ ଘୋଟାଲା ହୋଇଥିବା ନେଇ ଅଭିଯୋଗ ହୋଇ ଆସୁଛି। ଆବାସ ଯୋଜନା ହିତାଧିକାରୀ ମାନେ ସେମାନଙ୍କ ବିଭିନ୍ନ ସମସ୍ୟା ନେଇ ଏହି ବିଭାଗକୁ ଯାଇଥାନ୍ତି । କାହାର ଟଙ୍କା ଭିନ୍ନ ଏକାଉଣ୍ଟକୁ ଯିବା, କିସ୍ତି ମିଳିବାରେ ବିଳମ୍ବ, ଘର ପାଇବାକୁ ଆଶାୟୀ ଥିବା ହିତାଧିକାରୀ ମାନେ ଏପରି ନାନା ସମସ୍ୟାର ସମାଧାନ ପାଇଁ କାର୍ଯ୍ୟାଳୟକୁ ଯାଇଥାନ୍ତି। କିନ୍ତୁ ଏବେ ହିତାଧିକାରୀ ମାନେ ସେହି କାର୍ଯ୍ୟାଳୟର ଝରକା ନିକଟରେ ଠିଆ ହୋଇ ଭିତରେଥିବା କର୍ମଚାରୀଙ୍କୁ ସମସ୍ୟା ଜଣାଇବାକୁ ବାଧ୍ୟ ହେଉଛନ୍ତି। ଏଠାରେ ପ୍ରଶ୍ନ ଉଠେ ଯେ ଜଣେ ଦୁନ୍ନୀତିଗ୍ରସ୍ତ ବହିସ୍କୃତ କର୍ମଚରୀଙ୍କ ପାଇଁ ବ୍ଲକ ଅଧିକାରୀଙ୍କ ଏତେ ଦରଦ କାହିଁକି। ସବୁ ବିଭାଗକୁ. ସାଧାରଣ ଲୋକଙ୍କ ପ୍ରବେଶ ଥିବାବେଳେ ଆବାସ ବିଭାଗକୁ କାହିଁକି କଟକଣା ଲାଗିଲା ତାହାକୁ ନେଇ ନାନା କଥା ଶୁଣିବାକୁ ମିଳୁଛି।