ଆଭାସୀ ମାଧ୍ୟମରେ ଜମି ପଟ୍ଟା ପ୍ରଦାନ ସମାରୋହକୁ ଶୁଭାରମ୍ଭ କରିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ
ବାଲେଶ୍ୱର, (ସରୋଜ ପଣ୍ଡା):ଓଡ଼ିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଜମି ପଟ୍ଟା ପ୍ରଦାନ ସମାରୋହକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ ଶୁଭାରମ୍ଭ ହୋଇଯାଇଛି I ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀଯୁକ୍ତ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ସଭାପତିତ୍ୱରେ ପଦ୍ମାବତୀ ପାର୍କ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ପାତ୍ର ଯୋଗ ଦେଇଥିବା ବେଳେ ମାନ୍ୟବର ସାଂସଦ, ବାଲେଶ୍ୱର ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ମାନ୍ୟବର ବିଧାୟକ ବାଲେଶ୍ୱର ସଦର ଶ୍ରୀଯୁକ୍ତ ସ୍ୱରୂପ ଦାସ, ମାନ୍ୟବର ବିଧାୟକ ସିମୁଳିଆ ଶ୍ରୀଯୁକ୍ତ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ମାନ୍ୟବର ବିଧାୟକ ରେମୁଣା ଶ୍ରୀଯୁକ୍ତ ସୁଧାଂଶୁ ଶେଖର ପରିଡ଼ା, ମାନ୍ୟବର ବିଧାୟକ ସୋର ଶ୍ରୀଯୁକ୍ତ ପର୍ଶୁରାମ ଧଡ଼ା, ବାଲେଶ୍ୱର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ I ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ କହିଥିଲେ କି ଜନସାଧାରଣଙ୍କ ସମସ୍ୟାର ସମାଧାନ ଉପରେ ତାଙ୍କ ସରକାର ସର୍ବାଧିକ ପ୍ରାଥମିକତା ଦେଇ ଆସିଛି। ସିକିମ ରୟତମାନଙ୍କର ସମସ୍ୟା ବହୁ ଦିନର ସମସ୍ୟା ଥିଲା। ସରକାରଙ୍କ ବିଭିନ୍ନ କୃଷି ବିକାଶ କାର୍ଯ୍ୟକ୍ରମରେ ମଧ୍ୟ ସେମାନେ ଲାଭ ପାଇପାରୁନଥିଲେ। ସିକିମ ରୟତମାନଙ୍କର ଶହ ଶହ ବର୍ଷର ସମସ୍ୟାର ସମାଧାନକୁ ଏକ ଐତିହାସିକ ପଦକ୍ଷେପ ଭାବରେ ବର୍ଣ୍ଣନା କରି ଲୋକମାନଙ୍କର ଖୁସି ହିଁ ତାଙ୍କର ସବୁଠାରୁ ବଡ ପୁରସ୍କାର ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଥିଲେ। ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରି କହିଥିଲେ ଯେ ଏହି ସିକିମ ରୟତ ସମସ୍ୟା ଦୀର୍ଘ ୫୦ ବର୍ଷରୁ ଅଧିକ ବର୍ଷର ସମସ୍ୟା ହୋଇ ରହିଥିଲା। ଜିଲ୍ଲାଗସ୍ତ ସମୟରେ କେନ୍ଦ୍ରାପଡା ଜିଲ୍ଲାରୁ ପ୍ରଥମେ ଏହି ଆବେଦନ ଆସିଥିଲା। ଖୁବ ଶୀଘ୍ର ଏହାର ସମାଧାନ କରାଗଲା। ବାକି ରହିଯାଇଥିବା ଜମି ପଟ୍ଟା ପ୍ରଦାନ କାର୍ଯ୍ୟକୁ ଶୀଘ୍ର ଶେଷ କରି ସ୍ୱଚ୍ଛତା ଓ ସମ୍ମାନର ସହ ବଣ୍ଟନ କରିବା ପାଇଁ ଜିଲ୍ଲା ପ୍ରଶାସନମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସଭାରେ ମାନ୍ୟବର ବିଧାୟକ ବାଲେଶ୍ୱର ସଦର ଶ୍ରୀଯୁକ୍ତ ସ୍ୱରୂପ ଦାସ ନିଜର ବକ୍ତବ୍ୟ ରଖି କହିଥିଲେ ଯେ ସିକିମ ପଟ୍ଟା ପ୍ରଦାନ ସମାରୋହ ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ I ସିକିମ ଚାଷୀମାନେ ତାଙ୍କ ଦଖଲରେ ଥିବା ଜମି ଉପରେ ସ୍ଥାୟୀ, ବଂଶାନୁକ୍ରମିକ ଓ ହସ୍ତାନ୍ତର ଯୋଗ୍ୟ ଅଧିକାର ପାଇପାରିବେ I ଓଡ଼ିଶା ଭୂ-ସଂସ୍କାର ଆଇନ, ୧୯୬୦ର ସଂଶୋଧନ ଦ୍ୱାରା ସିକିମ ଜମିକୁ ଦଖଲ କରୁଥିବା ଉପ-ରୟତ ଅବା ଉତ୍ତରାଧିକାରୀଙ୍କୁ ରୟତି ଅଧିକାର ପ୍ରଦାନ କରାଯିବା ଦ୍ୱାରା ଲକ୍ଷ ଲକ୍ଷ ରାଜ୍ୟବାସୀ ଉପକୃତ ପାଇପାରିବେ I ସୂଚନା ଯୋଗ୍ୟ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ଜମି ସଂସ୍କାର ଅଧିନିୟମ, ୧୯୬୦ ସଂଶୋଧନ କରାଯାଇଥିଲା I ଏହି ସଂଶୋଧନ ପରେ ସିକିମ ରୟତ ଯେଉଁମାନେ କି ମୂଳ ମାଲିକ ମାନଙ୍କର ଅଧୀନରେ ଭାଗ ଚାଷୀ ରୂପେ ଜମିକୁ ଚାଷ କରି ଆସୁଥିଲେ ସେମାନେ ସେହି ଜମିଗୁଡିକ ଉପରେ ସ୍ଥିତିବାନ ପଟ୍ଟା ପାଇବେ I ୬୦ ବର୍ଷରୁ ଅଧିକ ହେଲା ସିକିମ ପ୍ରଜାମାନେ ସେମାନେ ଚାଷ କରୁଥିବା ଜମିର ମାଲିକାନା ସ୍ୱତ୍ୱ ପାଇ ପାରୁନଥିଲେ I ଏହା ଦ୍ୱାରା ସେମାନେ ସରକାରଙ୍କ ଭୂମି ସମ୍ପର୍କିତ କୌଣସି ପ୍ରକାରର ଆର୍ଥିକ ଓ ସାମାଜିକ ସାହାଯ୍ୟ ପାଇବାରୁ ବଞ୍ଚିତ ଥିଲେ I ସମ୍ପ୍ରତି ରୟତ ପଟ୍ଟା ପାଇବା ଦ୍ୱାରା ସରକାରଙ୍କ ସମସ୍ତ ପ୍ରକାରର ସାହାଯ୍ୟ ତଥା ଜାତିଗତ ପ୍ରମାଣ ପତ୍ର, ଜମି କ୍ଷତି ପୂରଣ ଏବଂ ବ୍ୟାଙ୍କ ଋଣ ଇତ୍ୟାଦି ପାଇପାରିବେ I ଏଠାରେ ଉଲ୍ଲେଖ ଯୋଗ୍ୟ କି ବାଲେଶ୍ୱର ଜିଲ୍ଲାର ସମସ୍ତ ୧୨ ଗୋଟି ତହସିଲରେ ସର୍ବମୋଟ ୫୨୮୦ ସିକିମ ଖାତାଧାରୀ ଅଛନ୍ତି, ତନ୍ମଧ୍ୟରୁ ଆଜିର ଏହି ଉକ୍ତ କାର୍ଯ୍ୟକ୍ରମରେ ୨୦୦୦ ରୁ ଅଧିକ ସିକିମ ଖାତାଧାରୀଙ୍କୁ ରୟତ ପଟ୍ଟା ପ୍ରଦାନ କରାଯାଇଥିଲା I ବାଲେଶ୍ୱର ସମେତ ରାଜ୍ୟର ୧୯ ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I


