ଆମରଣ ଅନଶନ ପ୍ରତ୍ୟାହାର କଲା ଭିନ୍ନକ୍ଷମ କଲ୍ୟାଣ ମହାସଂଘ
ଛତ୍ରପୁର,(ଦେବଦତ୍ତ ମହାରଣା) : ଛତ୍ରପୁର ସହରରେ ଥିବା ସମର୍ଥ ଆବାସିକ ବିଦ୍ୟାଳୟ ଉଚ୍ଛେଦକୁ ପ୍ରତିବାଦ କରି ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଂଜାମ ଜିଲ୍ଲା ଭିନ୍ନକ୍ଷମ କଲ୍ୟାଣ ମହାଂସଘ ପକ୍ଷରୁ ଦିବ୍ୟାଙ୍ଗମାନଙ୍କୁ ନେଇ ଚାଲିଥିବା ଆମରଣ ଅନଶନ ଶନିବାର ଷଷ୍ଠ ଦିନରେ ଆନ୍ଦୋଳନକାରୀ ମାନେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି । ପ୍ରଶାସନ ଅଧିକାରୀ ମାନେ ଆନ୍ଦୋଳନସ୍ଥଳରେ ପହଞ୍ଚି ଅନଶନରେ ଥିବା ଦିବ୍ୟାଙ୍ଗ ମାନଙ୍କୁ ଫୁଟି ପିଆଇ ଭଙ୍ଗ କରିଥିଲେ ।ସ୍ଥାନୀୟ ବ୍ଲକ କଲୋନୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆନୁସାଙ୍ଗିକ ବ୍ୟବସ୍ଥା କରି ଦିବ୍ୟାଙ୍କମାନଙ୍କୁ ଥଇଥାନ କରିବାକୁ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସମ୍ପାଦକ କେ.ଆନନ୍ଦ ରାଓ ପ୍ରଶାସନକୁ ପୁନର୍ବାର ଜଣାଇଥିଲେ । ସେ ପର୍ଯ୍ୟନ୍ତ ସମର୍ଥ ବିଦ୍ୟାଳୟରେ ପୁନଃ ପାଣି ଓ ବିଦ୍ୟୁତ ସଂଯୋଗ କରିବାକୁ ସେ ଅନୁରୋଧ କରିଥିଲେ ।ସୂଚନାଯୋଗ୍ୟ ଯେ, ସମର୍ଥ ଆବାସିକ ବିଦ୍ୟାଳୟ କୋଠା ବିପଦସଙ୍କୁଳ ଦର୍ଶାଇ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ଉଚ୍ଛେଦ ପାଇଁ ନୋଟିସ୍ ହୋଇଥିଲା । ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ବ୍ଲକ କଲୋନୀ ସ୍ଥିତ ପ୍ରାଥମିକ ବିଦ୍ୟାଳୟ କୁ ଚିହ୍ନଟ କରାଯାଇଛି । ଛତ୍ରପୁର ବ୍ଲକ ପ୍ରଶାସନ ପକ୍ଷରୁ ଏହି ବିଦ୍ୟାଳୟ ର ଆନୁସାଙ୍ଗିକ ବ୍ୟବସ୍ଥା ୧୦ ରୁ ୧୫ ଦିନ ମଧ୍ୟରେ କରିବା ପରେ ସେଠାରେ ଦିବ୍ୟାଙ୍ଗ ମାନେ ଦୁଇ ବର୍ଷ ପର୍ଯ୍ୟନ୍ତ ରହିବେ । ତେବେ ବତ୍ତମାନ ଛତ୍ରପୁର ମାର୍କେଟ ରୋଡ୍ ସ୍ଥିତ ଶହେ ଶର୍ଯ୍ୟା ବିଷିଷ୍ଟ ଜନଜାତି ଛାତ୍ରୀ ନିବାସ ର ତିନୋଟି ରୁମରେ କେ. ଆନନ୍ଦ ରାଓଙ୍କ ସମେତ ୯ ଜଣ ଦିବ୍ୟାଙ୍ଗ ରହିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ପ୍ରଶାସନ ର ଲିଖିତ ପତ୍ର ସହ ଅନୁରୋଧକୁ ସମ୍ମାନ ଜଣାଇ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ପକ୍ଷରୁ ଷଷ୍ଠ ଦିନରେ ଅନଶନ ପ୍ରତ୍ୟାହାର କରାଯାଇଥିବା ସମ୍ପାଦକ କେ. ଆନନ୍ଦ ରାଓ ସୂଚନା ଦେଇଛନ୍ତି । ଶନିବାର ଆନ୍ଦୋଳନର ଷଷ୍ଠ ଦିନରେ ଆନ୍ଦୋଳନ ସ୍ଥଳରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବୀନ୍ଦ୍ର କୁମାର ସାହୁ,ଜିଲ୍ଲା ରାଜସ୍ୱ ଅଧିକାରୀ ଡଃ. ବିଜୟାନନ୍ଦ ସେଠୀ,ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି,ଜିଲ୍ଲା ସାମାଜିକ ସୁରକ୍ଷା ଅଧୀକାରୀ ଶୁଭ୍ରାଂଶୁ କୁମାର ମହାରଣା,ଜିଲ୍ଲା ମଙ୍ଗଳ ଅଧୀକାରୀ ପରକ୍ଷୀତ ଦାଶ,ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ,ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ.ଗଣେଷ ବାବୁ ପହଂଚି ଆନ୍ଦୋଳନକାରୀଙ୍କୁ ଫ୍ରୁଟି ଦେଇ ଅନଶନ ଭଙ୍ଗ କରିଥିଲେ ।