ଆମେରିକାରେ ଭାରତୀୟ ବଂଶୋଦ୍ଭବ ପୁଲିସ ଅଧିକାରୀଙ୍କୁ ହତ୍ୟା
ହଷ୍ଟନ୍: ଜଣେଭାରତୀୟ-ଆମେରିକୀୟ ଶିଖ୍ ପୁଲିସ ଅଧିକାରୀଙ୍କୁ ଟେକ୍ସାସ୍ରେ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରାଯାଇଛି । ଉତ୍ତରପଶ୍ଚିମ ହଷ୍ଟନରେ ସେ ଟ୍ରାଫିକ୍ ଷ୍ଟପ୍ ପରିଚାଳନା କରୁଥିବା ବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ୪୨ ବର୍ଷୀୟ ସନ୍ଦୀପ ସିଂହ ଧଲିୱାଲ୍ ପ୍ରଥମ ପଗଡ଼ି ପିନ୍ଧା ଶିଖ୍ ପୁଲିସ ଭାବେ ଟେକ୍ସାସରେ ସେବାରତ ଥିଲେ । ତେବେ ଗତକାଲି ସେ ଟ୍ରାଫିକ୍ ଷ୍ଟପ୍ ପରିଚାଳନା କରୁଥିବା ବେଳେ ଗାଡ଼ି ଚଳାଇ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଅଟକାଇଥିଲେ । ଏହି ସମୟରେ ବ୍ୟକ୍ତି ଜଣଙ୍କ ଗାଡ଼ିରୁ ଓହ୍ଲାଇ ଆସି ସିଧାସଳଖ ଧଲିୱାଲ୍ଙ୍କ ଉପରକୁ ଆଖିବୁଜା ୨ ରାଉଣ୍ଡ୍ ଗୁଳି ଚଳାଇଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲ୍ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ହତ୍ୟା ମାମଲାରେ ଜଣେ ସନ୍ଦିଗ୍ଧ ଗିରଫ ହୋଇଛି । ତେବେ ଏହା ଘୃଣା ଅପରାଧ କି ନାହିଁ ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ । ଧଲିୱାଲ୍ ହରିସ୍ କାଉଣ୍ଟି ସେରିଫ୍ ଅଫିସରେ ଜଣେ ବରିଷ୍ଠ ଅଧିକାରୀ ଥିଲେ ଏବଂ ଏହାର ପ୍ରଥମ ଶିଖ୍ ଡେପୁଟି ଥିଲେ । ଧଲିୱାଲ୍ଙ୍କ ହତ୍ୟା ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଭାରତୀୟ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ । ଧଲିୱାଲ୍ ବିବାହିତ ଏବଂ ତାଙ୍କର ୩ ସନ୍ତାନ ଅଛନ୍ତି । ଟେକ୍ସାସ୍ ଗଭର୍ଣ୍ଣର ଗ୍ରେଗ୍ ଆବ୍ୱଟ୍ ଏକ ବିବୃତିରେ କହିଛନ୍ତି ଏହା ଆମ ପାଇଁ ଏକ ବଡ଼ କ୍ଷତି ଏବଂ ଧଲୱାଲ୍ଙ୍କ ହତ୍ୟାକାରୀକୁ ଉଚିତ୍ ଶାସ୍ତି ମିଳିବ ।୨୦୧୭ରେ ସାମୁଦ୍ରିକ ଝଡ଼ “ହାର୍ଭେକ୍’ ଟେକ୍ସାସରେ ଆତଙ୍କ ଖେଳାଇ ଦେଇଥିଲା । ଏହି ସମୟରେ ସନ୍ଦୀପ୍ ଧଲିୱାଲ୍ ତାଙ୍କ ସମ୍ପ୍ରଦାୟ ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ଢଙ୍ଗରେ କାମ କରି ଅନେକ ଜୀବନ ବଞ୍ଚାଇଥିଲେ । ଶିଖ୍ ସଂପ୍ରଦାୟ ପାଇଁ ସେ ଜଣେ ହିରୋ ଥିଲେ ବୋଲି ନ୍ୟୁୟର୍କ ପୁଲିସ ବିଭାଗ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ।