ଆମେରିକାରେ ୧୧ ଭାରତୀୟଙ୍କ ଜୀବନ ନେଲା କୋରୋନା, ୧୬ ପଜିଟିଭ୍
ଓ୍ବାଶିଂଟନ: କୋରୋନା ସଂକ୍ରମଣ ନେଇ ଆମେରିକାରେ ଆତଙ୍କ ଦେଖାଦେଇଛି। ଏଠାରେ କୋରୋନା ସଂକ୍ରମଣ ଯୋଗୁ ୧୧ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ନ୍ୟୁୟର୍କରେ ବାସ କରୁଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଆମେରିକାରେ ୧୬ ଜଣ ଭାରତୀୟ କୋରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୮ ଜଣ ନ୍ୟୁୟର୍କର ହୋଇଥିବାବେଳେ ୩ ଜଣ ନ୍ୟୁଜର୍ସି ଏବଂ ଅବଶିଷ୍ଟ କାଲିଫର୍ଣ୍ଣିଆରେ ବାସ କରୁଥିବା ପ୍ରଶାସନ କହିଛି। ସେମାନଙ୍କ ମଧ୍ୟରେ ୪ ମହିଳା ରହିଛନ୍ତି। ପଜିଟିଭ୍ ଭାରତୀୟଙ୍କୁ କ୍ୱାରେଣ୍ଟାଇନ୍ରେ ରଖାଯାଇଛି। ଏସବୁ ଭାରତୀୟମାନେ ଉତ୍ତରାଖଣ୍ଡ, ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ଉତ୍ତର ପ୍ରଦେଶର ବାସିନ୍ଦା ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ନ୍ୟୁୟର୍କ ଆମେରିକାରେ କୋରୋନା ସଂକ୍ରମଣର କେନ୍ଦ୍ରସ୍ଥଳ ପାଲଟିଥିବା କୁହାଯାଉଛି। ଏଠାରେ କୋରୋନାର ତାଣ୍ଡବ ଜାରି ରହିଛି। ଏଠାରେ ଇତିମଧ୍ୟରେ ୬ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ କୋରୋନା ସଂକ୍ରମଣ ଯୋଗୁ ଘଟିଛି। ସେହିପରି କେବଳ ନ୍ୟୁୟର୍କରେ ୧ ଲକ୍ଷ ୫୧ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି।