ଆମେରିକା ଭିସା ଥିବା ଭାରତୀୟ କରିପାରିବେ ଭିସାମୁକ୍ତ ଚିଲି ଯାତ୍ରା

• ଭାରତ-ଚିଲି ବ୍ୟାବସାୟିକ ମଂଚକୁ ସମ୍ବୋଧ କଲେ ରାଷ୍ଟ୍ରପତି • ଚିଲି ସାର୍ବଭୌମ ଅନୁଦାନ ପାଣ୍ଠିରୁ ଭାରତୀୟ ଭିତିଭୂମି କ୍ଷେତ୍ରରେ ନିବେଶ କରିବା ପାଇଁ ଆମନ୍ତ୍ରଣ • ଭାରତ ଓ ଚିଲି ମଧ୍ୟରେ ଖଣି, ସଂସ୍କୃତି ଏବଂ ଭିନ୍ନକ୍ଷମଙ୍କ ବିକାଶ କ୍ଷେତ୍ରରେ ୩ଟି ବୁଝାମଣା ପତ୍ର ସ୍ୱାକ୍ଷର.

ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ତାଙ୍କ ଚିଲି ଗସ୍ତ କ୍ରମରେ ସୋମବାର ଦିନ ଦୁଇ ଦେଶ ମଧ୍ୟରେ ଏକ ପ୍ରତିନିଧି ଦଳକୁ ସମ୍ବୋଧନ କରିଥିଲେ । ନିଜ ବକ୍ତବ୍ୟରେ ସେ କହିଥିଲେ, “ଲାଟିନ ଆମେରିକା ଅଂଚଳରେ ଚିଲି ହେଉଛି ଭାରତର ପଂଚମ ସର୍ବବୃହତ ବ୍ୟବସାୟିକ ଅଂଶୀଦାର । ଚିଲିରୁ ଭାରତକୁ ଆମଦାନୀ ହେଉଥିବା ଉତ୍ପାଦ ମଧ୍ୟରେ ତମ୍ବାର ପରିମାଣ ହେଉଛି ଶତକଡା ୮୫ ପ୍ରତିଶତରୁ ଅଧିକ । ଏହି ବ୍ୟବସାୟକୁ ଅଧିକ ସୁଦୃଢ଼ କରିବା ଲାଗି ଆମକୁ ଏଥିରେ ବିବିଧତା ଆଣିବାକୁ ପଡିବ । ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜଭୁତ କରିବା ଲାଗି ଚିଲି ପକ୍ଷରୁ ଆମେରିକା ଭିସା ଥିବା ଭାରତୀୟଙ୍କୁ ବିନା ଭିସାରେ ଚିଲି ଯାତ୍ରା କରିବା ପାଇଁ ଅନୁମତି ପ୍ରଦାନ କରାଯିବ । ଚିଲିର ଏହି ନିଷ୍ପତିକୁ ସ୍ୱାଗତ କରି ରାଷ୍ଟ୍ରପତି କହିଥିଲେ ଯେ ଏହା ଦ୍ୱାରା ଉଭୟ ଦେଶ ମଧ୍ୟରେ ସାଂସ୍କୃତିକ ଏବଂ ବ୍ୟବସାୟିକ ସମ୍ପର୍କ ବୃଦ୍ଧି ପାଇବ । ପୁଲୱାମା ସନ୍ତ୍ରାସବାଦ ଆକ୍ରମଣକୁ ଦୃଢ଼ ନିନ୍ଦା କରିଥିବାରୁ ରାଷ୍ଟ୍ରପତି ମଧ୍ୟ ଚିଲିକୁ ପ୍ରଶଂସା କରିଥିଲେ । ସନ୍ତ୍ରାସବାଦକୁ ସମୂଳେ ବିନାଶ କରିବା ପାଇଁ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ରାଜି ହୋଇଥିଲେ । ମେକ ଇନ ଇଣ୍ଡିଆ ଅନ୍ତର୍ଗତ ଯୁଗ୍ମ ଭାବେ ପ୍ରତିରକ୍ଷା ଉପକରଣ ନିର୍ମାଣ କରିବା ନେଇ ସୁଯୋଗ ଅନ୍ୱେଷଣ କରିବାକୁ ମଧ୍ୟ ଉଭୟ ଦେଶ ରାଜି ହୋଇଥିଲେ । ପରେ ଉଭୟ ଦେଶର ରାଷ୍ଟ୍ରପତି ଖଣି, ସଂସ୍କୃତି ଏବଂ ଭିନ୍ନକ୍ଷମଙ୍କ ବିକାଶ କ୍ଷେତ୍ରରେ ତିନୋଟି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ । ଏହାପରେ ରାଷ୍ଟ୍ରପତି ସାଂଟିଆଗୋଠାରେ ଭାରତ-ଚିଲି ବ୍ୟାବସାୟିକ ମଂଚକୁ ସମ୍ବୋଧନ କରିଥିଲେ । ଚିଲିର ସାର୍ବଭୌମ ଅନୁଦାନ ପାଂଠିରୁ ଭାରତର ଭିତିଭୂମି କ୍ଷେତ୍ରରେ ପୁଞ୍ଜିନିବେଶ କରିବା ପାଇଁ ରାଷ୍ଟ୍ରପତି ଆମନ୍ତ୍ରଣ କରିଥିଲେ । ଚିଲି ଗସ୍ତର ଶେଷ କାର୍ଯ୍ୟକ୍ରମ ଭାବେ ରାଷ୍ଟ୍ରପତି ‘ଯୁବଗୋଷ୍ଠୀଙ୍କ ପାଇଁ ଗାନ୍ଧୀ’ ଶୀର୍ଷକରେ ଚିଲି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ଚିଲି ଗସ୍ତ ପରେ ଭାରତକୁ ଫେରିବା ପୂର୍ବରୁ ରାଷ୍ଟ୍ରପତି କେପଟାଉନ ଯାତ୍ରା କରିବେ । ସେଠାରେ ସେ ଭାରତୀୟ ସମ୍ପ୍ରଦାୟଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ