ଆମେରିକା ହଲ୍ରେ ଓଡ଼ିଆ ସିନେମା
ଆମେରିକାର ହଲ୍ରେ ପଡ଼ିଛି ଓଡ଼ିଆ ସିନେମା । କଥାଟି ଶୁଣିବାକୁ ସତ ଲାଗୁ ନଥିଲେ ମଧ୍ୟ ଆଠ ଦଶନ୍ଧି ଅତିକ୍ରମ କରିବା ପରେ ଓଡ଼ିଆ ସିନେ ଜଗତ ଏଭଳି ଏକ ଭିନ୍ନ ଧରଣର ଇତିହାସ ରଚିଛି । ପ୍ରଥମ ଥର ପାଇଁ ଏକ ଓଲିଉଡ୍ ଫିଲ୍ମ ଆମେରିକାର ହଲ୍ରେ ମୁକ୍ତିଲାଭ କରିଛି । ବହୁଚର୍ଚ୍ଚିତ ଛବିରାଣୀ ହତ୍ୟାକାଣ୍ଡ ଉପରେ ନିର୍ମିତ ଚଳଚ୍ଚିତ୍ର “ଛବିରାଣୀ’ ଆମେରିକାର ବୋଷ୍ଟନ ସହରର ବେଲ୍ମସ୍ ଫୋର୍ଡ ହଲ୍ରେ ଗତ ଶନିବାର ମୁକ୍ତିଲାଭ କରିଛି । ଓଡ଼ିଆ ସୋସାଇଟି ଅଫ୍ ନ୍ୟୁ ଇଂଲଣ୍ଡ ପକ୍ଷରୁ ଏହିଭଳି ପଦକ୍ଷେପ ନିଆଯାଇଛି । ଆମେରିକାରେ ରହୁଥିବା ପ୍ରବାସୀ ଓଡ଼ିଆ ଅକ୍ଷୟ ମହାନ୍ତି, ଦେବଦତ୍ତ ବେହେରା ଓ ସୂର୍ଯ୍ୟ ମହାପାତ୍ର ପ୍ରମୁଖ ଓଡ଼ିଆ ସିନେ ଜଗତକୁ ଆଉ ପାଦେ ଆଗକୁ ନେବା ନିମନ୍ତେ ଏହି ପଦକ୍ଷେପ ନେଇଛନ୍ତି ।
ଏହି ଫିଲ୍ମଟି ଗତ ସେପ୍ଟେମ୍ବର ୧୯ ତାରିଖରେ ଓଡ଼ିଶାରେ ମୁକ୍ତିଲାଭ କରିଥିଲା । ବବି ଇସଲାମ୍ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଭିନେତା ଅମନ ପରାସର, ମିହିର ଦାସ, ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ ଓ ବାବୁ ପ୍ରଧାନଙ୍କ ପରି ବହୁ କଳାକାର ଅଭିନୟ କରିଛନ୍ତି । ବୁଦ୍ଧଦେବ ସାହୁ, ମନୋରମା ମହାପାତ୍ର ଓ ବୀରେନ ମହାପାତ୍ରଙ୍କ ପ୍ରଯୋଜନାରେ ଏହି ଚଳଚ୍ଚିତ୍ର ର୍ନିମାଣ କରାଯାଇଛି । ଆଗାମୀ ଦିନରେ ଅନ୍ୟ ଦେଶର ସିନେମା ହଲରେ ଏହି ଫିଲ୍ମ ମୁକ୍ତିଲାଭ କରିବାକୁ ଚେଷ୍ଟା କରାଯାଉଛି ବୋଲି ନିର୍ଦ୍ଦେଶକ ବବି ଇସ୍ଲାମ୍ କହିଛନ୍ତି ।


