ଆମେରିକା ହେବ ବିଶ୍ବର କୋରୋନା ସଂକ୍ରମଣ ହବ୍: ହୁ

ନ୍ୟୁୟର୍କ: ସାରା ବିଶ୍ବରେ ଏବେ କୋରୋନା ଭୂତାଣୁର ଆତଙ୍କ। ଏହି ନିଆଁରେ ବଳି ପଡୁଛନ୍ତି ବିଭିନ୍ନ ଦେଶର ନାଗରିକ। ଭୂତାଣୁକୁ ରୋକିବା ପାଇଁ କିଭଳି ମୁକାବିଲା କରାଯାଇପାରିବ ସେ ନେଇ ବିଶ୍ୱର ସମସ୍ତ ଦେଶକୁ ପରାମର୍ଶ ଦେଉଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ହୁ)। ତେବେ ଖୁବ୍‌ଶୀଘ୍ର ଆମେରିକା କୋରୋନା ସଂକ୍ରମଣର ବିଶ୍ବ ହବ୍ ପାଲଟିବାକୁ ଯାଉଛି ବୋଲି ହୁ ସତର୍କ କରାଇ ଦେଇଛି। ଭୂତାଣୁ ଦ୍ୱାରା ସଂକ୍ରମିତ ରୋଗୀ ତୁରନ୍ତ ମେଡିକାଲ ଯାଇ ଡାକ୍ତରୀ ପରାମର୍ଶ ନେବାକୁ ବିଭିନ୍ନ ଦେଶର ସରକାର ଏହାର ନାଗରିକ ମାନଙ୍କୁ ପରାମର୍ଶ ଦେଉଛନ୍ତି। ହେଲେ ଆମେରିକାରେ ଏହାର ଓଲଟା ଫଳ ଦେଖିବାକୁ ମିଳିଛି। କୋରୋନା ସଂକ୍ରମିତଙ୍କୁ ଘରେ ନିଃସଙ୍ଗବାସରେ ରହିବାକୁ ଆମେରିକୀୟ ଅଧିକାରୀମାନେ ପ୍ରସ୍ତାବ ଦେଉଛନ୍ତି। ସ୍ବାସ୍ଥ୍ୟ ଚିକିତ୍ସା ପାଇଁ ଅତ୍ୟାଧୁନିକ ଚିକିତ୍ସାଳୟ ଥିଲେ ହେଁ ସଂକ୍ରମିତଙ୍କୁ ଡାକ୍ତରଖାନା ନ ଆଣି ଘରେ ଚିକିତ୍ସା କରାଯାଉଛି। ଜନସଂଖ୍ୟା ଅନୁପାତରେ ଦେଶରେ ଅଧିକ ଲ୍ୟାବ୍‌ ଥିଲେ ହେଁ କୋରୋନା ସଂକ୍ରମିତଙ୍କ ତୁରନ୍ତ ପରୀକ୍ଷଣ କରାଯାଉନାହିଁ।
ଚୀନ୍‌ରେ ଏପର୍ଯ୍ୟନ୍ତ ୮୧, ୨୧୮ ସଂକ୍ରମିତଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଚାଲିଥିବାବେଳେ ମୃତକଙ୍କ ସଂଖ୍ୟା ୩,୨୮୧ରେ ପହଞ୍ଚିଛି। ସେହିପରି ଇଟାଲୀରେ ୬୯,୧୭୬ ଜଣ ସଂକ୍ରମିତଙ୍କ ଚିକିତ୍ସା ଚାଲିଥିବାବେଳେ ମୃତକଙ୍କ ସଂଖ୍ୟା ୭୦୦୦ ଡେଇଁଛି। ଖୁବ୍‌ ଶୀଘ୍ର ଆମେରିକା ଏହାକୁ ଅତିକ୍ରମ କରିବ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସତର୍କ କରାଇ ଦେଇଛି। ମାସକ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ବିଟ୍‌ କରି କହିଥିଲେ ଯେ, କୋରୋନା ଭୂତାଣୁ ସଂକ୍ରମଣରୁ ବର୍ତ୍ତିବା ପାଇଁ ଆମେରିକା ସକ୍ଷମ। ତେବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମନ୍ତବ୍ୟ ପରେ ଏହି ଦେଶର ମୁଖା ଖୋଲି ଯାଇଛି। ଚୀନ୍‌ ଓ ଇଟାଲୀ ପରେ କୋରୋନାର ଅନ୍ୟତମ କେନ୍ଦ୍ର ଆମେରିକା ହେବ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି।
ଆମେରିକାରେ ଏବେ ୫୪,୯୪୧ କୋରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ବ୍ୟତୀତ ଏହି ଭୂତାଣୁ ପ୍ରକୋପରେ ୭୮୪ ଲୋକଙ୍କ ମୃତ୍ୟୁ ଘଟିଛି। ଗତକାଲି ଗୋଟିଏ ଦିନରେ ଦେଶରେ ୧୦୧ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଦୁଇ ସପ୍ତାହ ପୂର୍ବରୁ ଆମେରିକାରେ ମାତ୍ର ୨ ହଜାର ସଂକ୍ରମିତ ଥିଲେ, ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୫୫ ହଜାରକୁ ବୃଦ୍ଧି ପାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଆମେରିକାକୁ ଚେତାବନୀ ଦେଇ କହିଛି ଯେ ଯଦି ସୁନିୟୋଜିତ ଯୋଜନାନୁଯାୟୀ ପଦକ୍ଷେପ ନିଆ ନଯାଏ ତେବେ ଖୁବ୍‌ ଶ୍ରୀଘ୍ର କୋରୋନାର କେନ୍ଦ୍ର ଆମେରିକା ପାଲଟିବାକୁ ଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ