ଆମ୍ବପୁଆ ସମିତି ସଭ୍ୟା ପ୍ରମିଳା ପ୍ରଧାନ ହେଲେ ବେଲଗୁଣ୍ଠା ବ୍ଳକ୍ ଉପାଧ୍ୟକ୍ଷା
ବେଲଗୁଣ୍ଠା, (ଯୁଗାବ୍ଦ ନ୍ୟୁଜ) :ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆମ୍ବପୁଆ ସମିତି ସଭ୍ୟା ପ୍ରମିଳା ପ୍ରଧାନ ବେଲଗୁଣ୍ଠା ବ୍ଳକ୍ ର ଉପାଧ୍ୟକ୍ଷା ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି I ବେଲଗୁଣ୍ଠା ପଂଚାୟତ ସମିତିର ଉପାଧ୍ୟକ୍ଷା ପାଇଁ ପୂର୍ବରୁ 47 ନମ୍ବର୍ ଜୋନ୍ ବଡ଼ ବୋର୍ସିଂ ପଂଚାୟତର ସମିତିସଭ୍ୟା ମମତା ଭୋଳ ଲବିରେ ସବୁଠୁ ଆଗରେ ରହିଥିଲେ I ତାଙ୍କ ପାଇଁ ବିଭିନ୍ନ ମହଲରୁ ଲବି ହୋଇ ଆସୁଥିଲା I ସେ ଲଗାତାର ଦୁଇଥର ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇଥିବାରୁ ତାଙ୍କୁ ଉପାଧ୍ୟକ୍ଷା ପଦବୀ ଦେବା ପାଇଁ ଲବି ହୋଇଥିଲା I କିନ୍ତୁ ଆଜି ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ପ୍ରମିଳା ଉପାଧ୍ୟକ୍ଷା ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି I ସେହିପରି ଶାସନ ପଂଚାୟତର ସମିତିସଭ୍ୟା ପିନାକୀନୀ ବିଷୋୟୀ, ବେଣୀପଲ୍ଲୀ ସମିତିସଭ୍ୟା ମମତା ମହାନ୍ତି ମଧ୍ୟ ଲବିରେ ରହିଥିଲେ I ଆଜି ପ୍ରମିଳା ପ୍ରଧାନ ଜଣେ ମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିବାରୁ ନିର୍ବାଚନ ଅଧିକାରୀ ତଥା ଭଞ୍ଜନଗର ବିଡ଼ିଓ ଅନୀଲ କୁମାର ସେଠୀ ପ୍ରମିଳାଙ୍କୁ ବ୍ଳକ୍ ଉପାଧ୍ୟକ୍ଷା ଭାବେ ଘୋଷଣା କରିଥିଲେ I ପ୍ରମିଳା ଙ୍କୁ ବ୍ଳକ୍ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ,ବେଣୀପଲ୍ଲୀ ସରପଞ୍ଚ ଦୁର୍ଗା ମାଧବ ନାୟକ, 47 ନମ୍ବର୍ ଜୋନ୍ ସଭାପତି ପ୍ରଦ୍ୟୁମ୍ନ କୁମାର ପାତ୍ର,49 ନମ୍ବର୍ ଜିଲ୍ଳା ପରିଷଦ୍ ସଭ୍ୟ ବିଦ୍ୟାଧର ବିଷୋୟୀ, ଉଢୁରା ସମିତିସଭ୍ୟ ସୁଧାଂଶୁ ଶେଖର ପୋଲାଇ,ବେଲଗୁଣ୍ଠା ପୂର୍ବତନ ନଗରପାଳ ଚନ୍ଦ୍ରମଣୀ ସାମଲ,ପୂର୍ବତନ ସରପଞ୍ଚ ଚନ୍ଦ୍ରଶେଖର ନାୟକ, କାଉନସିଲର ଦିବ୍ୟ ରଞ୍ଜନ ଦାଶ ପ୍ରମୁଖ ପ୍ରମିଳାଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଥିଲେ I ଏହାପରେ ଏକ ଖୋଲା ଜିପ୍ ରେ ପ୍ରମିଳା, ବ୍ଳକ୍ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ ଏବଂ ସମସ୍ତ ସମିତିସଭ୍ୟ ଶୋଭାଯାତ୍ରାରେ ଲକ୍ଷ୍ମୀ ନୃସିଂହ ମନ୍ଦିର ଯାଇ ଠାକୁରଙ୍କ ଆଶୀର୍ବାଦ ଭିକ୍ଷା କରି ଆମ୍ବପୁଆ ଏବଂ ବେଲଗୁଣ୍ଠାରେ ବିଜୟ ଶୋଭାଯାତ୍ରା କରିଥିଲେ I ଆଗାମୀ ଦିନରେ ସମସ୍ତଙ୍କୁ ସାଥିରେ ନେଇ କାମ କରିବେ ବୋଲି ବ୍ଳକ୍ ଉପାଧ୍ୟକ୍ଷା ପ୍ରମିଳା ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି I


