ଆମ୍ବୁଲାନ୍ସକୁ ବାଟ ଛାଡନ୍ତୁ ରଙ୍ଗ ତୂଳୀରେ ଚକ୍ରବ୍ୟୂହରେ ଆମ୍ବୁଲାନ୍ସ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପାଳନ ଚାଲିଛି ଜାତୀୟ ସଡ଼କ ସୁରକ୍ଷା ମାସ । ଏନେଇ କେଉଁଠି ସଭା, ଆଲୋଚନାଚକ୍ର, ର୍ୟାଲି ଚାଲିଥିବା ବେଳେ ରାଜଧାନୀ ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳର ୧୦ବର୍ଷ ବୟସର କୁନି ଚିତ୍ରଶିଳ୍ପୀ ଶାନ୍ତନୁ ଶାନ୍ତିସ୍ୱରୂପ ରଙ୍ଗ ତୂଳୀରେ “ଚକ୍ରବ୍ୟୂହରେ ଆମ୍ବୁଲାନ୍ସ” ଶୀର୍ଷକ ଚିତ୍ର ଆଙ୍କି ସଡ଼କ ସୁରକ୍ଷା, ଜୀବନ ରକ୍ଷାର ବଳିଷ୍ଠ ବାର୍ତ୍ତା ଦେଇଛନ୍ତି । ଦେଖିବାକୁ ମିଳୁଛି ଅନେକ ସମୟରେ ସ୍ମାର୍ଟନଗରୀ ଭୁବନେଶ୍ୱରରେ ଟ୍ରାଫିକ୍ ଭିଡ଼ ଭିତରେ ଦୀର୍ଘ ସମୟ ଧରି ଆମ୍ବୁଲାନ୍ସ ଫସି ରହୁଛି । ତାହା କୌଣସି ଚକ୍ରବ୍ୟୂହ ଠୁ କମ୍ ନୁହେଁ । ଚାଲିଯାଉଛି ଅନେକ ମୂଲ୍ୟବାନ୍ ଜୀବନ । ଆମ୍ବୁଲାନ୍ସ ଯିବା ଆସିବା ଲାଗି ନିର୍ଦ୍ଦିଷ୍ଟ ପଥ ଚିହ୍ନଟ ହେଉ । ଏ ସମ୍ପର୍କରେ ଜନସାଧାରଣମାନଙ୍କୁ ସଚେତନତା ଲାଗି ଆମ୍ବୁଲାନ୍ସ ପଥରେ ସୂଚନା ଫଳକ ଲଗାଯାଉ । ଆମ୍ବୁଲାନ୍ସ ପଥ ଅବରୋଧକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ କିମ୍ବା ମୋଟା ଅଙ୍କର ଜୋରିମାନା ହେଉ । ସମସ୍ତେ ଭାବିବା ଦରକାର ଆମ୍ବୁଲାନ୍ସରେ ନିଜ ପରିବାର ଓ ବନ୍ଧୁ ପରିଜନ ଯାଉଛନ୍ତି । ଆମ୍ବୁଲାନ୍ସ ସାଇରନ୍ ଶୁଣିବା ମାତ୍ରେ ରାସ୍ତାକଡ଼ରେ ନିଜର ଯାନବାହାନକୁ ଅଟକାଇ ଆମ୍ବୁଲାନ୍ସକୁ ବାଟ ଛାଡ଼ିବା ପାଇଁ ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ଶାନ୍ତନୁ ଚିତ୍ର ମାଧ୍ୟମରେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।