ଆମ୍ବୁଲାନ୍ସ ଧକ୍କାରେ ନାବାଳିକାର ମୃତ୍ୟୁକୁ ନେଇ ଉତ୍ତେଜନା ଓ ରାସ୍ତାରୋକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ତଥା ଗୋଷାଣୀ ବ୍ଲକ ଅନ୍ତର୍ଗତ କତଳକଇଠା ଗ୍ରାମ ମୁଖ୍ୟ ରାସ୍ତାରେ ଏକ ଆମ୍ବୁଲାନ୍ସ ଧକ୍କାରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଥିବାର ଜଣାପଡିଛି । ଏହି ଦୁର୍ଘଟଣା ପରେ ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତାରୋକ ଓ ଉତ୍ତେଜନା ପରିସ୍ଥିତି ଉପୁଜିଥିଲା । ଘଟଣାରୁ ପ୍ରକାଶ ଯେ ଗଜପତି ଜିଲ୍ଲା ରାୟଗଡ ପଟୁ “ଦିପ୍ତି ସଦନ” ପାରଳାଖେମୁଣ୍ଡିର ଏକ ଘରୋଇ ଆମ୍ବୁଲାନ୍ସ (ଓଆର୍ ୦୭ ଜେ ୭୩୦୯) ଦୁଇଜଣ ମହିଳା କର୍ମଚାରୀଙ୍କୁ ନେଇ ଆସୁଥିବା ବେଳେ କତଳକଇଠା ଗ୍ରାମରେ ବି.ଲକ୍ଷ୍ମୀ ନାମକ ଜଣେ ୧୦ବର୍ଷିଆ ନାବାଳିକାଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ନାବାଳିକାଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ଗ୍ରାମବାସୀ ଆମ୍ବୁଲାନ୍ସଟିକୁ ଦେଖିଥିଲେ । ସେଥିରେ କଦଳୀ ଫେଣା, କଦଳୀ ଗଛ ମଞ୍ଜା, ପନିପରିବା, ବସ୍ତା ଆଦି ଦେଖି ଉତ୍ତେଜିତ ହୋଇଥିଲେ । ଏହାପରେ ରାସ୍ତାରୋକ ମଧ୍ୟ କରିଥିଲେ । ଗ୍ରାମବାସୀଙ୍କ କହିବା ମୁତାବକ ଗୋଟିଏ ଆମ୍ବୁଲାନ୍ସରେ କିଭଳି ଏପରି ପନିପରିବା ରହିଥିଲା ଏବଂ ଏହା ଆମ୍ବୁଲାନ୍ସ ନା କୌଣସି ହୋଟେଲର ଗାଡି ବୋଲି ନାନାଦି ପ୍ରଶ୍ନ କରି ଉତ୍ତେଜିତ ହେବା ସହ କ୍ଷତିପୁରଣ ଦାବିରେ ରାସ୍ତା ରୋକ କରିଥିଲେ । ଫଳରେ ପାରଳାଖେମୁଣ୍ଡି-ମୋହନା, ଆର୍‌.ଉଦୟଗିରି, ରାମଗିରି, ଚନ୍ଦ୍ରଗିରି, ବ୍ରହ୍ମପୁର ମୁଖ୍ୟ ରାସ୍ତା ଜାତୀୟ ରାଜପଥ ୩୨୬-ଏ ଘଣ୍ଟା ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ । ଫଳରେ ଜାତୀୟ ରାଜପଥରେ ଗାଡି ଗୁଡିକ ଅପେକ୍ଷା କରି ରହିଥିଲେ । ଘଟଣା ସମ୍ପର୍କରେ ପାରଳାଖେମୁଣ୍ଡି ଆଦର୍ଶ ଥାନା, ଗୁରାଣ୍ଡି ଥାନା ଓ ରାୟଗଡ ଥାନା ପୋଲିସ ପହଞ୍ôଚ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ରୋକ ହଟିଥିଲା । ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ସନ୍ଧ୍ୟା ୭ ସମୟରେ ଶବକୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଦିଆଯାଇଛି । ଅପରପକ୍ଷେ କ୍ଷତିପୁରଣ ବାବଦରେ ୫ଲକ୍ଷ ଟଙ୍କା ଦାବି କାରାଯାଇଥିବା ଏବଂ ଏନେଇ ଘରୋଇ ଆମ୍ବୁଲାନ୍ସର ମାଲିକଙ୍କ ସହ ମୃତକ ନାବାଳିକାଙ୍କ ପରିବାର ବର୍ଗ ଏବଂ ଗ୍ରାମବାସୀମାନେ କଥାବାର୍ତ୍ତା ହେଉଥିବାର ଜଣାପଡିଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ