ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ , ଚାଲିଗଲା ୫ବର୍ଷ ଶିଶୁ ର ଜୀବନ
ନିମାପଡା, (ସନ୍ତୋଷ ଦାଶ):ଠିକ୍ ସମୟ ରେ ଆମ୍ବୁଲାନ୍ସ ପହଞ୍ଚି ପାରିଲାନି, ଚିକିତ୍ସା ନପାଇ ଜଣେ ୫ ବର୍ଷ ର ଶିଶୁ ପ୍ରାଣ ହରାଇଲେ। ଏପରି ଦୁଃଖଦ ଘଟଣା ଘଟିଛି ନିମାପଡା ବ୍ଲକ୍ ନାକଡ଼ିହ ଗ୍ରାମରେ।ମିଳିଥିବା ସୂଚନା ଅନୁସାରେ ଗତ କାଲି ନାକଡିହ ଗ୍ରାମର ଭରତ ସ୍ଵାଇଁ ଙ୍କ ପୁଅ କୃଷ୍ଣ (୫) ଙ୍କୁ ତାଙ୍କ ଘରେ ଏକ ନାଗ ସାପ କାମୁଡି ଦେବାପରେ ପରିବାର ଲୋକ ମାନେ ତାଙ୍କୁ ଚିକିତ୍ସା ପାଇଁ ନିମାପଡା ସ୍ଵାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରିଥିଲେ । କିନ୍ତୁ ସ୍ଵାସ୍ଥ୍ୟ କେନ୍ଦ୍ର ରେ ୧୦୮ ଆମ୍ବୁଲାନ୍ସ ନଥିଲା। ପରିବାର ଲୋକମାନେ ୧୦୮କୁ ଫୋନ କରି ତୁରନ୍ତ ଆମ୍ବୁଲାନ୍ସ ଟିଏ ନିମାପଡା ସ୍ଵାସ୍ଥ୍ୟ କେନ୍ଦ୍ର କୁ ପଠାଇବାକୁ ଅନୁରୋଧ କରିଥିଲେ ।ପ୍ରାୟ ୪୦ ମିନିଟ ବିତିଥିଲେ ମଧ୍ୟ ୧୦୮ ଆମ୍ବୁଲାନ୍ସ ଆସିନଥିଲା। ବାଧ୍ୟହୋଇ ପରିବାର ଲୋକମାନେ ଏକ ବେସରକାରୀ ଆମ୍ବୁଲାନ୍ସ ଭଡ଼ା କରି ଶିଶୁ କୁ ଭୁବନେଶ୍ୱର ନେଇଥିଲେ ଚିକିତ୍ସା ପାଇଁ। ଦୁଃଖ ର ବିଷୟ ଭୁବନେଶ୍ୱର ରେ ପହଞ୍ଚିବା ପୂର୍ବରୁ ଶିଶୁଟି ମୃତ୍ୟୁବରଣ କରିଥିଲା। ଯଦି ଠିକ୍ ସମୟ ରେ ଆମ୍ବୁଲାନ୍ସ ମିଳିଥାନ୍ତା ତେବେ ଶିଶୁ ଟି ର ଜୀବନ ରକ୍ଷା ହୋଇ ଯାଇଥାନ୍ତା ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି। ଉକ୍ତ ଗ୍ରାମ ର ଗ୍ରାମବାସୀ ମାନେ ନିମାପଡା ସ୍ଵାସ୍ଥ୍ୟ କେନ୍ଦ୍ର ରେ ହୋ ହାଲ୍ଲା କରି ଥିଲେ। ପୋଲିସ ସେଠାରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝା ବୁଝି କରିବା ପରେ ଅଵସ୍ଥା ଶାନ୍ତ ପଡିଥିଲା। ନିମାପଡା ପରି ଏକ ଜନ ବହୁଳ ଅଂଚଳ ପାଇଁ ଗୋଟିଏ ୧୦୮ ଆମ୍ବୁଲାନ୍ସ ଯଥେଷ୍ଟ ହେଉନାହିଁ। ଆଉ ଅଧିକ ଗୋଟିଏ ଆମ୍ବୁଲାନ୍ସ ନିମାପଡା ସ୍ଵାସ୍ଥ୍ୟ କେନ୍ଦ୍ର କୁ ଯୋଗାଇ ଦେବାକୁ ସାଧାରଣ ରେ ଦାବି ହେଉଛି ।