ଆମ୍ବେଦକର ଲୋହିଆ ବିଚାରମଞ୍ଚର ରାଜ୍ୟ କମିଟି ବୈଠକ
ରାଜ୍ୟର ଅଗ୍ରଣୀ ଗଣସଂଗଠନ ଆମ୍ବେଦର ଲୋହିଆ ବିଚାରମଞ୍ଚର ସର୍ବୋଚ୍ଚ ନୀତି ନିୟନ୍ତ୍ରକ ରାଜ୍ୟ କମିଟି ବୈଠକ ଗତକାଲି ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଦେଶର ରାଜନୈତିକ ଘଟଣାବଳୀ ସମ୍ପର୍କରେ ଗଭୀର ଉଦ୍ବେଗ ପ୍ରକାଶ କରାଯାଇଛି ଓ ନାଗରିକତା ସଂଶୋଧନ ଆଇନ୍, ୨୦୧୯ ସମ୍ବିଧାନର ମୌଳିକ ସଂରଚନା ଓ ଭାବଧାରା ବିରୋଧୀ ହୋଇଥିବାରୁ ଏହାକୁ ବିରୋଧ କରାଯାଇଛି । ନାଗରିକ ସଂଶୋଧଦନ ଆଇନ୍, ୨୦୧୯ରେ ଧର୍ମୀୟ ଆଧାରରେ ଭେଦଭାବ କରାଯାଇଥିବାରୁ ଏହା ସମ୍ବିଧାନର ଧାରା-୧୪ ଓ ୧୫କୁ ଉଲଂଘନ କରୁଛି । ସମ୍ବିଧାନର ପ୍ରସ୍ତାବନାରେ ନ୍ୟାୟ, ସ୍ୱତନ୍ତ୍ରତା, ସମାନତା ଓ ଭାଇଚାରା ତଥା ଧର୍ମନିରପେକ୍ଷ ଗଣତନ୍ତ୍ରିକ ସାଧାରଣତନ୍ତ୍ର ସମ୍ପର୍କରେ ଉଲ୍ଲେଖ ଥିଲାବେଳେ, ଏହି ଆଇନ୍ ଏହାର ପରିପନ୍ଥୀ ଅଟେ । ଏହି ଆଇନ ଦେଶକୁ ଧର୍ମ ଆଧାରରେ ବିଭାଜିତ କରିବ ଓ ଦେଶର ଏକତା ପ୍ରତି ବିପଦ ସୃଷ୍ଟି କରିବ । ଏଭଳି ଏକ ଆଇନକୁ ବିଚାର ମଞ୍ଚ ବିରୋଧ କରୁଛି ଓ ଏହାକୁ ରଦ୍ଦ କରିବାକୁ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଦୃଢ ଦାବି କରୁଅଛି । ଏହି ଆଇନ୍କୁ ରଦ୍ଦ କରିବା ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ସମସ୍ତ ସାଂସଦଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯିବା ସହିତ ଏ ସମ୍ପର୍କରେ ଜନଜାଗରଣ କାର୍ଯ୍ୟକମ ଗ୍ରହଣ କରାଯିବାକୁ ମଞ୍ଚ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ମଞ୍ଚର ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କମିଟି ବୈଠକରେ ସଭାପତି ସଂଗ୍ରାମ ମଲିକ, ଉପସଭାପତି ଡ଼ଲି ଦାଶ, ସାଧାରଣ ସମ୍ପାଦକ କିସାନ ପଟ୍ଟନାୟକ, ସମ୍ପାଦକ ତପନ ସାମଲଙ୍କ ସମେତ ଅଭିମନ୍ୟୁ ସେଠୀ, ଗିରିଶ ଚନ୍ଦ୍ର ନାୟକ, ଗୀତାଞ୍ଜଳି ମହାନ୍ତ, ସଙ୍ଗୀତ କିସାନ, ବଂଶୀଧର ନାୟକ, କୀର୍ତ୍ତନ ନାୟକ ପ୍ରମୁଖ ସଦସ୍ୟବୃନ୍ଦ ଯୋଗ ଦେଇଥିଲେ ।