ଆମ ପରମ୍ପରା ହେଉଛି ଋଷି ପରମ୍ପରା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଶ୍ରୀ ଜଗନ୍ନାଥ ସଂସ୍କୃତିର ଅନନ୍ୟ ପ୍ରଚାରକ, ଭାଗବତ କଥାକାର, ସଦ୍‌ଗୁରୁ ଠାକୁର ନିଗମାନନ୍ଦ ସରସ୍ୱତୀଙ୍କ ଅନନ୍ୟ ଶିଷ୍ୟ, ନିଗମ କଳ୍ପତରୁ ଆଶ୍ରମର ପ୍ରତିଷ୍ଠାତା, ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ମହାରାଜଙ୍କ ସ୍ୱନକ୍ଷତ୍ର ଉତ୍ସବ, ଶନିବାର ପୂର୍ବାହ୍ନରେ ରୁଦ୍ରବିହାରସ୍ଥିତ ନିଗମ କଳ୍ପତରୁ ଆଶ୍ରମ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ସ୍ୱାମୀ ଶିବଚିଦାନନ୍ଦ ସରସ୍ୱତୀ ମହାରାଜ କହିଲେ ଯେ, ଆମ ପରମ୍ପରା ହଉଛି ବୈଦିକ ପରମ୍ପରା ତଥା ଋଷି ପରମ୍ପରା । ଗୁରୁ କେବଳ ଜ୍ଞାନଦାତା ନୁହଁନ୍ତି, ସେ ଶିଷ୍ୟର ପଥ ପ୍ରଦର୍ଶକ । ମୁଖ୍ୟ ଅତିଥି ପ୍ରଫେସର ଡଃ ହରେକୃଷ୍ଣ ଶତପଥି କହିଲେ ଯେ, ଶ୍ରୀ ଜଗନ୍ନାଥ ଧର୍ମ, ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର କ୍ଷେତ୍ରରେ ସ୍ୱାମୀ ବ୍ରହ୍ମାନନ୍ଦ ଜଣେ ଜ୍ଞାନଦୀପ୍ତ ସନ୍ନ୍ୟାସୀ । ସେ ସବୁଧର୍ମ ମତବାଦକୁ ସମ୍ମାନ ଦେବା ସହ ବୈଦିକ ସିଦ୍ଧାନ୍ତର ଜଣେ ବାର୍ତ୍ତାବହ । ଅନ୍ୟତମ ଅତିଥି ପ୍ରଫେସର ଡଃ ଦାସ ବେନୁହୁର ସ୍ୱାମିଜୀଙ୍କୁ ଜଣେ ଦରଦୀ ବନ୍ଧୁ ଭାବେ ବର୍ଣ୍ଣନା କରିଥିଲେ । କାଠ ପାଷାଣର ପୂଜା ଠାରୁ ମଣିଷର ପୂଜା ପ୍ରଥମେ ହେବା ଉଚିତ ବୋଲି ସେ କହିଥିଲେ । ଅଧ୍ୟାପକ ବିଶ୍ୱରଞ୍ଜନ ଗୁରୁ ଆଶୀର୍ବାଦ ମଣିଷକୁ ସମାଜର ମୁଖ୍ୟସ୍ରୋତରେ ଠିଆ ହେବା ପାଇଁ ସାହସ ଦେଇଥାଏ ବୋଲି କହିଥିଲେ ।ସମ୍ମାନିତ ଅତିଥି ବାଗ୍ମୀ ପ୍ରଦ୍ୟୁମ୍ନ ଶତପଥି ସ୍ୱାମିଜୀଙ୍କ ଆଦର୍ଶ ଜୀବନଚର୍ଯ୍ୟା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ବୋଲି କହିଥିଲେ । ବାବା ବିଶ୍ୱନାଥ ଦାସ ସ୍ୱାମିଜୀଙ୍କୁ ଅଦ୍ୱୈତ ବ୍ରହ୍ମର ଶ୍ରେଷ୍ଠ ବାଖ୍ୟାକାର ବୋଲି କହିଥିଲେ । ରେକି ମିଶନର ସନ୍ଥ ଶ୍ରୀ ସ୍ୱାମିଜୀଙ୍କ ବନ୍ଧୁ ବତ୍ସଳତା ଅନ୍ୟକୁ ଆପଣେଇ ନେବାର ଗୁଣ ଅନ୍ୟମାନଙ୍କ ପାଇଁ ଶିକ୍ଷଣୀୟ । ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ୱତୀ ଆଶୀର୍ବଚନ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବେଦବିତ୍ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡଃ ବଦ୍ରୀନାଥ ପଟ୍ଟନାୟକ, ପୂର୍ବ ପ୍ରଶାସକ ନରେନ୍ଦ୍ର କୁମାର ମିଶ୍ର, ଡଃ ବିଜୟାନନ୍ଦ ସିଂହ, ଶ୍ରୀମନ୍ଦିରର ସାମନ୍ତ ସିଦ୍ଧେଶ୍ୱର ମହାପାତ୍ର, ଡଃ ପଦ୍ମନାଭ ତ୍ରିପାଠୀ, ଶ୍ରୀଜଗନ୍ନାଥ ଗବେଷକ ପ୍ରଫେସର ସୁରେନ୍ଦ୍ର ନାଥ ଦାସ ପ୍ରମୁଖ ସ୍ୱାମୀ ବ୍ରହ୍ମାନନ୍ଦଙ୍କ ତେଜସ୍ୱୀ ବ୍ୟକ୍ତିତ୍ୱ ଓ ତାଙ୍କର ପ୍ରଭାବଶାଳୀ ସ୍ପଷ୍ଟବାଦୀ ବକ୍ତବ୍ୟ ସାଧାରଣ ଜନତାଙ୍କୁ ଆକୃଷ୍ଟ କରିଥାଏ ବୋଲି କହିଥିଲେ । ଏହି ଅବସରରେ ଆଶ୍ରମର ପରିଚାଳକ ବ୍ରହ୍ମଚାରୀ ଆନନ୍ଦ ଚୈତନ୍ୟଙ୍କ ସମ୍ପାଦନାରେ ବ୍ରହ୍ମାନନ୍ଦ ସନ୍ଦେଶ ପ୍ରଫେସର ବ୍ରଜବନ୍ଧୁ ପଣ୍ଡାଙ୍କ ଲିଖିତ ‘ଅନନ୍ୟା କଳିଙ୍ଗ କନ୍ୟା’, ଶ୍ରୀମତୀ ଗୀତାଞ୍ଜଳି ପାଣିଙ୍କ ରଚିତ ‘କୋମଳ ଗାନ୍ଧାର ଓ ନୀଳ ଜ୍ୟୋତ୍ସ୍ନା’ ଏବଂ ଶୁଭେନ୍ଦୁ ଶେଖର ସ୍ୱାଇଁଙ୍କ ସମ୍ପାଦିତ ‘ଆମ ପ୍ରଣାମ’ ପତ୍ରିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଙ୍ଗୀତଜ୍ଞା ଶ୍ରୀମତୀ ଗୀତା ଦାସ ଓ ଶ୍ରୀମତୀ ଅନିନ୍ଦିତା ଦାସ ଭଜନ ପରିବେଷଣ କରିଥିଲେ । ଏହି ଅବସରରେ ପ୍ରଫେସର ସମରେନ୍ଦ୍ର ନାଥ ଦାସ, ଶ୍ରୀ ରାଜାରାମ ଶତପଥୀ, ପ୍ରଫେସର ଜିତେନ୍ଦ୍ର ନାରାୟଣ ଦାସ, ଗାୟକ ରମେଶ ଚନ୍ଦ୍ର ପଣ୍ଡା, ଡାକ୍ତର ଦୀନବନ୍ଧୁ ମହାରଣା, ଡଃ ବ୍ରଜବନ୍ଧୁ ପଣ୍ଡା, ସୁଧାଂଶୁ ଜେନା, ଡଃ ଗୌତମ ମହାରଣା, ଡଃ ମନୋଜ ଲେଙ୍କା, ଶରତ କୁମାର ସାହୁ, ତ୍ରୈଲୋକ୍ୟ ବାବୁ, ପଣ୍ଡିତ ପଦ୍ମନାଭ ତ୍ରିପାଠୀ, ପଣ୍ଡିତ ଦିବାକର ଦାସଙ୍କୁ କଳିଙ୍ଗ ପ୍ରଜ୍ଞା ଗୌରବ ସମ୍ମାନ-୨୦୨୪ରେ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ବ୍ରହ୍ମଚାରୀ ଆନନ୍ଦ ଚୈତନ୍ୟ ମହାରାଜ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବ ପ୍ରଶାସକ ସହଦେବ ଜୟସିଂହ, ଅମରେନ୍ଦ୍ର ମହାପାତ୍ର, ଡଃ ମିହିର ପଟ୍ଟନାୟକ, ନ୍ୟାୟଧୀଶ ସଞ୍ଜୟ କୁମାର ପଣ୍ଡା, ଆଡ଼ଭୋକେଟ ବନ ମହାନ୍ତି, ସ୍ୱାମୀ ହରିଶରଣା ନନ୍ଦ ସରସ୍ୱତୀ, ଗ୍ରହାଚାର୍ଯ୍ୟ ରାଜକିଶୋର ନାୟକ, ଶ୍ରୀମତୀ ବିଳାସିନୀ ବ୍ରହ୍ମା, ସମାଜସେବୀ ବରୁଣ ରାଜ, ସ୍ୱାମୀ ଓମାନନ୍ଦ, ସନ୍ତୋଷ ଚୈତନ୍ୟ ମହାରାଜ, ସତ୍ୟ ଚୈତନ୍ୟ ମହାରାଜ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ