ଆମ ପୁଲିସ ସମିତି ପକ୍ଷରୁ ଜଳଛତ୍ର
କୋଣାର୍କ (ଜୁଗାବ୍ଦ ନ୍ୟୁଜ୍): କୋଣାର୍କ ଥାନା ଆମ ପୁଲିସ ସମିତି ପକ୍ଷରୁ ଥାନା ସମ୍ମୁଖରେ ଜଳଛତ୍ର ଖୋଲାଯାଇଛି । କୋଣାର୍କ ଏନ୍ଏସି ପକ୍ଷରୁ ପର୍ଯ୍ୟଟକଙ୍କ ଲାଗି ଏ ପର୍ଯ୍ୟନ୍ତ କୌଣସି ସ୍ଥାନରେ ଜଳଛତ୍ର ଖୋଲାଯାଇନଥିବାବେଳେ ଆମ ପୁଲିସ ସମିତି ପକ୍ଷରୁ ଏହି ଜଳଛତ୍ର ଖୋଲାଯିବା ପରେ ସାଧାରଣରେ ଆଲୋଚନାର ବିଷୟ ପାଲଟିଛି । ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବାବେଳେ ସରକାରୀ ସ୍ତରରେ ଜଳଛତ୍ର ଖୋଲାଯାଇନଥିବା ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଏନ୍ଏସି କର୍ତ୍ତୃପକ୍ଷ ଜଳଛତ୍ର ଖୋଲିବା ପାଇଁ ଆଗଭର ହେଉନଥିବା କେତେକ କର୍ମଚାରୀ ପ୍ରକାଶ କରିଛନ୍ତି । ଶନିବାର କୋଣାର୍କ ଥାନା ସମ୍ମୁଖରେ ଆମ ପୁଲିସ ସମିତି ପକ୍ଷରୁ ଖୋଲାଯାଇଥିବା ଜଳଛତ୍ରକୁ ଥାନାଧିକାରୀ ସଞ୍ଜିବ୍ କୁମାର ପ୍ରଧାନ ଉଦ୍ଘାଟନ କରିଛନ୍ତି । ସମାଜସେବୀ ରାମକୃଷ୍ଣ ମହାନ୍ତି, ସନ୍ତୋଷ ପାଇକରାୟ, ଅଜିତ୍ ପ୍ରସାଦ ମହାନ୍ତି, ଶ୍ରୀଧର ମଲ୍ଲିକ୍ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କୁ ଦହି ସର୍ବତ ବଣ୍ଟନ କରିଥିଲେ ।