ଆମ ପୋଲିସ୍ ସମିତି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
ଛତ୍ରପୁର, (ଦେବଦତ୍ତ ମହାରଣା) : ଆଉ କିଛି ଦିନ ପରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ହେବ । ଏହାକୁ ଦୃଷ୍ଟି ରେ ପଂଚାୟତ ଗୁଡିକରେ ଅବାଧ, ନିରପେକ୍ଷ ଓ ଶୃଙ୍ଖଳିତ ନିର୍ବାଚନ ପରିଚାଳନା କରିବା ପାଇଁ ଏବେଠୁ ହିଁ ଉଦ୍ୟମ ଆରମ୍ଭ କରିଛି ଛତ୍ରପୁର ଥାନା ପୋଲିସ୍ । ଗଞ୍ଜାମ ଏସପିଙ୍କ ନିର୍ଦେଶକ୍ରମେ ଛତ୍ରପୁର ଥାନା ପୋଲିସ୍ ପକ୍ଷରୁ ଥାନା ଅଧିନରେ ଥିବା ବିଭିନ୍ନ ଗ୍ରାମ ଗୁଡିକରେ ଜନସାଧାରଣଙ୍କୁ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଏହି କ୍ରମରେ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ହଂସପୁର ଗ୍ରାମରେ ଛତ୍ରପୁର ଥାନା ଆମ ପୋଲିସ୍ ସମିତି ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ପୋଲିସ ଜିଲ୍ଲାର ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗ୍ରାମବାସୀଙ୍କୁ ବିଭିନ୍ନ ବିଷୟ ନେଇ ସଚେତନତା କରିଛନ୍ତି । ଆଗକୁ ପଂଚାୟତ ନିର୍ବାଚନ ରହିଛି । ଗ୍ରାମରେ ଯେଉଁ ମାନେ ବିଶୃଙ୍ଖଳା ସୃଷ୍ଟି କରିବେ ବୋଲି ଅନୁମାନ କରୁଛନ୍ତି ତେବେ ସେମାନଙ୍କ ବିଷୟରେ ପୋଲିସ୍ କୁ ସୂଚନା ଦେବା ସହ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଗ୍ରାମରେ ଅସାମାଜିକ କାର୍ଯ୍ୟରେ ଜଡିତ ରହୁଥିବା ବ୍ୟକ୍ତିଙ୍କ ବିଷୟରେ ସୂଚନା ଦେବା ପାଇଁ କୁହାଯାଇଛି । ଏହା ସହ ବେଆଇନ ମଦ କାରବାର,ଜୁଆ ଖେଳ,ଘରୋଇ ହିଂସା ,ଗୁଣି ଗାରେଡି ଠାରୁ ଆରମ୍ଭ କରି ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ରୁ ଦୁରେଇ ରହିବା ଏବଂ କୋଭିଡ୍ ନିୟମ ମାନିବା ପାଇଁ ଅତିରିକ୍ତ ଏସପି ଶ୍ରୀ ପାତ୍ର ଉପସ୍ଥିତ ଗ୍ରାମବାସୀମାନଙ୍କୁ ପରାମର୍ଶ ଦେଇଥିଲେ । ପ୍ରତ୍ୟେକ ସମୟରେ ଗ୍ରାମବାସୀ ଓ ପୋଲିସ୍ଙ୍କ ସହ ଉତ୍ତମ ସମନ୍ୱୟ ରଖି କାର୍ଯ୍ୟ କରିବେ ତେବେ ପୋଲିସ୍ ଉଚିତ୍ ସମୟରେ ସହଯୋଗ କରିପାରିବ । ମହିଳା, ଶିଶୁ ଏବଂ ବୃଦ୍ଧ ବୃଦ୍ଧା ମାନଙ୍କୁ ସୁରକ୍ଷା ଦେବା ଲାଗି ପୋଲିସ୍ ଦିନ ରାତି କାମ କରୁଛି । ଏଥିପାଇଁ ଥାନାରେ ସ୍ୱତନ୍ତ୍ର କକ୍ଷ ରହିଛି । ଗ୍ରାମବାସୀ ପୋଲିସ୍ ସେବା କିଭଳି ସଠିକ୍ ସମୟରେ ପାଇପାରିବେ ତାହାକୁ ନେଇ ସଚେତନତା ରହିବାକୁ ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ପ୍ରଧାନ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଛତ୍ରପୁର ଥାନାର ଏସଆଇ ସିଲୁ ଧଳ, ଗ୍ରାମର ସଭାପତି ରାଜେନ୍ଦ୍ର ନାହାକ, ସମ୍ପାଦକ ରଘୁନାଥ ପ୍ରଧାନ, ପୂର୍ବତନ ସରପଞ୍ଚ ଭଗବାନ ନାହାକ, ଅଶ୍ୱିନୀ ବିଶ୍ୱାଳ, ଯୁଧିଷ୍ଠିର ବିଶ୍ୱାଳ, ସୁରେନ୍ଦ୍ର ସେଠିଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।


