ଆରଏସ୍ଏସ୍ର ଅଖିଳ ଭାରତୀୟ ପ୍ରତିନିଧି ସଭା ବେଙ୍ଗାଲୁରରେ
ବେଙ୍ଗାଲୁର, (ଓ୍ବାଇଏନ୍ଏସ୍) : ସମାଜରେ କାର୍ଯ୍ୟ କରୁଥିବା ସାମାଜିକ ତଥା ଧାର୍ମିକ ସଂଗଠନ ଗୁଡିକ ସାଥିରେ ନେଇ ସମାଜବ୍ୟାପୀ ତଥା ରାଷ୍ଟ୍ରବ୍ୟାପୀ ସମାଜିକ ଶକ୍ତି ଗଠନ କରିବା ସଂଘର ଲକ୍ଷ୍ୟ । ସଂଘ ସମାଜର ସାମୂହିକ ଶକ୍ତିକୁ ଜାଗ୍ରତ କରିବା ପାଇଁ କାର୍ଯ୍ୟ କରୁଛି । ଦେଶ ସମାଜ ପାଇଁ କାର୍ଯ୍ୟ କରୁଥିବା ସମାନ ଚିନ୍ତାଧାରାର ଲୋକ ସମୂହକୁ ସଂଗଠନ ସହିତ ଯୋଡିବା ଲକ୍ଷ୍ୟ ନେଇ ସଂଘ ପ୍ରୟାସ କରୁଛି ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ପ୍ରଚାର ପ୍ରମୁଖ ଅରୁଣ କୁମାର ପ୍ରକାଶ କରିଛନ୍ତି । ଜନସେବା ବିଦ୍ୟାକେନ୍ଦ୍ର ବେଙ୍ଗାଲୁର ଠାରେ ମାର୍ଚ୍ଚ ୧୯ ଓ ୨୦ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି ଅଖିଳ ଭାରତୀୟ ପ୍ରତିନିଧି ସଭା ବିଷୟରେ ସାମ୍ବାଦିକ ବନ୍ଧୁମାନଙ୍କୁ ସୂଚନା ଦେବା ଅବସରରେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଯଦିଓ କରୋନା ସମୟରେ ଏକ ବର୍ଷଧରି ସଂଗଠନର ପ୍ରତିଦିନ କାମ କମ୍ ଥିଲା ତଥାପି ସ୍ୱୟଂସେବକମାନଙ୍କର ସମାଜ ସହିତ ସଂପର୍କ ବୃଦ୍ଧି ପାଇଥିଲା । ଏହି ଅବଧି ମଧ୍ୟରେ ସମାଜ ପାଇଁ କାର୍ଯ୍ୟ କରୁଥିବା ସାମାଜିକ-ଧାର୍ମିକ ସଂଗଠନର ବ୍ୟକ୍ତିବିଶେଷମାନେ ଆମ ନିକଟତର ହୋଇଥିଲେ ଏବଂ ଆମ ସହିତ ସାମିଲ ହୋଇଥିଲେ । ଆମେ ଅନେକ ନୂଆ ନୂଆ ସ୍ଥାନମାନଙ୍କରେ ମଧ୍ୟ ପହଁଚି ପାରିଥିଲୁ । ଏହାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ସାମାଜିକ ସଚେତନତା ପାଇଁ ସମସ୍ତଙ୍କୁ ସାଙ୍ଗରେ ନେଇ କଣ କରାଯାଇ ପାରିବ ସେ ବିଷୟରେ ମଧ୍ୟ ଆଲୋଚନା ହେବ । ପ୍ରତି ତିନି ବର୍ଷରେ ସଂଘ କାର୍ଯ୍ୟର ସମୀକ୍ଷା ହୋଇଥାଏ । ଗତ ତିନି ବର୍ଷ ମଧ୍ୟରେ ସଂଘ କାର୍ଯ୍ୟର ବିସ୍ତାର ଓ ସମ୍ପ୍ରସାରଣ, ଗ୍ରାମ ବିକାଶ, ପରିବେଶ ସୁରକ୍ଷା (ବିଶେଷ କରି ଜଳ ସଂରକ୍ଷଣ, ବୃକ୍ଷରୋପଣ, ପ୍ଲାଷ୍ଟିକର ସର୍ବନିମ୍ନ ବ୍ୟବହାର)କୁ ଦୃ୍ଷ୍ଟିରେ ରଖି ସାମାଜିକ ପରିବର୍ତନ ପାଇଁ ଯୋଜନାମାନ ସ୍ଥିର ହୋଇଥିଲା । ତାହାର କ୍ରିୟାନ୍ୱୟନ ସଂପର୍କରେ ସମୀକ୍ଷା କରାଯିବ । ସାମାଜିକ ପରିବର୍ତନ କାର୍ଯ୍ୟରେ ସଂଘ କେତେ ଆଗକୁ ବଢି ପାରିବ, ତାହା ସହିତ ଆସନ୍ତା ତିନି ବର୍ଷ ପାଇଁ ଯୋଜନା ବିଷୟରେ ମଧ୍ୟ ଆଲୋଚନା କରାଯିବ । ଆମର ଲକ୍ଷ୍ୟ କଣ ହେବା ଉଚିତ ତାହା ମଧ୍ୟ ଆଲୋଚନା କରାଯିବ । ସଂଘ ନିଜ କାର୍ଯ୍ୟ ଦୃଷ୍ଟିରୁ ୬୦ ହଜାର ମଣ୍ଡଳ ଓ ୬୦ ହଜାର ବସତି ଗଠନ କରିଛି । ତାହା ମଧ୍ୟରୁ ପ୍ରାୟ ୬୫ ହଜାର ସ୍ଥାନରେ ସଂଘ ପହଁଚି ପାରିଛି ଏବଂ କାର୍ଯ୍ୟର ବିସ୍ତାର ଦୃଷ୍ଟିରୁ ଏହି ସ୍ଥାନ ଗୁଡିକରେ ପ୍ରତ୍ୟେକ ପରିବାର ପର୍ଯ୍ୟନ୍ତ ସଂଘ ପ୍ରବେଶ କରୁ ସେଥିପାଇଁ ପ୍ରୟାସ ଜାରି ରଖିଛି । ମାର୍ଚ୍ଚ ୧୯ ଓ ୨୦ ଦୁଇ ଦିନ ଧରି ବେଙ୍ଗାଲୁରରେ ପ୍ରତିନିଧି ସଭା ଅନୁଷ୍ଠିତ ହୋଇଯାଇଛି । ଅଖିଳ ଭାରତୀୟ ପ୍ରତିନିଧି ସଭା ସଂଘର ସର୍ବୋଚ୍ଚ ନିଷ୍ପତି ନିର୍ଣ୍ଣୟକାରୀ ସମୂହ ଅଟେ । ସଂଘର ସମସ୍ତ ନିଷ୍ପତି ପ୍ରତିନିଧି ସଭାରେ ହିଁ ନିଆଯାଇଥାଏ । ଗତବର୍ଷ ପ୍ରତିନିଧି ସଭା ବେଙ୍ଗାଲୁରୁରେ ହେବାର ଥିଲା । କରୋନା କାରଣରୁ ସ୍ଥଗିତ ରଖିବାକୁ ନିଷ୍ପତି ନିଆଯାଇଥିଲା । ଏବର୍ଷ ବେଙ୍ଗାଲୁରରେ ଏହି ପ୍ରତିନିଧି ସଭା ଅନୁଷ୍ଠିତ ହେବା ପାଇଁ ସ୍ଥିର ହୋଇଥିଲ। । କରୋନା କାରଣରୁ ସଂଘର ପ୍ରତିଦିନ କାର୍ଯ୍ୟ ମଧ୍ୟ ପ୍ରଭାବିତ ହୋଇଛି । ସଂଘ ସରକାରୀ ନିୟମ ବ୍ୟବସ୍ଥାକୁ ଅନୁସରଣ କରି ଗୁରୁତ୍ୱପୂର୍ଣ୍ଣ ପ୍ରାନ୍ତ ପ୍ରଚାର ବୈଠକକୁ ସ୍ଥଗିତ ରଖିଥିଲା । ସେହିପରି କାର୍ଯ୍ୟକାରୀ ମଣ୍ଡଳ ବୈଠକ ଗୋଟିଏ ସ୍ଥାନ ବଦଳରେ ୧୧ଟି ସ୍ଥାନରେ ଅନୁଷ୍ଠିତ ହୋଇଥିଲା । ପ୍ରତିନିଧି ସଭା ପାଇଁ ୧୫୦୦ ଲୋକ ଅପେକ୍ଷିତ ଅଟନ୍ତି । ଯେହେତୁ କରୋନା ସଂକଟ ଏପର୍ଯ୍ୟନ୍ତ ସମାପ୍ତ ହୋଇନାହିଁ ତାହାକୁ ଦୃଷ୍ଟିରେ ରଖି ଆଗୁଆ ନିଷ୍ପତି ନିଆଯାଇ ସର୍ବନିମ୍ନ ୪୫୦ କାର୍ଯ୍ୟକର୍ତାଙ୍କୁ ଡକାଯାଇଛି । ଏହା ସହିତ ତିନି ଦିନ ପରିବର୍ତେ ଦୁଇ ଦିନ ବୈଠକ ହେବା ପାଇଁ ସ୍ଥିର ହୋଇଛି । ସଂଘକାର୍ଯ୍ୟ ଦୃଷ୍ଟିରୁ ଭାରତରେ ୪୪ଟି ପ୍ରାନ୍ତ ଗଠନ କରାଯାଇଛି । ବେଙ୍ଗାଲୁର ବୈଠକରେ ଯୋଗ ଦେଇ ପାରୁନଥିବା ସମସ୍ତ ପ୍ରାନ୍ତର ପ୍ରାୟ ୧୦୦୦ ନିର୍ବାଚିତ ପ୍ରତିନିଧି ୪୪ଟି ସ୍ଥାନରେ ଅନ୍ ଲାଇନ୍ ମାଧ୍ୟମରେ ଏହି ସଭାରେ ଭାଗନେବେ । ଏହି ସାମ୍ବାଦିକ ସମ୍ମିଳନୀରେ ସହସରକାର୍ଯ୍ୟବାହ ଡ.ମନମୋହନ ବୈଦ୍ୟ ଉପସ୍ଥିତ ରହିବେ । ବାର୍ଷିକ ରିପୋର୍ଟ ସହିତ ନିଆଯାଇଥିବା ପ୍ରସ୍ତାବ ଗୁଡିକ ବିଷୟରେ ମଧ୍ୟ ସୂଚନା ପ୍ରଦାନ କରାଯିବ । ପ୍ରତି ତିନି ବର୍ଷରେ ସରକାର୍ଯ୍ୟବାହ ନିର୍ବାଚନ ଅନୁଷ୍ଠିତ ହୋଇଥାଏ । ମାର୍ଚ୍ଚ ୨୦ ତାରିଖର ଦ୍ୱିତୀୟ ଅଧିବେଶନରେ ସଂଘରକାର୍ଯ୍ୟବାହ ନିର୍ବାଚନ ପ୍ରକ୍ରିୟା ଶେଷ ହେଲା ବୋଲି ଅରୁଣ କୁମାର ପ୍ରକାଶ କରିଛନ୍ତି ।