ଆରପାରିରେ ବିପ୍ଲବୀ କବି ରବି ସିଂ
କଟକ:- ବିପ୍ଲବୀ କବି ରବି ସିଂଙ୍କର ରବିବାର ୮୮ ବର୍ଷ ବୟସରେ କଟକ ଖପୁରୀଆସ୍ଥିତ ଲେବର୍ କଲୋନିରେ ଥିବା ବାସଭବନରେ ପରଲୋକ ଘଟିଛି । ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ଥିଲେ। ଏକ ଧାରାରେ ଜଣେ ସାମ୍ୟବାଦୀ ନେତା, ଅନୁବାଦକ, ସୁବକ୍ତା, ସମାଲୋଚକ ଅନନ୍ୟ କର୍ଣ୍ଣଧାର ଭାବେ ପରିଚିତି ଲାଭ କରିଥିବା ଏହି ବିପ୍ଲବୀ କବି ତାଙ୍କ କବିତା ମାଧ୍ୟମରେ ସାମାଜିକ ବିପ୍ଳବ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲେ। କେବଳ ବିପ୍ଲବୀ କବି ନୁହେଁ ବରଂ ସେ ଜଣେ ସମାଲୋଚକ ମଧ୍ୟ ଥିଲେ । ରବି ସିଂ ୧୯୬୨ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ଏବଂ ୨୦୧୭ରେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଲାଭ କରିଥିଲେ। ତାଙ୍କ ବିୟୋଗରେ ସାହିତ୍ୟିକ ମହଲରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଇଚ୍ଛା ଅନୁଯାୟୀ ସ୍ବର୍ଗତଃ ରବି ସିଂଙ୍କର ଅନ୍ତିମ ସଂସ୍କାର କଟକର ସତୀଚଉରାଠାରେ କରାଯିବ ବୋଲି ତାଙ୍କର ପୁତ୍ର ଚନ୍ଦ୍ରଜିତ ସିଂ ସୂଚନା ଦେଇଛନ୍ତି । ସ୍ବର୍ଗତଃ ରବି ସିଂଙ୍କର ପୂରା ନାଆଁ ରବୀନ୍ଦ୍ର ନାଥ ସିଂହ। ୧୯୩୫ ମସିହା ଫେବୃଆରୀ ୧୮ ତାରିଖରେ ସେ ଜଗତସିଂହପୁରର ନବାପାଟଣାରେ ଜନ୍ମଗ୍ରହଣ କରିଥିଲେ । ଭଗବତୀ ଚରଣ ପାଣିଗ୍ରାହୀ, ସଚ୍ଚିଦାନନ୍ଦ ରାଉତରାୟ, ଅନନ୍ତ ପଟ୍ଟନାୟକ ଓ ମନମୋହନ ମିଶ୍ରଙ୍କ ସାମ୍ୟବାଦୀ ଚେତନାଧାରାର ଉତ୍ତର ସାଧକ ଭାବରେ ସେ ଓଡ଼ିଆ ସାହିତ୍ୟରେ ସୁପ୍ରତିଷ୍ଠିତ । ସମାଜର ପ୍ରତିଟି ତ୍ରୁଟି ବିଚ୍ୟୁତିକୁ ସେ ଅତ୍ୟନ୍ତ ମାର୍ମିକ ଓ ବାସ୍ତବଧର୍ମୀ ରୂପରେ କବିତାରେ ରୂପାନ୍ତରିତ କରିବାର କ୍ଷମତା ରଖିଥିଲେ। ପଥପ୍ରାନ୍ତର କବିତା, ଅପ୍ରୀତିକର କବିତା, ପଦାତିକ, ବିଷବାଣୀ, ଲାଲ ପାଗୋଡ଼ାର ପ୍ରେତ, ଚରମ ପତ୍ର, ଭୃକୁଟି ଏବଂ ବିଦୀର୍ଣ୍ଣ ଭଳି କାଳଜୟୀ କବିତା କବି ରବି ସିଂଙ୍କ ଅନନ୍ୟ କୃତ୍ତି ମଧ୍ୟରୁ ଅନ୍ୟତମ ଅଟେ । ବିପ୍ଲବୀ କବି ରବି ସିଂଙ୍କ ଦେହାନ୍ତରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଟୁଇଟର ମାଧ୍ୟମରେ ଶୋକପ୍ରକାଶ କରିଛନ୍ତି। ଆଜି ଏସ୍ସିବିରେ ଚିକିତ୍ସାଧିନ ଅବସ୍ଥାରେ କବି ରବି ସିଂଙ୍କ ପରଲୋକ ଘଟିଥିଲା । ମୁଖ୍ୟମନ୍ତ୍ରୀ ଟୁଇଟ କରି କହିଛନ୍ତି, “ବିପ୍ଳବୀ କବି ରବି ସିଂଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ।


