ଆରମ୍ଭ ହେଲା ଓଡ଼ିଶା କ୍ରିଟିକାଲ କେୟାର ଡ଼ାକ୍ତର ସମ୍ମିଳନୀ
ଭୁବନେଶ୍ୱର: ରୋଗୀ ଯେତେବେଳେ ଜୀବନ ମରଣ ସମସ୍ୟାରେ ପଡ଼େ, ସାଧାରଣତଃ ଆଇସିୟୁ ବା କ୍ରିଟିକାଲ କେୟାର କଥା ମନେପଡ଼େ ଯେଉଁଠି ମଣିଷ ଦେହରେ ଲାଗେ ଅତ୍ୟାଧୁନିକ ଯନ୍ତ୍ରପାତି ଓ ଚିକିତ୍ସା ପଦ୍ଧତି । ଆଜିକାଲି ଦୁର୍ଘଟଣା, କ୍ୟାନ୍ସର, ଡ଼ାଇବେଟିସ୍ ଭଳି ରୋଗର ମାତ୍ରା ବୃଦ୍ଧି ପାଉଥିବା ହେତୁ ଅଧିକାଂଶ ରୋଗୀ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାକୁ ଗତିକରନ୍ତିି ଏବଂ ସେହି ଅନୁପାତରେ ଆଇସିୟୁ ଶଯ୍ୟା ସଂଖ୍ୟା ମଧ୍ୟ ହସ୍ପିଟାଲମାନଙ୍କରେ ବୃଦ୍ଧି ପାଇବାରେ ଲାଗିଛି । ଅନେକ ସମୟରେ ଆଇସିୟୁରେ ରୋଗୀ ମରିଗଲା ପରେ ସାଧାରଣ ଲୋକେ ଗୁଣାତ୍ମକ ଚିକିତ୍ସାର କଥା ମଧ୍ୟ ଉଠାନ୍ତି ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟେ । ସେହି ଗୁଣାତ୍ମକ ଚିକିତ୍ସା ପଦ୍ଧତି, ଆଧୁନିକ ଯନ୍ତ୍ରପାତି ଓ କ୍ରିଟିକାଲ କେୟାର ଶିକ୍ଷାର ବିନିମୟ ପାଇଁ ଓଡ଼ିଶାରେ ଆରମ୍ଭ ହୋଇଛି ‘କ୍ରିଟିକାଲ କେୟାର ଡ଼ାକ୍ତର ସମ୍ମିଳନୀ’ । ରାଜ୍ୟ ଓ ଦେଶବିଦେଶରୁ ୨୫୦ରୁ ଉର୍ଦ୍ଧ୍ୱ ବିଶେଷଜ୍ଞ ଡ଼ାକ୍ତର ଏଥିରେ ଯୋଗ ଦେଇଥିଲେ । ରାଜ୍ୟ ସରକାରଙ୍କର ଡ଼ିଏମ୍ଇଟି ଡା ସି.ଜି.କେ. ମହାନ୍ତି, ରାଜ୍ୟ କ୍ରିଟିକାଲ କେୟାର ସୋସାଇଟିର ଚେୟାରମ୍ୟାନ୍ ଡଃ ସର୍ମିଳି ସିହ୍ନା, ବରିଷ୍ଠ ବିଶେଷଜ୍ଞ ଡ. ସମୀର ସାହୁ, ଡ. ବାନାମ୍ବର ରାୟ, ସୋସାଇଟିର ସମ୍ପାଦକ ଡ. ଶରତ ବେହେରା ପ୍ରମୁଖ ଉପସ୍ଥିତ ରହି ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ । ବୈଜ୍ଞାନିକ ବକ୍ତୃତା, ଭେଣ୍ଟିଲେଟ କର୍ମଶାଳା, କ୍ରିଟିକାଲ କେୟାର ଅଲଟ୍ରାସାଉଣ୍ଡ କର୍ମଶାଳା ଇତ୍ୟାଦିରେ ବହୁ ନବାଗତା ଡ଼ାକ୍ତର ଉତ୍କଣ୍ଠାର ସହିତ ଅଂଶଗ୍ରହଣ କରିଥିଲେ । ସରକାରୀ ଓ ବେସରକାରୀସ୍ତରରେ ଓଡ଼ିଶାର ବହୁ ସହରରେ ଉପଲବ୍ଧ ଆଇସିୟୁରେ ଚିକିତ୍ସାର ମାନ ଉନ୍ନତି ଓ ସମାନ କରିବା ଉପରେ ଚେୟାରମ୍ୟାନ ଡଃ ସର୍ମିଳି ସିହ୍ନା ମତବ୍ୟକ୍ତ କରିଥିଲେ । ଦୁଇଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ଯୁବ ଡ଼ାକ୍ତରଙ୍କ ପ୍ରତିଭା ଅନ୍ୱେଷଣ ସହିତ ବରିଷ୍ଠ ଡ଼ାକ୍ତରଙ୍କୁ ସମ୍ମାନିତ କରାଯାଇଥିଲା । ବିଜେଡ଼ି ମୁଖପାତ୍ର ତଥା କ୍ରିଟିକାଲ କେୟାର ବିଶେଷଜ୍ଞ ଡଃ ହରିଶ ଚୌଧୁରୀ ଏଥିରେ ଯୋଗ ଦେଇ ଆଇସିୟୁ ଶଯ୍ୟା ସଂଖ୍ୟା ବୃଦ୍ଧି ପାଇଁ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ମିଳନୀ ଶେଷରେ କାର୍ଯ୍ୟକାରୀ ସମ୍ପାକ ଡଃ ବେହେରା ଧନ୍ୟବାଦ ଅର୍ପଣ କରି କ୍ରିଟିକାଲ କେୟାର ଶିକ୍ଷାରେ ସରକାରଙ୍କ ସହାୟତା କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡଃ ଜଗଦୀଶ ରଥ, କେୟାର ହସ୍ପିଟାଲର ଡଃ ପ୍ରଜ୍ଞାନ ରାଉତ ଓ ଡଃ ଧର୍ମଜୀବନ ସାମନ୍ତରାୟ, ଡଃ ଆନନ୍ଦ ମିଶ୍ର, ଏମ୍ସ ଭୁବନେଶ୍ୱରରୁ ଡଃ ସ୍ୱାଗତା, ଅଶ୍ୱିନୀ ହସ୍ପିଟାଲର ଡଃ ସମ୍ପଦ ଓ ଡଃ ମାନସ ଆଦି କର୍ମଶାଳାର ଦାୟିତ୍ୱ ନେଇଥିଲେ । ଦୁଇଦିନ ଧରି ଚାଲିଥିବା ଏହି କର୍ମଶାଳା ଶେଷରେ ଅଧ୍ୟକ୍ଷା ତଥା ଆପଲୋ ହସ୍ପିଟାଲର ବରିଷ୍ଠ ବିଶେଷଜ୍ଞ ଡ. ଶର୍ମିଳି ସିହ୍ନା କ୍ରିଟିକାଲ କେୟାର ଶିକ୍ଷାର ମାନ ଓ ଏହାକୁ ଆଗକୁ ନେବା ଦିଗରେ ଗୁରୁତ୍ୱାରୋପ କରିଥିଲେ ।


