ଆର୍ଥିକ ମାନ୍ଦାବସ୍ଥା ନେଇ ସରକାରଙ୍କୁ ଘେରିବ କଂଗ୍ରେସ ଦେଶବ୍ୟାପୀ ବିକ୍ଷୋଭ ଯୋଜନା
ନୂଆଦିଲ୍ଲୀ : ଏଆଇସିସି ସାଧାରଣ ସମ୍ପାଦକ କେ ସି ବେଣୁଗାପାଳଙ୍କ ଅଧ୍ୟକ୍ଷତାରେ ପିସିସି ସଭାପତି, ରାଜ୍ୟ ପ୍ରଭାରୀ, ବିରୋଧୀ ଦଳ ନେତା, ସମ୍ପାଦକ ତଥା ପ୍ରମୁଖ ସଂଗଠନର ମୁଖ୍ୟମାନଙ୍କର ବୈଠକ ହୋଇଥିଲା । ଏହି ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ । ବୈଠକରେ ଯେଉଁ ସବୁ ରାଜ୍ୟମାନଙ୍କରେ ପୂର୍ବରୁ ଏଆଇସିସି ଦ୍ୱାରା ନିର୍ଦ୍ଧାରିତ ଆର୍ଥିକ ମାନ୍ଦାବସ୍ଥା ପ୍ରସଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ଆୟୋଜନ କରାଯାଇନଥିଲା ସେସବୁ ରାଜ୍ୟମାନଙ୍କୁ ବିକ୍ଷୋଭ ପ୍ରଦର୍ଶନ ନେଇ ତାରିଖ ସମ୍ପର୍କରେ ଅବଗତ କରାଯାଇଥିଲା । ଓଡ଼ିଶାରେ ଜିଲ୍ଲା ଓ ବ୍ଲକ୍ ସ୍ତରରେ ଚଳିତ ମାସ ୨୦ ରୁ ୨୨ ପର୍ଯ୍ୟନ୍ତ ବିକ୍ଷୋଭ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏଥିସହିତ ରାଜ୍ୟ ସ୍ତରୀୟ ବିକ୍ଷୋଭ କାର୍ଯ୍ୟକ୍ରମ ଭୁବନେଶ୍ୱରରେ ଚଳିତ ମାସ ୨୩ ତାରିଖରେ ଆୟୋଜନ କରାଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଥିଲେ । କଂଗ୍ରେସ ଦ୍ୱାରା ଆର୍ଥିକ ମାନ୍ଦାବସ୍ଥାକୁ ନେଇ ଜୋରଦାର୍ ପ୍ରତିବାଦ କରାଯିବା ସହିତ ଜନସାଧାରଣକୁ ଏହାର ପ୍ରତିକୂଳ ପ୍ରଭାବ ସମ୍ପର୍କରେ ଅବଗତ କରାଯିବ ।
ଆଜିର ବୈଠକରେ ଦିଲ୍ଲୀରେ କଂଗ୍ରେସ ଦ୍ୱାରା ଆର୍ଥିକ ମାନ୍ଦାବସ୍ଥା ବିରୋଧରେ ଏକ ବଡ଼ଧରଣର ରାଲି ଆୟୋଜନ କରାଯିବାର ତାରିଖ ଚୂଡ଼ାନ୍ତ କରାଯାଇଥିଲା । ନଭେମ୍ବର ୩୦ରେ ଦିଲ୍ଲୀ ସ୍ଥିତ ରାମଲୀଳା ମୈଦାନରେ ହେବାକୁଥିବା ବିରାଟ ରାଲିରେ ଦେଶର ସବୁ ରାଜ୍ୟରୁ କଂଗ୍ରେସ ନେତାମାନେ ଯୋଗ ଦେଇ କେନ୍ଦ୍ର ସରକାରଙ୍କୁ ଆର୍ଥିକ ନୀତି ବିରୁଦ୍ଧରେ ତଥା ବିଭିନ୍ନ କ୍ଷେତ୍ରରେ ବିଫଳତାକୁ ନେଇ ସ୍ୱର ଉତ୍ତାଳନ କରିବେ । ସାଧାରଣ ନିର୍ବାଚନ ପରେ କଂଗ୍ରେସର ଏହା ସବୁଠୁ ବଡ଼ ରାଲି ହେବ ବୋଲି କୁହାଯାଉଛି । ପ୍ରସ୍ତାବିତ ରାଲିକୁ ସଫଳ କରିବା ପାଇଁ କଂଗ୍ରେସ ନେତା ମାନଙ୍କୁ ଦାୟିତ୍ୱ ଦିଆଯାଇଛି । ଉଲ୍ଲେଖଯାଗ୍ୟ ଅଯୋଧ୍ୟା ରାୟ ଯାଗୁଁ ପୂର୍ବରୁ ଦେଶରେ ଆର୍ଥିକ ମାନ୍ଦାବସ୍ଥା ପ୍ରସଙ୍ଗରେ ସ୍ଥିର କରାଯାଇଥିବା ବିକ୍ଷୋଭ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା । ଅଯୋଧ୍ୟା ରାୟ ପାଇଁ ଦେଶର ବିଭିନ୍ନ ଭାଗରେ ୧୪୪ ଧାରା ଜାରି ହୋଇଥିଲା । ଯେଉଁଥିପାଇଁ ନଭେମ୍ବର ୧୦ରୁ ୧୫ ପର୍ଯ୍ୟନ୍ତ ଦେଶର ଜିଲ୍ଲା ଓ ରାଜ୍ୟ ସ୍ତରରେ ପ୍ରସ୍ତାବିତ ବିକ୍ଷୋଭ କାର୍ଯ୍ୟକ୍ରମକୁ ଶେଷ ମୁହୂର୍ତ୍ତରେ ସ୍ଥଗିତ କରାଯାଇଥିଲା । ଆଜିର ବୈଠକରେ ବିକ୍ଷାଭ କାର୍ଯ୍ୟକ୍ରମର ତାରିଖ ଧାର୍ଯ୍ୟ କରାଯିବା ସହିତ ଦିଲ୍ଲୀ ର୍ୟାଲିକୁ ସଫଳ କରିବା ପାଇଁ ରୂପରେଖ ପ୍ରସ୍ତୁତ କରାଯାଇଥିଲା ।


