ଆର୍ମି ଚୟନ ସକାଶେ ପ୍ରସ୍ତୁତି ବୈଠକ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଆସନ୍ତା ମାସ ନଭେମ୍ବର ୧ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ୍ ଠାରେ ଆର୍ମି ଚାକିରୀ ନିମନ୍ତେ ଚୟନ ପରୀକ୍ଷା ହେବ । ଏଥି ସକାଶେ ଆଜି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଶେଷ ଚୂଡାନ୍ତ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସଭାଗୃହ ପ୍ରକୋଷ୍ଠ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଚଳିତ ମାସ ୨୮ ତାରିଖ ଦିନ ପ୍ରାର୍ଥୀ ମାନଙ୍କ ଟୟନ ନିମନ୍ତେ ଉଦ୍ଦିଷ୍ଟ ପଡିଆ ଟିର ପ୍ରସ୍ତୁତି କାର୍ଯ୍ୟ ଶେଷ କରି ହସ୍ତାନ୍ତର କରିବାକୁ କୋଠା ଓ ଗୃହ ବିଭାଗ-୨ କୁ କୁହାଯାଇଛି । ମିଲିଟାରୀ ବିଭାଗୀୟ ଚୟନ ଅଧିକାରୀ କର୍ଣ୍ଣେଲ ଆନନ୍ଦ ପୂର୍ବ ପ୍ରସ୍ତୁତି ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ପ୍ରକାରେ କେଉଁ ସବୁ ବ୍ୟବସ୍ଥା କରାଯିବ ସେସମ୍ପର୍କରେ ସବିଶେଷ ମତ ରଖିଥିଲେ । ଆର୍ମିରେ ଭର୍ତ୍ତି ହେବା ନିମନ୍ତେ ଓଡିଶାର ପାଖାପାଖି ୧୧ ହଜାର ଛାତ୍ର ପଞ୍ଜିକରଣ କରିଥିବା ଜଣାପଡିଛି । ୭ ଦିନ ଧରି ଚାଲିବାକୁ ଥିବା ଏହି ଚୟନ ପ୍ରକ୍ରିୟା ସକାଶେ ଚୟନ ପଡିଆ ସଫେଇଓ ପ୍ରସ୍ତୁତି, ଜଳଯୋଗାଣ, ଚିକିତ୍ସା ବ୍ୟବସ୍ଥା, ସ୍ବଚ୍ଛ ପରିମଳ ବ୍ୟବସ୍ଥା, ଷ୍ଟାଫ୍ ମୁତୟନ, ବାହନର ଆବଶ୍ୟକତା, ପ୍ରତିଯୋଗୀଙ୍କ ସକାଶେ ଖାଦ୍ୟପେୟ ବ୍ୟବସ୍ଥା, ଆମ୍ବୁଲାନ୍ସ ସେବା, ବାରିକେଡ୍ ବ୍ୟବସ୍ଥା, ଆଇନ୍ଶୃଙ୍ଖଳା ପରିସ୍ଥିତି, ବିଦ୍ୟୁତ୍ ଯୋଗାଣ, ଡାକବାଜି ଯନ୍ତ୍ର ବ୍ୟବସ୍ଥା, ଚୟନ ପରୀକ୍ଷାରେ ଅଂଶ ଗ୍ରହଣ କରିବାକୁ ଥିବା ପ୍ରତିଯୋଗୀଙ୍କ ଯାତାୟତ ବାବଦକୁ ବସ୍ ଯୋଗାଣ, ଅଗ୍ନିଶମ ସେବା ବ୍ୟବସ୍ଥା ଇତ୍ୟାଦି ସମସ୍ତ ବ୍ୟବସ୍ଥା ସମ୍ପର୍କରେ ସୁବିସ୍ତୃତ ଆଲୋଚନା ହୋଇଯାଇଛି । ଏହା ଏକ ଜାତୀୟ ସ୍ତରୀୟ ଆର୍ମିଚୟନ ପରୀକ୍ଷା ହୋଇଥିବା ହେତୁ ସମସ୍ତ ପରିଚାଳନା ଯେପରି ସଠିକ୍ ହେବ ସେଥି ସକାଶେ ଉପସ୍ଥିତ ସମସ୍ତ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ଶ୍ରୀ ପରିଡା ନିର୍ଦ୍ଦେଶ ଦେଇ ଟୟନ ପ୍ରକ୍ରିୟା ଯେପରି ଶାନ୍ତି ଶୃଙ୍ଖଳାର ସହ ସମାପନ ହେବ ସେଥି ସକାଶେ ଆଶା ପ୍ରକଟ କରିଥିଲେ ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍, ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ସି. ଆଞ୍ଚଳିକ ନିର୍ଦ୍ଦେଶକ କର୍ମ ନିଯୁକ୍ତି ଆର୍. ଏନ୍. ଖିଲାଣା, ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ଫାଲଗୁନୀ ସହିୟ ନାୟକ, ସହକାରୀ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ