ଆର୍ଯ୍ୟପଲ୍ଲୀ ମତ୍ସ୍ୟ ଜେଟିରେ ପାଳନ ହେଲା ବିଶ୍ୱ ମତ୍ସ୍ୟ ଦିବସ

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ସ୍ଥିତ ଗୋପାଳପୁର ବନ୍ଦର ପରିସରରେ ଥିବା ଜେଟି ନିକଟରେ ପ୍ରଥମ ଥର ଭାବେ ଆର୍ଯ୍ୟପଲ୍ଲୀ ମତ୍ସ୍ୟଜିବୀ କମିଟି ପକ୍ଷରୁ ବିଶ୍ୱ ମତ୍ସ୍ୟଜିବୀ ଦିବସ ପାଳିତ ହୋଇଯାଇଛି । ସାରା ବିଶ୍ୱରେ ଆଜି ମତ୍ସ୍ୟ ଦିବସ ପାଳନ କରାଯାଉଥିବା ବେଳେ ଅଂଚଳର ମତ୍ସ୍ୟଜିବୀ ମାନେ ଏହି ଦିବସ ସମ୍ପର୍କରେ ପୂର୍ବରୁ ଅବଗତ ନଥିବା ବେଳେ ଆଜି ଏହି କମିଟି ପକ୍ଷରୁ ଏହି ଦିବସକୁ ମହା ସମାରୋହରେ ପାଳନ କରାଯାଇଥିବାରୁ ଆୟୋଜକ ମାନଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ସାନ ଆର୍ଯ୍ୟପଲ୍ଲୀ ଗ୍ରାମ୍ୟ କମିଟିର ସମ୍ପାଦକ ଏନ. ଗୋପାଳଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସହକାରୀ ମତ୍ସ୍ୟ ଅଧିକାରୀ (ଛତ୍ରପୁର) ବିଶ୍ୱ ଭୂଷଣ ଜେନା, ସ୍ଥାନୀୟ ସରପଂଚ ତ୍ରିଲୋଚନ ବେହେରା, ଛତ୍ରପୁର ପ୍ରେସ କ୍ଲବର ସଭାପତି ପ୍ରଶାନ୍ତ କୁମାର ମହାରଣା, ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନାର ସବ ଇନିସପେକ୍ଟର ଏ.ଏନ.ଏମ ରାଓ, ସାନ ଆର୍ଯ୍ୟପଲ୍ଲୀ ଗ୍ରାମ୍ୟ କମିଟିର ସଭାପତି ଏମ୍‌. କାମରାଜୁ, ବଡ ଆର୍ଯ୍ୟପଲ୍ଲୀ ଗ୍ରାମ୍ୟ କମିଟି ସଭାପତି ଇ. ସୁରେନ୍ଦ୍ର, ସମ୍ପାଦକ ଜି. ଭେଙ୍କେଟ, ଏଲ୍‌. ଗୁଣ୍ଡିଚା ପ୍ରମୁଖ ଯୋଗ ଦେଇ ଆଜିର ଦିବସ ସମ୍ପର୍କରେ ଉପସ୍ଥିତ ମତ୍ସ୍ୟଜିବୀ ମାନଙ୍କୁ ଅବଗତ କରାଇବା ସହ ମତ୍ସ୍ୟଜିବୀ ମାନଙ୍କ ହିତ ନିମନ୍ତେ ବିଭିନ୍ନ ପରାମର୍ଶ ଦେଇଥିଲେ । ଯୁବନେତା ଏନ୍‌. ଦୀନବନ୍ଧୁ ଅଂଚଳର ମତ୍ସ୍ୟଜିବୀ ମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପୂର୍ବରୁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଆଧୁନିକ ଧରଣର ମତ୍ସ୍ୟ ଜେଟି କୁ ଏଠାରେ ତୁରନ୍ତ ନିର୍ମାଣ କରିବା , ମତ୍ସ୍ୟଜିବୀ (ନୋଳିଆ) ସମ୍ପ୍ରଦାୟ ଲୋକଙ୍କୁ ଅନୁସୂଚିତ ଜାତିର ମାନ୍ୟତା ପ୍ରଦାନ କରିବା ସମେତ ବିଭିନ୍ନ ଦାବୀ ସମ୍ପର୍କରେ ସେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ କମିଟି ପକ୍ଷରୁ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏମ.ଦିଲ୍ଲୀପ , ଏନ.କ୍ରିଷ୍ଣା, ଜି.ମୋହନ , ଏ.କାଳିଆଙ୍କ ସମେତ ପଂଚାୟତର ବହୁ ମତ୍ସ୍ୟଜିବୀ ମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ