ଆର୍ଯ୍ୟ ସମାଜ ପକ୍ଷରୁ ଶ୍ରାବଣୀ ଉପାକର୍ମ ଓ ରକ୍ଷା ବନ୍ଧନ ଉତ୍ସବ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପ୍ରାଚୀନ ବୈଦିକ ଯୁଗରୁ ମୁନିଋଷିମାନେ ଚାତୁର୍ମାସ୍ୟା ବ୍ରତ ପାଳନ କରି ଶ୍ରାବଣ ପୂର୍ଣ୍ଣିମା ଠାରୁ ବିଭିନ୍ନ ଗ୍ରାମ ଓ ଜନପଦ ଭ୍ରମଣ କରି ବେଦ ଓ ବୈଦିକ ବିଚାରକୁ ଜନମାନସରେ ବିତରଣ କରୁଥିଲେ । ଏହି ‘ଶ୍ରାବଣୀ ଉପାକର୍ମ’ ପର୍ବ ଏକ ବୈଦିକ ପର୍ବ ।ଶ୍ରାବଣ ପୂର୍ଣ୍ଣିମା ଅବସରରେ ଆଜି ମହର୍ଷି ଦୟାନନ୍ଦଙ୍କ ପ୍ରତିଷ୍ଠିତ ଆର୍ଯ୍ୟ ସମାଜର ସହଯୋଗୀ ଅନୁଷ୍ଠାନ ସ୍ୱାମୀ ଦୟାନନ୍ଦ ସର୍ଭିସ ମିଶନ ପକ୍ଷରୁ ପୂର୍ବ ବର୍ଷମାନଙ୍କ ଭଳି ଶ୍ରାବଣୀ ଉପାକର୍ମ ଓ ରକ୍ଷାବନ୍ଧନ ଉତ୍ସବ ଶ୍ରୀ ଅରବିନ୍ଦ ନଗରସ୍ଥ ସ୍ୱାମୀ ବ୍ରହ୍ମାନନ୍ଦ ଭବନ ସଭା ମଣ୍ଡପରେ ମହାସମାରୋହରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ପୌରହିତ୍ୟ କରି ମିଶନର ଅଧ୍ୟକ୍ଷ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କହିଲେ ଯେ, ଆର୍ଯ୍ୟ ସଂସ୍କୃତି ଓ ପରମ୍ପରାକୁ ମନେ ପକାଇ ଦେବଋଣ, ଋଷିଋଣ, ପିତୃଋଣ ପରିଶୋଧର ସଂକଳ୍ପକୁ ପୁନଃ ଜାଗୁରିକ କରିବା ପାଇଁ ଆଜିର ଦିନରେ ଯଜ୍ଞ ଉପବିତକୁ ପରିବର୍ତ୍ତନ କରି ନୂତନ ଯଜ୍ଞ ଉପବିତ ଧାରଣ କରାଯାଇଥାଏ ।ବିଶିଷ୍ଟ ସନ୍ଥ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି କହିଲେ ଯେ, ଶ୍ରାବଣୀ ଉପାକର୍ମ ପର୍ବ ଆମ ଭାରତୀୟ ସଂସ୍କୃତିର ଏକ ମହାନ୍ ବିଚାରଧାରା । ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ନରେନ୍ଦ୍ର କୁମାର ମିଶ୍ର, ପୂର୍ବ ପ୍ରଶାସକ ପଞ୍ଚାନନ ଦାସ କହିଲେ ଯେ ଆଜିର ଦିବସ ଏକ ମହନୀୟ ଦିବସ, ସ୍ୱଭାବ କବି ଗଙ୍ଗାଧରଙ୍କ ଜନ୍ମ ଦିବସ, ସଂସ୍କୃତ ଦିବସ ଭାବେ ସର୍ବଭାରତୀୟସ୍ତରରେ ପାଳିତ ହେଉଛି । ଆମ ସଂସ୍କୃତି ଓ ପରମ୍ପରା ପ୍ରତି ଯୁବକମାନଙ୍କୁ ଆକୃଷ୍ଟ କରାଇବା ଆମ ସମସ୍ତଙ୍କର ଧ୍ୟେୟ ହେବା ଉଚିତ୍ ।ବିଶିଷ୍ଟ ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ, ହନୁମାନ ସାଧକ ପ୍ରଫୁଲ୍ଲ ମହାରାଜ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଆମ ପୂର୍ବ ଐତିହାସିକ ଗାଥା ରାଣୀ କର୍ଣ୍ଣାବତୀ ନିଜର ରକ୍ଷା ପାଇଁ ଦିଲ୍ଲୀ ସମ୍ରାଟ ହୁମାୟୁନଙ୍କ ନିକଟକୁ ପଠାଇଥିବା ରକ୍ଷାସୂତ୍ରକୁ ସ୍ମରଣ କରାଇ ସେହି ଐତିହାସିକ ଯୁଗରୁ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିବାର ପରମ୍ପରା ରହିଆସିଛି । ଏହି ଅବସରରେ ବୈଦିକ ଶାନ୍ତି ଯଜ୍ଞ ଆଚାର୍ଯ୍ୟ ଧର୍ମରାଜ, ପଣ୍ଡିତ ବିନୋଦ ବିହାରୀ ଦାଶଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମର ପ୍ରାରମ୍ଭରେ ପୂର୍ବତନ ନିର୍ଦ୍ଦେଶକ ଗୋପାଳ ମହାପାତ୍ର ସ୍ୱାଗତ ଭାଷଣ ଓ ଶେଷରେ ନଳିନୀକାନ୍ତ ରାଉତ ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ ସାଧାରଣ ସମ୍ପାଦକ ଶ୍ରୀ ପୃଥ୍ୱୀବଲ୍ଲଭ ପଟ୍ଟନାୟକ, ଡଃ ମଞ୍ଜୁଶ୍ରୀ ମିଶ୍ର, ଗୁରୁ ଚରଣ ପ୍ରଧାନ, ପ୍ରଫେସର ଡ଼ଃ ବୁଦ୍ଧଦେବ ମିଶ୍ର, ପୂର୍ବତନ ଆଇଜି ଅରୁଣ କୁମାର ଉପାଧ୍ୟାୟ, ବରିଷ୍ଠ ଆଇନଜୀବୀ ବନ ମହାନ୍ତି, ବିଳଭଦ୍ର ଶାସ୍ତ୍ରୀ, ସୁଦର୍ଶନ ଛୋଟରାୟ, ଆରତୀ ଜ୍ଞାନେନ୍ଦ୍ର, ଡଃ ନିବେଦିତା ପଟ୍ଟନାୟକ, ପ୍ରଭାତା ପାଣିଗ୍ରାହୀ, ଡ଼ଃ କନକ ମଞ୍ଜରୀ ମିଶ୍ର ପ୍ରମୁଖ ବହୁ ଛାତ୍ର, ଯୁବକ, କାର୍ଯ୍ୟକ୍ରମରେ ଯୋଗ ଦେଇ ନୂତନ ଯଜ୍ଞ ଉପବିତ ଧାରଣ କରିବା ସହ ପୂଜ୍ୟ ସ୍ୱାମୀ ବ୍ରହ୍ମାନନ୍ଦଙ୍କ ଦ୍ୱାରା ରକ୍ଷା ସୂତ୍ର ବନ୍ଧନ କରାଯାଇଥିଲା ଓ ସାମ୍ବାଦିକ ଚିତ୍ତରଞ୍ଜନ ପଣ୍ଡା, ବ୍ରହ୍ମଚାରୀ ଆନନ୍ଦ ଚୈତନ୍ୟ ବୈଦିକ ଭଜନ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମକୁ ଜନ୍ମେଞ୍ଜୟ ନାୟକ, ବରୁଣ ରାଜ ଓ ଭବାନୀକାନ୍ତ ରାଉତ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ