ଆର.ଆଇ, ଅମିନ, ଏ.ଆର.ଆଇ ଏବଂ ଏସ୍.ଏଫ୍.ଏସ୍ ପଦବୀ ପାଇଁ ପୁନଃ ପରୀକ୍ଷା ଦାବିରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ଦ୍ୱାରା ପରିଚାଳିତ ଆର.ଆଇ, ଅମିନ, ଏ.ଆର.ଆଇ ଏବଂ ଏସ୍.ଏଫ୍.ଏସ୍ ପରୀକ୍ଷାରେ ହୋଇଥିବା ଅନିୟମିତତା ପ୍ରତିବାଦରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ବୁଧବାର ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଉଦିତ ପ୍ରଧାନଙ୍କ ନେତୃତ୍ୱରେ ବିଧାନସଭା ଘେରାଉ କରାଯାଇଥିଲା । ଛାତ୍ରକଂଗ୍ରେସର କର୍ମୀମାନେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବିଧାନସଭା ଯାଉଥିବା ସମୟରେ ଲୋୟର ପିଏମ୍ଜିଠାରେ ପୋଲିସ୍ ସହିତ ଧସ୍ତାଧସ୍ତି ହୋଇଥିଲା । ଛାତ୍ର କଂଗ୍ରେସର କର୍ମୀମାନେ ପୋଲିସ୍ କର୍ଡନ ଭାଙ୍ଗି ଦେଇଥିଲେ । ଦ୍ୱିତୀୟ କର୍ଡ଼ନଠାରେ ପୋଲିସ୍ ଓ ଛାତ୍ର କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ପୁନର୍ବାର ଧସ୍ତାଧସ୍ତି ହୋଇଥିଲା । ଛାତ୍ର କଂଗ୍ରେସର କର୍ମୀମାନେ ତଳେ ବସି ପ୍ରତିବାଦ କରିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଉଦିତ୍ ପ୍ରଧାନ କହିଥିଲେ ଯେ, ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ଏକ ଠକ ସଂସ୍ଥା । ଏହି ସଂସ୍ଥା ମାଧ୍ୟମରେ ସରକାର ଚାକିରି ବିକ୍ରି କରୁଛନ୍ତି ।ଆର.ଆଇ. ଅମିନ, ଏ.ଆର.ଆଇ ଏବଂ ଏସ୍.ଏଫ୍.ଏସ୍ ପରୀକ୍ଷା ଓଡ଼ିଶା ସବଅର୍ଡ଼ିନେଟ ଷ୍ଟାଫ ସିଲେକ୍ସନ କମିଶନ ଯେପରି ଭାବରେ ପରିଚାଳନା କରିଥିଲା ଏହା ଅତ୍ୟନ୍ତ ନିନ୍ଦନୀୟ । ଯେଉଁ କେନ୍ଦ୍ର ଏହି ପରୀକ୍ଷା ଆୟୋଜିତ କରିଥିଲା, ତାହା ଷ୍ଟାଣ୍ଡାର୍ଡ଼ ସାଇବର କେଫ୍ ଭଳି ଓ କେନ୍ଦ୍ରଗୁଡ଼ିକରେ ପରୀକ୍ଷା ହେଲାଭଳି ପରିବେଶ ନଥିଲା । ଯେଉଁ ସିଫି କମ୍ପାନୀ ପରୀକ୍ଷା କରିବା ପାଇଁ ଦାୟିତ୍ୱ ନେଇଥିଲା, ତାହା ଏକ କଳା ତାଲିକାଭୁକ୍ତ କମ୍ପାନୀ । କମ୍ପୁଟର ଗୁଡ଼ିକର ମାଉସ୍ କାମ କରୁନଥିଲା । କେତେକ କେନ୍ଦ୍ରରେ ପରୀକ୍ଷା ସମୟ ଅତିବାହିତ ହେବା ପରେ ପରୀକ୍ଷା କରାଯାଇଥିଲା । ଓଡ଼ିଶା ସରକାରଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀର ପରୀକ୍ଷା ଅତି ଖାମଖିଆଲି ଭାବରେ କରାଯାଇଛି । ଯେଉଁ ପରିବେଶ ଓ କମ୍ପୁଟର ସିଷ୍ଟମ ଦିଆଯାଇଥିଲା, ସେଥିରେ ‘ସେଫି’ ଦାୟିତ୍ୱର ସହ ପରୀକ୍ଷା ପରିଚାଳନା କରୁଥିବା କଥା କହିହେବ ନାହିଁ । ତେଣୁ ଏହି ପରୀକ୍ଷାକୁ ବାତିଲ୍ କରି ପୁନଃ ପରୀକ୍ଷା କରିବାକୁ ଛାତ୍ର କଂଗ୍ରେସ ଦାବି କରିଛି । ପରୀକ୍ଷା ସଠିକ୍ ପରିଚାଳନା ପ୍ରତି ଦୃଷ୍ଟି ଦିଆଯାଉ । ବିଶେଷକରି ଯେଉଁଁ ପରସେଣ୍ଟାଇଲ ପ୍ରକ୍ରିୟାରେ ପରୀକ୍ଷା କରାଯାଇଛି, ସେଥିରେ ଦୁର୍ନୀତି କରିବା ଅତି ସହଜ ଅଟେ । ତେଣୁ ପରସେଣ୍ଟାଇଲ ପ୍ରକ୍ରିୟାରେ ପରୀକ୍ଷା କରାନଯାଉ । ଏହି ପରୀକ୍ଷା ଫଳାଫଳକୁ ବାତିଲ୍ କରି ପୁନଃ ପରୀକ୍ଷା କରିବା ପାଇଁ ଛାତ୍ର କଂଗ୍ରେସ ଦାବି କରିଛି ।
ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଶ୍ରୀ ଚୁନୁ ସିଂ କହିଥିଲେ ଯେ, ପରୀକ୍ଷାର୍ଥୀମାନଙ୍କୁ ନ୍ୟାୟ ଦେବା ପାଇଁ ଛାତ୍ର କଂଗ୍ରେସ ସଂଗ୍ରାମ ଜାରି ରଖିବ । ଏହି କାର୍ଯ୍ୟକ୍ରମରେ ୟାସିର ନୱାଜ, ରଣଜିତ ପାତ୍ର, ବିଶ୍ୱଜିତ ଦାସ, ମନୋଜ ବିଶ୍ୱାଳ, ସନ୍ତୋଷ ଜେନା, ମନୋରଞ୍ଜନ ଦାସ, ଅଜୟ ସାହୁ, ନିହାର ବେହେରା, ଗୋପନ ମାର୍ଥା, ସୋନାଲି ସାହୁ, ଅଶୋକ ଦାସ, ଜୟଶ୍ରୀ ପାତ୍ର, ପ୍ରଶାନ୍ତ ଚମ୍ପତ୍ତି, ମହମ୍ମଦ ଗୁଲଫାମ୍, ଆଶିଷ ମହନ୍ତ, ଶାହାରୁଖ ଖାନ, କାର୍ତ୍ତିକ କାଣ୍ଡି, ଶ୍ରୀ ମହାନ୍ତି, ସାଗର ପଟ୍ଟନାୟକ, ଲିପିକା ପାତ୍ର, ବାବୁ ଜେନା, ଆଲୋକ ଦାସ, ତାପସ ଦେ, ଶୁଭମ ରାଜ, ମହମ୍ମଦ ପରଭେଜନ, ତୁଷାରକାନ୍ତ ତପସ୍ୱୀ, ସୁନିଲ ସାହୁ ଗାନ୍ଧୀ, ରାମେଶ୍ୱର ଶଥପଥୀ, ଅମିୟ ନାୟକ, ବଳରାମ ଲେଙ୍କା, ସୌମ୍ୟରଞ୍ଜନ ବରାଳ, ପ୍ରୀତିମାନ ନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ସମସ୍ତ ଛାତ୍ର କଂଗ୍ରେସ କର୍ମୀମାନଙ୍କୁ ଘଟଣାସ୍ଥଳରୁ ପୋଲିସ୍ ବଳପୂର୍ବକ ଭ୍ୟାନ ଯୋଗେ ଉଠାଇ ନେଇଥିଲା ।