ଆଲିପୁର ଶ୍ରୀକ୍ଷେତ୍ର ପଂଚାୟତ ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଶିକ୍ଷକ ପଦବୀ ପୂରଣ ଦାବୀ

ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ବ୍ଳକ ଅନ୍ତର୍ଗତ ଆଲିପୁର ଗ୍ରାମ ପଞ୍ଚାୟତର ଆଲିପୁର ଗ୍ରାମରେ ଥିବା ନୂତନ ଅନୁଦାନପ୍ରାପ୍ତ ଶ୍ରୀକ୍ଷେତ୍ର ପଞ୍ଚାୟତ ଉଚ୍ଚବିଦ୍ୟାଳୟକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୫-ଟିରେ ଅନ୍ତର୍ଭୁକ୍ତ କରାଯାଇ ଗତ ୨୦୨୩ ମସିହା ଜାନୁୟାରୀ ମାସ ୧୧ ତାରିଖରେ ଉଦ୍‌ଘାଟନ କରାଯାଇଥିଲା । ଗୁଣାତ୍ମକ ଶିକ୍ଷାର ବାତାବରଣ ସୃଷ୍ଟି ପାଇଁ ଏହି ପୁରାତନ ଶିକ୍ଷାନୁଷ୍ଠାନକୁ ସ୍ମାର୍ଟ ହାଇସ୍କୁଲରେ ରୂପାନ୍ତରଣ କରାଯାଇଥିଲା । ଯେଉଁଠି ଇ. ପାଠାଗାର ସମେତ ସ୍ମାର୍ଟ କ୍ଳାସ୍‌ରୁମ୍‌, କ୍ରୀଡା, କମ୍ପ୍ୟୁଟର୍ ରୁମ୍‌, ଅତ୍ୟାଧୁନିକ ବିଜ୍ଞାନାଗାର, ରିଡିଙ୍ଗ ରୁମ୍‌, ପାନୀୟ ଜଳ, ସ୍ମାର୍ଟ ଶୌଚାଳୟ ସମେତ ବିଭିନ୍ନ ଆଧୁନିକ ସୁବିଧା ଉପଲବ୍ଧ ହୋଇଛି । ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହି ବିଦ୍ୟାଳୟର ଆଧୁନିକୀକରଣ ହେଉଛି । ୧୯୮୭ମସିହାରେ ସ୍ଥାପିତ ହୋଇଥିବା ଆସିକା ବ୍ଳକ ଅନ୍ତର୍ଗତ ଆଲିପୁର ଗ୍ରାମରେ ଥିବା ନୂତନ ଅନୁଦାନପ୍ରାପ୍ତ ଶ୍ରୀକ୍ଷେତ୍ର ପଞ୍ଚାୟତ ଉଚ୍ଚବିଦ୍ୟାଳୟରେ ନବମରୁ ଦଶମ ଶ୍ରେଣୀରେ ପ୍ରାୟ ୧୧୧ଜଣ ବିଦ୍ୟାର୍ଥୀ ପାଠପଢୁଥିବା ବେଳେ ଏହି ପୁରାତନ ଶିକ୍ଷାନୁଷ୍ଟାନରେ ସ୍ଥାୟୀ ପ୍ରଧାନଶିକ୍ଷକ, ହିନ୍ଦୀ ଶିକ୍ଷକ ପଦବୀ ଠାରୁ ଆରମ୍ଭ କରି କ୍ରିଡୀ ଶିକ୍ଷକ, କମ୍ପ୍ୟୁଟର ଶିକ୍ଷକ ଓ ରାତ୍ର ଜଗୁଆଳ ପଦବୀ ଖାଲି ପଡିଥିଲା ବେଳେ ସେ ଗୁଡିକ ପୂରଣ କରିବା ଦିଗରେ ଶିକ୍ଷାବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉ ନଥିବା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ଏହି ପୁରାତନ ଶିକ୍ଷାନୁଷ୍ଟାନରେ ହିନ୍ଦୀ ଓ କମ୍ପ୍ୟୁଟର ଶିକ୍ଷକ ନଥିବା ଯୋଗୁଁ ବିଦ୍ୟାର୍ଥୀ ମାନେ ଯୁଗପୋଯୋଗୀ ଓ ଅଧୁନିକ ଶିକ୍ଷା କିପରି ପାଇବେ ତାହା ସାଧାରଣରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ଲକ୍ଷ୍ୟ କରାଯାଇଛି । ରାଜ୍ୟ ସରକାର ଶିକ୍ଷାବିଭାଗ ପାଇଁ ଆଣୁଥିବା ବହୁ ପ୍ରକାର ପ୍ରୟାସକୁ ଏହି ପୁରାତନ ଶିକ୍ଷାନୁଷ୍ଟାନ ପ୍ରତି ଅଣଦେଖା କରାଯାଉଥିବା ଅଭିଯୋଗ ରହିଛି । ଶିକ୍ଷାର ଗୁଣାତ୍ମକ ମାନ ଓ ଭିତ୍ତି ଭୂମୀ ବୃଦ୍ଧି କରିବା ସହ ଉତ୍ତମ ଜ୍ଞାନ କୌଶଳରେ ପିଲାଙ୍କୁ ପାଠ ପଢାଇବାର ମହତ୍ ଉଦ୍ଦେଶ୍ୟ ରଖି ତତ୍କାଳୀନ ରାଜ୍ୟ ସରକାର ପ୍ରଚଳନ କରିିଥିଲେ ରୂପାନ୍ତରିତ ୫-ଟି ବିଦ୍ୟାଳୟ । ଆସିକା ବ୍ଳକ ଓ ଏନଏସି ଅନ୍ତର୍ଗତ ସମସ୍ତ ୩୪ଟି ଉଭୟ ସରକାରୀ ଓ ବ୍ଳକ ଗ୍ରାଣ୍ଟ ଉଚ୍ଚ ବିଦ୍ୟାଳୟକୁ ଏହି ଯୋଜନାରେ ସାମିଲ କରାଯାଇଥିଲା । ସରକାର ୫-ଟି ଅଧିନରେ ଉଚ୍ଚ ବିଦ୍ୟାଳୟ ଗୁଡିକୁ ରୂପାନ୍ତରିତ କରି ସ୍ମାର୍ଟ କରିବା ସହ ରୂପରେଖ ବଦଳାଇଲେ । ହେଲେ ବହୁ ସ୍ମାର୍ଟ ସ୍କୁଲ ବିଗତ କିଛି ଦିନ ହେଲା ନାନା ସମସ୍ୟା ଦେଇ ଗତି କରୁଥିବା ଦେଖିବାକୁ ମିଳିଛି । ସରକାର ସିନା ସ୍କୁଲ ଗୁଡିକୁ ସ୍ମାର୍ଟ କରିଦେଲେ କିନ୍ତୁ ଭିତ୍ତିଭୂମୀକୁ ସଜାଡିବାକୁ ଭୁଲିଗଲେ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଛି । ଆସନ୍ତା ଫେବୃୟାରୀ ମାସ ୨୧ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ଆସିକା ଆଲିପୁର ଶ୍ରୀକ୍ଷେତ୍ର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ହିନ୍ଦୀ ପାଠ୍ୟକ୍ରମରେ ଜ୍ଞାନ ଆହରଣ କରିବାରୁ ବଂଚିତ ହେଉଛନ୍ତି । ଯାହାରି ଫଳରେ ହିନ୍ଦୀ ବିଷୟରେ ପାଠ ପଢିବା ପାଇଁ ଛାତ୍ରଛାତ୍ରୀମାନେ ସାଂପ୍ରତିକ ପରିସ୍ଥିତିରେ କୋଚିଂ ସେଣ୍ଟର କିମ୍ବା ଟ୍ୟୁସନ୍‍ ଉପରେ ଭରଷା କରୁଥିବା ଜଣାପଡିଛି । ଜିଲ୍ଲା ପ୍ରଶାସନ ତଥା ଶିକ୍ଷା ବିଭାଗ ଉଚ୍ଚ କତ୍ତୃପକ୍ଷ ତୁରନ୍ତ ଧ୍ୟାନଦେଇ ନୂତନ ଅନୁଦାନପ୍ରାପ୍ତ ଆଲିପୁର ଶ୍ରୀକ୍ଷେତ୍ର ପଞ୍ଚାୟତ ଉଚ୍ଚବିଦ୍ୟାଳୟରେ ଲାଗି ରହିଥିବା ବହୁବିଧ ସମସ୍ୟାକୁ ସମାଧାନ କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ