ଆଲୋକର ପର୍ବ ଦିପାବଳୀ

ସନ୍ତୋଷ କୁମାର ଦାଶ

ଆଲୋକର ପର୍ବ ଦିପାବଳୀ ହିନ୍ଦୁ ମାନଙ୍କ ର ଏକ ମୁଖ୍ୟ ପର୍ବ। ଦୀପାବଳୀ ରେ ମା କାଳୀଙ୍କ ପୂଜା କରାଯାଏ । କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ମଧ୍ୟରାତ୍ରୀ ରୁ ତାନ୍ତ୍ରିକ ଓ ଶାକ୍ତ ମତରେ ଦେବୀକାଳୀ ଙ୍କ ର ପୂଜା କରା ଯାଇଥାଏ। ଆଲୋକର ପର୍ବ ଦୀପାବଳିକୁ ପାଳିବାକୁ ସମସ୍ତେ ବର୍ଷସାରା ଉତ୍କଣ୍ଠାର ସହିତ ଅପେକ୍ଷା କରିଥାଆନ୍ତି, ଏହି ଦିନ‌ କୁ ସମସ୍ତେ ନିଜ ନିଜର ପରିବାର ସହିତ ବେଶ ହସଖୁସିର ସହିତ ପାଳନ କରି ଥାଆନ୍ତି । ସେହିଭଳି ଓଡ଼ିଆ ପରମ୍ପରାରେ ଏହି ଦିନ ପିତୃପୁରୁଷ ଙ୍କୁ ମନେ ପକାଇବା ର ପ୍ରଥା ମଧ୍ୟ ପାଳନ ହୋଇଥାଏ। ପରିବାର ର ସମସ୍ତେ ମିଶି କାଉଁରିଆ କାଠି ଧରି ତହିଁ ରେ ଅଗ୍ନି ସଂଯୋଗ କରି ବଡ଼ ବଡିଆ ଡାକିଥାନ୍ତି, ବଡ଼ ବଡୁଆ ହୋ.. ଅନ୍ଧାରେ ଆସି ଆଲୁଅ ରେ ଯାଅ..ବାଇଶି ପାହାଚେ ଗଡ଼ ଗଡ଼ାଉ ଥାଅ।ଭାରତର ଅନ୍ୟାନ୍ୟ ଅଞ୍ଚଳ ରେ ଦୀପାବଳୀ ଲକ୍ଷ୍ମୀ ପୂଜାର ସମୟ, ବିଶେଷ କରି, ଉତ୍ତର ଭାରତରେ ମହାଲକ୍ଷ୍ମୀ ଙ୍କ ରୂପରେ ଦେବୀଙ୍କ ଆରାଧନା କରାଯାଏ । ଏହି ସବୁ ଅଞ୍ଚଳରେ ଏହା ଏକ ମୁଖ୍ୟ ପର୍ବ ରୂପେ ପାଳିତ ହୁଏ । ମିଥିଳା ଓ ନେପାଳ ରେ ଏହି ପର୍ବରେ ମହାନିଶା ଙ୍କ ପୂଜା କରା ଯାଏ, ଘରେ ଘରେ ସେଦିନ ଦୀପ ଜଳେ, ବାଣ ଫୁଟାଯାଏ, ଶ୍ରାଦ୍ଧ କରାଯାଏ, ପିଠାପଣା ହୁଏ, ଦୀପାବଳୀ ଉତ୍ସବ ପାଳନ ବିଷୟ ରେ ନାନା ପ୍ରକାର ଲୋକକଥା ଶୁଣାଯାଏ, ଏହି ଦୀପାବଳୀ ଅମାବାସ୍ୟା କୁ ପୟା ଅମାବାସ୍ୟା ମଧ୍ୟ କୁହା ଯାଇଥାଏ। କିମ୍ବଦନ୍ତୀ ଅନୁସାରେ ସତ୍ୟଯୁଗରେ ପ୍ରଭୁ ରାମଚନ୍ଦ୍ର ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କରି ଅଯୋଧ୍ୟା ଫେରିଲେ, ଅଯୋଧ୍ୟା ର ସମସ୍ତ ନରନାରୀ ଶ୍ରୀରାମଙ୍କ ଅସତ୍ୟ ଉପରେ ସତ୍ୟର ବିଜୟ ନିମନ୍ତେ ଆନନ୍ଦରେ ବିଭିନ୍ନ ପ୍ରକାର ଆଲୋକ ଜଳେଇଥିଲେ, ସେହିଦିନ ଠାରୁ ଏହି ଉତ୍ସବ ପାଳନ କରାଯାଉଛି, ଓଡିଆ ମାନେ ନିଜ ଘର, ଦେବ ଦେବୀ ମନ୍ଦିର କୁ ରଙ୍ଗୀନ ଆଲୋକ ମାଳା ରେ ସଜ୍ଜିତ କରି ଏହି ଉତ୍ସବ କୁ ଧୁମ୍ ଧାମରେ ପାଳନ କରିଥାନ୍ତି।ଉତ୍ତର ଭାରତରେ ପୁରୁଷୋତ୍ତମ ଶ୍ରୀ ରାମଚନ୍ଦ୍ର ଙ୍କର ଭକ୍ତମାନେ ଏହି ଦିନ ଟିକୁ ବହୁ ଯାକଜମକରେ ପାଳନ କରିଥାନ୍ତି, ସେହିଭଳି ଅନ୍ୟ ଏକ କିମ୍ୱଦନ୍ତୀ ଅନୁସାରେ ଦୈତ୍ୟରାଜ ବଳି ମହା ଦାନୀ ଥିଲେ, ସେ ଏପରି ଦାନ କଲେ ଯେ, ସ୍ଵର୍ଗର ବେବତାମାନଙ୍କ ମଧ୍ୟରେ ଭାଳେଣି ପଡ଼ିଗଲା, କାରଣ ତାଙ୍କର ପୂଣ୍ୟ ଫଳରେ ସେ ସ୍ୱର୍ଗପୁର ର ଅଧିକାରୀ ହୋଇପାରନ୍ତି, ଏଣୁ ଦେବତା ମାନେ ଚିନ୍ତାରେ ପଡ଼ି ଶ୍ରୀ ନାରାୟଣଙ୍କ ଶରଣ ପଶିଥିଲେ।ବିଷ୍ଣୁ ନାରାୟଣ ବାମନ ଅବତାର ଗ୍ରହଣ କରି ବଳିରାଜଙ୍କ ପାଖରେ ପହଞ୍ଚି ତାଙ୍କୁ ତିନିପାଦ ଭୂମି ମାଗିଥିଲେ । ଗୋଟିଏ ପାଦରେ ପୃଥିବୀ, ଦ୍ଵିତୀୟ ପାଦରେ ସ୍ୱର୍ଗ ଏବଂ ତୃତୀୟ ପାଦରେ ବଳି ଙ୍କୁ ପାତାଳ କୁ ଚାପିଦେଲେ। ତେଣୁ ସେ ପାତାଳ ପୁରକୁ ଚାଲିଗଲେ । ତା ପରେ ବଳିଙ୍କ ପ୍ରାର୍ଥନା ଶୁଣି ପାତାଳରେ ବଳି କୁ ଭଗବାନ ଶ୍ରୀ ବିଷ୍ଣୁ ରାଜା କରିଦେଲେ । ବର୍ଷକରେ ଥରେ ମର୍ତ୍ତ୍ୟପୁରକୁ ଆସି ପ୍ରଜାମାନଙ୍କୁ ଦେଖିବାକୁ ବଳୀ ରାଜା ବର ମାଗନ୍ତେ ବିଷ୍ଣୁ ଏଥିରେ ସମ୍ମତି ଜଣାଇ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ପ୍ରତିପଦା ଦିନ ବଳୀ ମର୍ତ୍ତ୍ୟକୁ ଆସିବାକୁ ତଥାସ୍ତୁ କହିଲେ । ତେଣୁ ସେଦିନକୁ ମର୍ତ୍ତ୍ୟବାସୀ ଆନନ୍ଦର ଦୀପ ଜାଳି ଆଲୋକିତ କରନ୍ତି I ଯାହା ଦୀପାବଳି ଭାବେ ପାଳିତ ହୋଇଥାଏ, ଆଲୋକର ପର୍ବ ଦିପାବଳୀ କୁ ନେଇ ଏହିପରି ଭିନ୍ନ ଭିନ୍ନ ବର୍ଣନା ରହିଛି, ଓଡ଼ିଶାରେ ଖୁବ ଧୂମଧାମରେ ଦୀପାବଳିକୁ ପାଳନ କରାଯାଏ, ଏହି ଦିନ କାଉଁରିଆ କାଠି ଜଳାଇ ବଡ଼ ବଡିଆ ଡକା ଯିବା ସହିତ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଅର୍ପଣ କରାଯାଇଥାଏ, ଘରେ ଘରେ ପିଠାପଣା ଓ ରଙ୍ଗୋଲି ପକାଯାଏ, ସମସ୍ତେ ନିଜ ନିଜର ପରିବାର ସହିତ ଏହି ପର୍ବକୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରି ଥାଆନ୍ତି, ଏହି ସମୟ ରେ ଧାନ ଫସଲ ରେ ଅନେକ କୀଟ ପତଙ୍ଗ ସୃଷ୍ଟି ହୋଇଥାନ୍ତି, ଦୀପାବଳି ପାଳନ ରେ ସବୁଆଡେ ଦୀପ, ମହମବତୀ ଜଳା ଯାଇଥାଏ, ସେହି ଜଳୁଥିବା ଦୀପ ଓ ମହମବତୀ ଆଲୋକ ରେ ଆକର୍ଷିତ ହୋଇ ଆସି କୀଟ ପତଙ୍ଗ ସବୁ ଜଳି ଯାଇ ମୃତ୍ୟୁ ବରଣ କରି ଥାନ୍ତି, ସେ ଯାହା ହେଉନା କାହିଁକି ଆଲୋକର ପର୍ବ ଦୀପାବଳି ଏକ ପ୍ରମୁଖ ପର୍ବ ଭାବେ ପାଳନ କରା ଯାଇଆସୁଛି.
ତୁଳସୀପୁର। ପୁରୀ
୯୪୩୯୩୬୧୮୮୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ