ଆଲୋଚନା ଚକ୍ର ଏକାତ୍ମ ମାନବବାଦର ପ୍ରଣେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୀବନୀ ଓ ବିଚାରଧାରା

ବାଲେଶ୍ବର, (ସରୋଜ ପଣ୍ଡା):ଏକାତ୍ମ ମାନବବାଦର ପ୍ରଣେତା, କୁଶଳୀ ସଂଗଠକ, ବିଶିଷ୍ଟ ଅର୍ଥଶାସ୍ତ୍ରୀ, ପ୍ରଖର ରାଷ୍ଟ୍ରବାଦୀ, ଭାରତୀୟ ଜନସଂଘର ପ୍ରତିଷ୍ଠାତା, ଦୁନିଆକୁ ଅନ୍ତର୍ଦୋୟର ବାର୍ତା ଦେଇଥିବା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଦିବସ ୨୫ ସେପ୍ଟେମ୍ବରରେ ସନ୍ଧ୍ୟା ୫ଟାରେ ଏକ ଆଲୋଚନା ଚକ୍ର ବିଜେପି ନଗର ମଣ୍ଡଳ ତରଫରୁ ଆତିଥ୍ୟ ଭବନଠାରେ ଆୟୋଜିତ ହୋଇଯାଇଛି। ଆଲୋଚନା ଚକ୍ରରେ ସହରର ବହୁ ମାନ୍ଯଗଣ୍ୟ ବୁଦ୍ଧିଜୀବୀଙ୍କ ସହିତ ବିଜେପିରେ କାର୍ଯ୍ଯକର୍ତ୍ତା ମାନେ ଯୋଗଦାନ କରିଥିଲେ। ବିଜେପି ନଗର ମଣ୍ଡଳ ସଭାପତି ଚିତ୍ତରଞ୍ଜନ ପଣ୍ଡା ଆଲୋଚନା ଚକ୍ର ପରିଚାଳନା କରିଥିଲେ, ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ। ମୁଖ୍ୟବକ୍ତା ଭାବେ ବାଲେଶ୍ବର ସାଂସଦ ପୁର୍ବତ୍ତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ବାଲ୍ୟ ଜୀବନୀ ଠାରୁ ଆରମ୍ଭ କରି ଶିକ୍ଷା, ସମାଜସେବା, ସାଂଗଠନିକ କୁଶଳତା, ଅର୍ଥନୈତିକ ଚିନ୍ତାଧାରା, ଦେଶପ୍ରେମ, ରାଷ୍ଟ୍ର ନିର୍ମାଣରେ ଯୋଗଦାନ ଉପରେ ପୁଙ୍ଖାନୁପୁଙ୍ଖ ଆଲୋକପାତ କରିଥିଲେ। ତାଙ୍କ ବାଲ୍ୟ ଜୀବନ ଥିଲା ଅତ୍ୟନ୍ତ କଷ୍ଟ ଦାୟକ ୩ ବର୍ଷ ବୟସରେ ବାପା, ୭ ବର୍ଷ ବୟସରେ ମାଆ, ୧୦ ବର୍ଷ ବୟସରେ ଅଜା, ୧୫ ବର୍ଷ ବୟସରେ ସ୍ନେହମୟୀ ମାଇଁ, ଏମିତିକି ୧୬ ବର୍ଷ ବୟସ ବେଳକୁ ସେ ତାଙ୍କର ଏକମାତ୍ର ଛୋଟ ଭାଇଙ୍କୁ ହରାଇଥିଲେ। ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ବାଲ୍ଯ ଜୀବନ ଅତିବାହିତ ହୋଇଥିଲେ ହେଁ ଦୀନଦୟାଲ ଜୀଙ୍କ ପ୍ରତିଭାରେ କୌଣସି ପ୍ରଭାବ ପଡ଼ି ନଥିଲା। ପିଲାଟି ଦିନରୁ ସେ ପାଠ ପଢ଼ାରେ ଉଚ୍ଚକୋଟୀର ଥିଲେ। ପିଲାନି ସ୍ଥିତ ବିରଳା କଲେଜରୁ ଇଣ୍ଟରମିଡିଏଟ୍ ପରୀକ୍ଷା ଦେଇ ପ୍ରଥମ ସ୍ଥାନ ଅଧିକାର ଓ ବୃତ୍ତିଲାଭ କରିଥିଲେ। ସନାତନ ଧର୍ମ କଲେଜ କାନପୁରରୁ ଇଂରାଜୀ ପରୀକ୍ଷାରେ ସ୍ନାତକ ପରୀକ୍ଷା ଦେଇ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏମ୍ଏ (ଇଂରାଜୀ) ପାଠ୍ୟକ୍ରମର ଦ୍ବିତୀୟ ବର୍ଷ ଚାଲିଥିବା ବେଳେ ତାଙ୍କର ଅତି ପ୍ରିୟ ମାମୁଁ ଝିଅ ଭଉଣୀର ହସ୍‌ପିଟାଲରେ ଦୀର୍ଘକାଳୀନ ଚିକିତ୍ସା ପାଇଁ ଏମ୍ ପାଠପଢ଼ା ଅଧାରୁ ଛାଡିଲେ। ପରବର୍ତ୍ତୀ ସମୟରେ ସେଣ୍ଟ୍ରାଲ ପ୍ରୋଭିନ୍ସ ସିଭିଲ ସର୍ଭିସ୍‌ ପରୀକ୍ଷା ଦେଇ ସମଗ୍ର ପ୍ରଦେଶରେ ପ୍ରଥମସ୍ଥାନ ଲାଭ କରିବା ସ୍ବତ୍ତେ ସରକାରୀ ଚାକିରୀକୁ ପ୍ରତ୍ୟାଖ୍ୟାନ କରି ସମାଜ ଗଠନ କାମରେ ମନୋନିବେଶ କରିଥିଲେ। ୧୯୪୬ ମସିହାରେ ‘ଏକାମ୍‌ମାନବ ଦର୍ଶନ’ ପ୍ରଣୟନ , ୧୯୫୧ ମସିହାରେ ଜନସଂଘର ପ୍ରତିଷ୍ଠାଏବଂ ୧୯୬୫ରେ ଆନ୍ଧ୍ରର ବିଜୟୱାଡା ଠାରେ ଅନୁଷ୍ଠିତ ଜନସଂଘର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଦଳର ବୈଚାରିକ ସିଦ୍ଧାନ୍ତ ରୂପେ ଏହା ଗୃହୀତ କରାଇଥିଲେ। ସେ ସମୟରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ସଂପାଦନାରେ ‘ ରାଷ୍ଟ୍ରଧର୍ମ’ ନାମରେ ଏକ ଦୈନିକ ପତ୍ରିକା, ‘ ପଞ୍ଚଜନ୍ୟ’ ନାମରେ ଏକ ସାପ୍ତାହିକ ପତ୍ରିକା ଏବଂ ‘ ସ୍ଵଦେଶ’ ନାମରେ ଏକ ମାସିକ ପତ୍ରିକା ପ୍ରକାଶିତ ହେଉଥିଲା। ତାଙ୍କ ନେତୃତ୍ବରେ ଭାରତୀୟ ଜନସଂଘ ୧୯୫୨ ମସିହାରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଭାଗନେଇ ୩.୦୬ ପ୍ରତିଶତ ଭୋଟ ପାଇବା ସହିତ ୩ଟି ଆସନ ପାଇଥିବା ବେଳେ ଦୀନଦୟାଲଜୀଙ୍କ ବଳିଷ୍ଠ ନେତୃତ୍ଵ ବଳରେ ୧୯୫୭ରେ ୫.୯୭ ପ୍ରତିଶତ ଭୋଟ୍ ସହିତ ୪ଟି ଆସନ, ୧୯୬୨ରେ ୬.୪୪ ପ୍ରତିଶତ ଭୋଟ ସହିତ ୧୪ଟି ଆସନ ଏବଂ ୧୯୬୭ରେ ୯.୩୧ ପ୍ରତିଶତ ଭୋଟ ସହିତ ୩୫ଟି ଆସନ ଲାଭ କରିଥିଲା। ସେ ଆହୁରି କହିଥିଲେ ଯେ ଦୀନଦୟାଲ ଜୀଙ୍କ ଆଦର୍ଶ ଓ ମାର୍ଗଦର୍ଶନକୁ ପାଥେୟ କରି ସେ ସମୟର ଜନସଂଘ ଅଧୁନା ବିଜେପି ଆଜି କେବଳ ଭାରତର ଏକକ ବୃହତ୍ତମ ଦଳ ନୁହେଁ ବିଶ୍ବର ଏକ ନମ୍ବର ରାଜନୈତିକ ଦଳର ମାନ୍ୟତା ପାଇଛି। ତାଙ୍କ ରଚିତ ଏକାତ୍ମ ମାନବବାଦ ଓ ଅନ୍ତର୍ଦୋୟର ବାର୍ତ୍ତାର ଉପାଦେୟତା ସଦା ଗ୍ରହଣନୀୟ। ଶେଷରେ ଶେଷରେ ସଦର ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଜିଲ୍ଲା ଉପସଭାପତି କରୁଣାକର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ