ଆଳିସାର ଦୋକାନୀକୁ ଗୁଳିକରି ହତ୍ୟା ଘଟଣାରେ ହାଇଦର ପୁଅ ମୁନାକୁ ଆଜୀବନ କାରାଦଣ୍ଡ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଆଳି ବଜାର ସାର ଦୋକାନୀକୁ ଗୁଳିକରି ହତ୍ୟା କରିବା ଘଟଣାରେ କେନ୍ଦ୍ରାପଡା ଜିଲ୍ଲା ଦୈାରାଜଜ ଗୋପାଳ ଚନ୍ଦ୍ର ବେହେରା ଗ୍ୟାଙ୍ଗଷ୍ଟର ମୁନା ଓରଫ ସେକ କାଦିରକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବା ଜଣାପଡିଛି । ଘଟଣା ଅନୁଯାଇ କେନ୍ଦ୍ରାପଡା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ଆଳି ବଜାରରେ ଥିବା ସାର ଦୋକାନୀର ମାଲିକ ସୋନୁ ଓରଫ ସାହାନୱାଜ ଖାଁଙ୍କୁ ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ମୁନା ଓରଫ ସେକ କାଦିର ଦାଦାବଟି ମାଗିଥିଲା । କିନ୍ତୁ ସୋନୁ ଦାଦାବଟି ନଦେବାରୁ ଗତ ୨୦୧୦ମସିହା ମଇମାସ ୨୪ତାରିଖ ପୂର୍ବାହ୍ନ ୧୦ଟା ସମୟରେ ଆଳିବଜାରସ୍ଥିତ ସାର ଦୋକାନରେ ବସିଥିବା ବେଳେ ସୋନୁ ଓରଫ ସାହାନୱାଜ ଖାଁଙ୍କୁ ହାଇଦରର ପୁଅ ମୁନା ଓରଫ ସେକ କାଦିର ଗୁଳି କରିଥିଲା । ଏଥିସହିତ ସୋନୁଙ୍କ ଦାଦା ୱାଜିଦ ଖାଁଙ୍କୁ ମଧ୍ୟ ମୁନା ଗୁଳି କରିଥିଲା । ଉଭୟ ସୋନୁ ଏବଂ ୱାଜିଦଙ୍କୁ ପ୍ରଥମେ ଆଳି ଡାକ୍ତରଖାନା ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସୋନୁଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ୱାଜିଦ ଡାକ୍ତରଖାନାରେ ଚିକିତ୍ସିତ ହୋଇ ବଞ୍ଚିଯାଇଥିଲେ । ଆଳି ଥାନା କେଶ ନମ୍ବର ୫୫/୨୦୧୦ ତଥା ଏସ.ଟି. କେଶ ନମ୍ବର -୭୪/୨୦୧୩ରେ ସେହି ହତ୍ୟା ମାମଲାର ବିଚାର କରି ଜିଲ୍ଲାଦୈାରାଜଜ ସୋମବାର ଅଭିଯୁକ୍ତ ହାଇଦରର ପୁଅ ମୁନା ଓରଫ ସେକ କାଦିରକୁ ୩୦୨ଦଫାରେ ଆଜୀବନ କାରାଦଣ୍ଡ ସହିତ ୧୦ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ଏକବର୍ଷ ଜେଲଦଣ୍ଡ ଭୋଗିବାକୁ ନିର୍ଦେଶ ଦେଇଛନ୍ତି । ସେହିପରି ୩୦୭ଦଫାରେ ୫ବର୍ଷ କାରାଦଣ୍ଡ ସହିତ ୧୦ହଜାର ଟଙ୍କା ଜୋରିମାନା, ଜୋରିମାନା ଅନାଦେୟ ଅଧିକ ୬ମାସ ଜେଲଦଣ୍ଡ ଏବଂ ୨୫ ଓ ୨୭ ଆର୍ମସ ଆକ୍ଟରେ ପ୍ରତ୍ୟେକ ୩ବର୍ଷକରି କାରାଦଣ୍ଡ ଓ ୫ହଜାର ଟଙ୍କା ଜୋରିମାନା, ଜୋରିମାନା ଅନାଦେୟ ଅଧିକ ୩ମାସ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ମାମଲାରେ ପୋଲିସ ଅଭିଯୁକ୍ତ ଦର୍ଶାଇଥିବା ଅନ୍ୟ ୮ଜଣଙ୍କ ମଧ୍ୟରୁ ଅଭିଯୁକ୍ତ ସେକ ଯାଦୋଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଜଣେ ଫେରାର ରହିଛି । ଅନ୍ୟ ୬ଜଣ ସେକ ଲୋକମାନ, ସେକ ମୁକ୍ତାର ଅଲ୍ଲୀ, ରୋସନା ବିବି, ସେକ ଲିଆକତ ଓ ସେକ ଗରିବ ପ୍ରମୁଖଙ୍କୁ ଜିଲ୍ଲାଦୈାରାଜଜ ପ୍ରମାଣ ଅଭାବରୁ ଖଲାସ କରିଦେଇଥିବା ସୂଚନା ମିଳିଛି । ସରକାରଙ୍କ ପକ୍ଷରୁ କ୍ୟାଡର ପବ୍ଲିକ ପ୍ରସିକ୍ୟୁଟର ମାନସରଞ୍ଜନ ବେହେରା କୋର୍ଟରେ ମାମଲା ପରିଚାଳନା କରୁଥିବା ବେଳେ ମୁନା ଓରଫ ସେକ କାଦିରଙ୍କ ପକ୍ଷରୁ ଆଇନଜୀବୀ ରବି ମହାନ୍ତି ଓ ସୂର୍ଯ୍ୟ ମିଶ୍ର ଏବଂ ଖଲାସ ହୋଇଥିବା ୬ଜଣଙ୍କ ପକ୍ଷରୁ ଆଇନଜୀବୀ ଦେବଦାସ ମହାନ୍ତି କୋର୍ଟରେ ମାମଲା ପରିଚାଳନା କରୁଥିଲେ ।


