ଆଶାଙ୍କ ପ୍ରବେଶକାଳୀନ ପ୍ରଶିକ୍ଷଣ ଶିବିର
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଗଞ୍ଜାମ ଜିଲ୍ଲା ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ନୂତନ ଭାବେ ନିଯୁକ୍ତି ହୋଇଥିବା ଆଶା କର୍ମୀ ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଆୟୋଜିତ ଶିବିରରେ ମୁଖ୍ୟ ଅତିଥି ଭାବେ ଚିକିତ୍ସାଳୟ ଭାରପ୍ରାପ୍ତ ଅଧିକ୍ଷକ ଡାକ୍ତର ପ୍ରତିଭା ପାତ୍ର, ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଆଶା ପରିଚାଳକ ଆଶିଷ ମିଶ୍ର, ଜିଲ୍ଲା ତାଲିମଦାତ୍ରୀ ସୁଜତା ପଟ୍ଟନାୟକ, ଜିଲ୍ଲା ଏଡସ ପରିଚାଳକ ହେମନ୍ତ ଦାସ, ବିନାୟକ ମିଶ୍ର ପ୍ରମୁଖ ମଞ୍ଚାସିନ ଥିଲେ । ତାଲିମ ପ୍ରଶିକ୍ଷକ ଭାବେ ଜିଲ୍ଲା ଲେପ୍ରସି ଅଧିକାରୀ ରୀତାରାଣୀ ପରିଡା, ଅମିତା କୁମାରୀ ପାଢି, ଜିଲ୍ଲା ମ୍ୟାଲେରିଆ ନିରାକରଣ ପରାମର୍ଶଦାତା ସୁଜିତ କୁମାର ମାଝି, ଆଞ୍ଚଳିକ ଟୀକା ପରିଚାଳକ ଅଜୟ କୁମାର ମଲ୍ଲିକ ଓ ସମ୍ବଳ ବ୍ୟକ୍ତି ଭାବେ ହରିହର ପାଢି ଯୋଗ ଦେଇ ଉପସ୍ଥିତ ଆଶା କର୍ମୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଆଶା କର୍ମୀ ମାନଙ୍କ ସହଯୋଗରେ ସ୍ୱାସ୍ଥ୍ୟ ସେବା କିଭଳି ଘରେ ଘରେ ପହଞ୍ଚିବ, ସଂକ୍ରମଣ ଓ ଅଣ ସଂକ୍ରମଣ ରୋଗ ବ୍ୟାପିବା ସମୟରେ ଆଶା ମାନଙ୍କ ଭୂମିକା, ମାତୃସ୍ୱାସ୍ଥ୍ୟ, ଶିଶୁସ୍ୱାସ୍ଥ୍ୟ, ଶିଶୁ ମାନଙ୍କ ପୋଷଣ, ମ୍ୟାଲେରିଆ, ଯକ୍ଷ୍ମା, ଏଡସ୍ , ନିରାପଦ ଗଭ୍ରପାତ, ଗର୍ଭବତୀ, ପ୍ରସୂତୀ ମହିଳା, ନବଜାତ ଶିଶୁ, କିଶୋରୀ ମାନଙ୍କ ଯତ୍ନ ଦିଗରେ ଆଶା ମାନଙ୍କ ଭୂମିକା ନେଇ ତାଲିମ ପ୍ରଦାନ କରିଥିଲେ । ପ୍ରଶିକ୍ଷଣ ଶିବିରରେ ଛତ୍ରପୁର, ଭଞ୍ଜନଗର, ପୁରୁଷୋତ୍ତମପୁର, ବେଲଗାଁ, ଖଲ୍ଲିକୋଟ, ମୁନୁସିପେଣ୍ଠ, ବ୍ରହ୍ମପୁର ଓ ବେଗୁନିଆପଡାରୁ ୩୭ ଜଣ ନୂତନ ନିଯୁକ୍ତି ଆଶାକର୍ମୀ ଯୋଗ ଦେଇଥିଲେ । ଚିକିତ୍ସାଳୟ ହିସାବରକ୍ଷକ ସତ୍ୟ ନାରାୟଣ ପଟ୍ଟନାୟକ, ଜୁନିୟର ମେଡିକାଲ ପରିଚାଳକ ମହେଶ୍ୱତା ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।