ଆଶାୟୀ ମାଳମାଳ : କାହାକୁ ମିଳୁଛି ଟିକଟ  :  ରାଜନୈତିକ ଉଷ୍ମତା ବଢୁଛି

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶିତ ହୋଇ ଶେଷ ପ୍ରସ୍ତୁତି ସରିଛି । ୫ଟି ପର୍ଯ୍ୟାୟରେ ନିର୍ବାଚନ ହେବା ତାରିଖ ଘୋଷଣା ପରେ ବିଭିନ୍ନ ରାଜନୈତିକ ଦଳରେ ନିର୍ବାଚନୀ ଉଷ୍ମତା କ୍ରମଶଃ ବୃଦ୍ଧି ପାଇଛି । ଦିନ ଯେତିକି ପାଖେଇ ଆସୁଛି ତଦନୁଯାୟୀ ଆଶାୟୀଙ୍କ ସଂଖ୍ୟା ଅଧିକ ହେଉଛି । ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ବ୍ଲକରେ ଆସନ୍ତା ଫେବ୍ରୁଆରୀ ୧୬ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ବ୍ଲକର ୨୧ଟି ପଞ୍ଚାୟତ ସକାଶେ ସରପଞ୍ଚ, ସମିତି ସଭ୍ୟ, ୩ ଜିଲ୍ଲା ପରିଷଦ ସଭ୍ୟ ସହିତ ୩୦୭ଟି ୱାର୍ଡମେମ୍ବର ପଦବୀ ପାଇଁ ନିର୍ବାଚନ ମଇଦାନକୁ ଓଲ୍ହାଇବେ ଅଧିକରୁ ଅଧିକ ଆଶାୟୀ ପ୍ରାର୍ଥୀ । ଏଣୁ ଚଳିତ ପଞ୍ଚାୟତ ନିର୍ବାଚନ ସକାଶେ ସହର ଠାରୁ ଗାଁ ରେ ଢେର ଚର୍ଚ୍ଚା ହୋଇ ପରିବେଶ ଉଷ୍ମ ହୋଇଛି। କିଏ କେଉଁଠୁ ପ୍ରାର୍ଥୀ ହେବେ ତାକୁ ନେଇ ଏବେ ଭୋଟରଙ୍କ ନଜର ରହିଥିବା ବେଳେ ପ୍ରାର୍ଥୀ ହେବା ପାଇଁ ଆଶାୟୀଙ୍କୁ ମଧ୍ୟ ଜୋରଦାର ଲବି ନିଶା ଘାରିଛି । ଏଥର ରାଜନୀତି ମଇଦାନକୁ ଓଲ୍ହାଇବା ପାଇଁ ବହୁ ନୁଆଁ ମୁହଁ ପାଗ ଭିଡିଥିବା ବେଳେ ପୁରୁଣା ପ୍ରାର୍ଥୀଙ୍କୁ ଟକ୍କର ଦେବା ଆଶାରେ ସଜବାଜ ହୋଇ ସ୍ଥାନୀୟ ଶାସକ ଦଳର ତୁଙ୍ଗ ନେତୃମଣ୍ଡଳୀଙ୍କ ଠାରୁ ସମର୍ଥନ ହାସଲ କରିବା ଭରସାରେ ଅପେକ୍ଷା କରିଛନ୍ତି । ଲୋକ ସମର୍ଥନ ଥିବା କିଛି ପ୍ରାର୍ଥୀ ତୁଙ୍ଗ ନେତାଙ୍କ ଆଶୀର୍ବାଦ ଓ ସବୁଜ ସଙ୍କେତ ପାଇଥିବା ବେଳେ ବହୁ ନୁଆଁ ମୁହଁ ଦ୍ଵନ୍ଦ ଓ ଚାପରେ ନିର୍ବାଚନ ଲଢ଼ିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ଅଛନ୍ତି । ତେବେ ମଇଦାନକୁ ଏତେ ସଂଖ୍ୟକ ଆଶାୟୀ ଓଲ୍ହାଉଥିବା ଠଉରାଇ ଶାସକ ଦଳର ସ୍ଥାନୀୟ ନେତୃମଣ୍ଡଳୀଙ୍କ ମୁଣ୍ଡ ବ୍ୟଥା ବଢି ଚାଲିଛି । କାରଣ ରାଜ୍ୟ ରାଜନୀତିରେ ସବୁଠାରୁ ଗୁରୁତ୍ୱ ବହନ କରୁଥିବା ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ନେତାଙ୍କ ଦକ୍ଷତାର ମାପକାଠି ହେଉଛି ଚଳିତ ଥରର ପଞ୍ଚାୟତ ନିର୍ବାଚନର ଫଳାଫଳ ଓ ଭୋଟ ହାରର ବ୍ୟବଧାନ । ଏଣୁ ନିଜ ରାଜନୈତିକ ଅଭିଜ୍ଞତାକୁ ପାଥେୟ କରି ନିର୍ବାଚନରେ ଭଲ ଫଳାଫଳ ପ୍ରଦର୍ଶନ କରି ରାଜ୍ୟ ନେତୃବୃନ୍ଦଙ୍କ ଆସ୍ଥା ଭାଜନ ସହ ଦୃଷ୍ଟି ଆକର୍ଷଣ ପାଇଁ ଅଣ୍ଟା ଭିଡ଼ିଲେଣି ସ୍ଥାନୀୟ ଶାସକ ଦଳର ବହୁ ତୁଙ୍ଗନେତା । ଏଣୁ ଗଡ଼ ଜଗିବା ସହ ସଫଳତାର ସହ ରାଜନୈତିକ ପ୍ରତିଦ୍ୱନ୍ଦୀଙ୍କୁ ମାତ ଦେଇ ନିର୍ବାଚନ ଫଳଫଳ ନିଜ ସପକ୍ଷରେ ଆଣିବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କଲେଣି । ରାଜ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ମଙ୍ଗଳବାର ଠାରୁ ଆଦର୍ଶ ଆଚରଣ ବିଧି ମଧ୍ୟ ଲାଗୁ ହୋଇଛି । ଅନ୍ୟାନ୍ୟ ଦଳ ଗୁଡିକ ଅପେକ୍ଷା ଶାସକ ଦଳର ସ୍ଥିତି ବେଶ ମଜବୁତ ଥିଲେ ମଧ୍ୟ ଗୋଳିଆ ପାଣିରୁ ଫାଇଦା ଉଠାଇବା ଚକ୍କରରେ ଅଛନ୍ତି ବିରୋଧୀ ଦଳର ବହୁ ଆଶାୟୀ ପ୍ରାର୍ଥୀ । ସ୍ଥାନୀୟ ବ୍ଲକରେ ଜାତୀୟ କଂଗ୍ରେସ ଦଳର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟ ଜନକ ସ୍ଥିତିରେ ରହିଛି । ଏଠାରେ କଂଗ୍ରେସର ଦୁର୍ବଳ ସଂଗଠନ ଯୋଗୁଁ ଆଗ ଧାଡ଼ିର ନେତା ଓ କର୍ମୀ ତୃଣମୂଳ ସ୍ତରରେ ଲୋକଙ୍କ ନିକଟତର ହେବାରେ ସକ୍ଷମ ହୋଇ ପାରି ନାହାନ୍ତି । କଂଗ୍ରେସ ଅପେକ୍ଷା ବିଜେପି ଦଳର ଆଖି ଦୃଶିଆ ପ୍ରଦର୍ଶନ ନ ଥିଲେ ମଧ୍ୟ ସାମ୍ପ୍ରତିକ ରାଜନୈତିକ ଦୃଷ୍ଟି ପଟ୍ଟରେ ଦଳ ପ୍ରତି କିଛି ସମର୍ଥକଙ୍କ ବୃଦ୍ଧି ପାଇଛି । ମୁଖ୍ୟତଃ ଶାସକ ବିଜେଡ଼ି ଏବଂ ବିଜେପି ମଧ୍ୟରେ ଦ୍ୱିମୁଖୀ ଲଢେଇ ଦେଖିବାକୁ ମିଳିବା ସମ୍ଭାବନା ରହିଛି । ଗ୍ରାମାଞ୍ଚଳରେ ବିଜେଡି ଓ ବିଜେପି ନିଜ ନିଜ ସପକ୍ଷରେ ଭୋଟ ହାତେଇବା ଲାଗି ବିଭିନ୍ନ ରଣ କୌଶଳ ପ୍ରସ୍ତୁତି ପାଇଁ ବିଚାର ବିମର୍ଷ ଚାଲିଛି । ଏ କ୍ଷେତ୍ରରେ ବିଜେଡି ଆଗୁଆ ଥିଲେ ମଧ୍ୟ ବିଜେପି ଓ କଂଗ୍ରେସ ଏ ଯାଏଁ ପଛରେ ରହିଥିବା ଦେଖା ଯାଇଛି । ହିଞ୍ଜିଳିକାଟୁ ପଞ୍ଚାୟତ ସମିତିର କଳେବର ୨୧ଟି ପଞ୍ଚାୟତ ଓ ୩ ଟି ଜିଲ୍ଲା ପରିଷଦ ଜୋନ କୁ ନେଇ ଗଠିତ । ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ଶାସକ ବିଜେଡି ୩ଟି ଯାକ ଜିଲ୍ଲା ପରିଷଦ ଆସନକୁ କ୍ଲିନ ସୁଇପ କରିଥିଲା ବେଳେ ଅନ୍ୟାନ୍ୟ ଦଳ ଗୋଟିଏ ବି ଆସନ ହାତେଇବାରେ ସକ୍ଷମ ହୋଇ ନ ଥିଲା । ଶାସକ ଦଳ ସମର୍ଥିତ ୨୧ଟି ସରପଞ୍ଚ ଓ ୨୦ଟି ସମିତି ସଭ୍ୟ/ସଭ୍ୟାଙ୍କ ନିରଂକୁଶ ସମର୍ଥନ ହାସଲ କରି ବିଜେଡି ବ୍ଲକ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷା ପଦ ହାତେଇ ଗଡ଼ ଅକ୍ତିଆର କରିଥିଲା । ଚଳିତ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କ ବହୁ ଜନହିତକର ଯୋଜନା ମାଧ୍ୟମରେ ଲୋକଙ୍କ ହୃଦୟ ଜିଣି ୨୦୧୭ ନିର୍ବାଚନ ଫଳାଫଳକୁ ପୁଣି ଦୋହରାଇବା ପାଇଁ ତୁଙ୍ଗନେତା ଗଣ ଗୋଟି ଚାଳନା କରିଛନ୍ତି । ବିଜେପି କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଓ ରାଜ୍ୟ ସରକାରଙ୍କ ଦୁର୍ନୀତି ସମ୍ପର୍କରେ ତୃଣମୂଳ ସ୍ତର ରୁ ଲୋକଙ୍କୁ ଅବଗତ କରାଇବା ସହ ପ୍ରାର୍ଥୀ ଚୟନ ଓ ସଂଘଠନ ମଜବୁତ କରିବାରେ ଲାଗି ପଡିଛି । ଅପରପକ୍ଷରେ ହିଞ୍ଜିଳିକାଟୁରେ କଂଗ୍ରେସ ଦଳର ସ୍ଥିତି ଓ ଦୁର୍ବଳ ସଂଗଠନ ଉପରୁ ଲୋକେ ମୁହଁ ଫେରାଉ ଥିଲା ବେଳେ ଦଳର ଛାମୁଆ ନେତାଙ୍କ ଉପରେ ଭରସା ରହୁନ ଥିବା ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । କଂଗ୍ରେସଦଳ ପକ୍ଷରୁ ଏ ପର୍ଯ୍ୟନ୍ତ ରଣ କୌଶଳ ପ୍ରସ୍ତୁତ ହୋଇ ନ ଥିବା ଜଣା ପଡିଛି । ଗାଁ ଗାଁ ରେ କଂଗ୍ରେସ କର୍ମୀ ମହଲରେ ଅସନ୍ତୋଷ ଓ ନିରାଶର ବାତାବରଣ ସୃଷ୍ଟି ହୋଇଛି । ଅପରପକ୍ଷରେ ଭଲ ଫଳାଫଳ ଆଶା ରଖି ବିଭିନ୍ନ ପଞ୍ଚାୟତରେ ନେତା ମାନଙ୍କର ରୁଦ୍ଧଦ୍ବାର ବୈଠକ ଆୟୋଜିତ ହୋଇଛି । ସ୍ଥାନୀୟ ନେତାଙ୍କ ପାଇଁ ପଞ୍ଚାୟତ ନିର୍ବାଚନ ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ । ନିଜ ନିଜର ଦଳୀୟ ସମର୍ଥୀତ ପ୍ରାର୍ଥକୁ ଜିତାଇ ସେମାନଙ୍କ ଦକ୍ଷତାର ପରିଚୟ ଦେଇଥାନ୍ତି । ତେଣୁ ପଞ୍ଚାୟତ ନିର୍ବାଚନରେ କିପରି ଭଲ ଫଳାଫଳ ପ୍ରଦର୍ଶିତ ହେବ ଚିନ୍ତା କରି ସବୁ ଦଳର ନେତା ଏବେ ଗଡ଼ ଜଗିଲେଣି । ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଜାନୁଆରୀ ୧୭ ରୁ ୨୧ ପର୍ଯ୍ୟନ୍ତ ଚାଲିବ। ମନୋନୟନ ପତ୍ର ଯାଞ୍ଚ ୨୨ ଏବଂ ଚୂଡାନୁ ତାଲିକା ଜାନୁଆରୀ ୨୫ ରେ ପ୍ରକାଶ ହେବ । ଏ ସବୁ ଭିତରେ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ପ୍ରାର୍ଥୀ କିପରି ଜନ ସମର୍ଥନ ହାସଲ,ଡିଜିଟାଲ ପ୍ରଚାର କୁ ଗୁରୁତ୍ୱ ଦେବେ ସେ ନେଇ ଏବେ ସରଗରମ ରାଜ୍ୟ ମୁଖିଆଙ୍କ ଗଡ ଭାବେ ପରିଚିତ ହିଞ୍ଜିଳି ରାଜନୀତି । ସର୍ବୋପରି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କ୍ଷେତ୍ରରେ ମହିଳାଙ୍କ ପାଇଁ ଉଦ୍ଧିଷ୍ଟ ୫୦% ସଂରକ୍ଷିତ ବ୍ୟବସ୍ଥା ପ୍ରାର୍ଥୀ ଓ ନେତାଙ୍କ ବ୍ଲଡ଼ ପ୍ରେସର ବଢ଼ାଇ ଦେଇଛି ବୋଲି ଅଞ୍ଚଳର ମୁଖ୍ୟ ପ୍ରସଙ୍ଗ ପାଲଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ