‘ଆଶା’ କର୍ମଚାରୀଙ୍କ ମୃତ୍ୟୁ ଘଟଣାରେ ତିନି ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାକୁ ଓଡ଼ିଶା ସରକାରଙ୍କୁ ‘ଏନ୍‌ଏଚ୍‌ଆର୍‌ସି’ଙ୍କ ନିର୍ଦ୍ଦେଶ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଦାରିଙ୍ଗବାଡ଼ି ସ୍ବାସ୍ଥ୍ୟ କେନ୍ଦ୍ରର ‘ଆଶା’ କର୍ମଚାରୀ ମିନି ପ୍ରଧାନଙ୍କ ମୃତ୍ୟୁ ଯୋଗୁଁ ତାଙ୍କ ପରିବାର ଲୋକଙ୍କୁ ତିନି ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ଅର୍ଥରାଶି ପ୍ରଦାନ କରିବାକୁ ‘ଜାତୀୟ ମାନବ ଅଧିକାର କମିସନ୍‌’ ଓଡ଼ିଶା ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଅମ୍ବୁଲାନ୍ସ୍‌ ଅଭାବ, ରସ୍ତା ଓ ମୋବାଇଲ୍‌ ସଂଯୋଗ ନ ଥିବା କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା । ସମ୍ପୃକ୍ତ ପରିବାରକୁ ତିନି ଲକ୍ଷ ଟଙ୍କା ପ୍ରଦାନ କରାଯାଇ ଥିବାର କାଗଜପତ୍ର ଏବର୍ଷ ଡିସେମ୍ବର ୧୩ ତାରିଖ ସୁଦ୍ଧା ଦାଖଲ କରିବାକୁ ‘ଏନ୍‌ଏଚ୍‌ଆର୍‌ସି’ ଓଡ଼ିଶାର ମୁଖ୍ୟ ସଚିବଙ୍କୁ କହିଛନ୍ତି। ସୁପ୍ରିମ୍‌ କୋର୍ଟର ଓକିଲ ଏବଂ ମାନବ ଅଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଙ୍କଦ୍ବାରା ଦାଏର ହୋଇଥିବା ମାମଲାର ଶୁଣାଣି କରି ‘ଏନ୍‌ଏଚ୍‌ଆର୍‌ସି’ ଏହି ନିର୍ଦେଶ ଜାରି କରିଛନ୍ତି । ପିଟିସନ୍‌ରେ ତ୍ରିପାଠୀ ଦର୍ଶାଇଥିଲେ ଯେ, ୨୦୧୬, ସେପ୍ଟେମ୍ବର ୫ ତାରିଖ ଦିନ ସ୍ବାସ୍ଥ୍ୟ କେନ୍ଦ୍ରକୁ ‌ନିଆଯିବା ବାଟରେ ଆସନ୍ନ ପ୍ରସବା ଆଶାକର୍ମୀ ମିନି ପ୍ରଧାନଙ୍କର ମୃତ୍ୟୁ ଘଟିଥିଲା। ଅମ୍ବୁଲାନ୍ସ୍‌, ରସ୍ତା ଓ ମୋବାଇଲ୍‌ ସଂଯୋଗ ନ ଥିବାରୁ ତାଙ୍କର ମୃତ୍ୟୁ ଘଟିଥିବା କଥା ସେ ପିଟିସନ୍‌ରେ ଉଲ୍ଲେଖ କରିଥିଲେ। ଏହି ବିଫଳତା ଲାଗି ରାଜ୍ୟ ସରକାରଙ୍କ ଠାରୁ ମୋଟା ଅଙ୍କର ଅନୁକମ୍ପା ରାଶି ଦାବି କରିବା ସହ ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ତ୍ରିପାଠୀ ନିବେଦନ କରିଥିଲେ। ‘ଏନ୍‌ଏଚ୍ଆର୍‌ସି’ଙ୍କ ନିର୍ଦେଶ ପାଇବା ପରେ ଓଡ଼ିଶା ଜାତୀୟ ସ୍ବାସ୍ଥ୍ୟ ମିସନର ପ୍ରଶାସନିକ ନିର୍ଦେଶକ ଉପରୋକ୍ତ ତିନୋଟି ଜିନିଷର ଅବ୍ୟବସ୍ଥା ଥିବା କଥା ସ୍ବୀକାର କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ